Aadhaarକୁ ମାଗଣାରେ ଅପଡେଟ୍ କରିବାର ତାରିଖ ବୃଦ୍ଧି ପାଇଲା, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ମାଗଣା ଆଧାର ଅପ୍‌ଡେଟ୍ ସମୟ ସୀମାରେ ବୃଦ୍ଧି କରିଛନ୍ତି। ଏହି ଅନୁଯାୟୀ, ଭାରତୀୟ ସ୍ବତନ୍ତ୍ର ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ମାଗଣା ଅନଲାଇନ୍ ଆଧାର ଡକ୍ୟୁମେଣ୍ଟ ଅପଡେଟ୍ ସମୟ ସୀମା ଏକ ବର୍ଷ ବଢ଼ାଇ ଦେଇଛନ୍ତି।

ଏହା ଲୋକମାନଙ୍କୁ ସେମାନଙ୍କର ଆଧାରରେ ସଠିକ୍ ସୂଚନା ଅପଡେଟ୍ କରିବାରେ ସାହାଯ୍ୟ କରିବ। ଯେଉଁମାନେ ବିବାହ, ଠିକଣା ପରିବର୍ତ୍ତନ କିମ୍ବା ଅନ୍ୟ କୌଣସି କାରଣରୁ ସେମାନଙ୍କର ଡକ୍ୟୁମେଣ୍ଟ ଅପଡେଟ୍ କରିବାକୁ ଚାହୁଛନ୍ତି, ସେମାନେ ଏବେ ଏହି କାମ ମାଗଣାରେ କରିପାରିବେ।

ଏହି ମାଗଣା ସେବା କେବଳ ‘ମାଇଁଆଧାର’ ପୋର୍ଟାଲରେ ଉପଲବ୍ଧ, ଯାହା ଫଳରେ ଲୋକମାନେ ସହଜରେ ସେମାନଙ୍କର ସ୍ମାର୍ଟଫୋନ୍ କିମ୍ବା କମ୍ପ୍ୟୁଟରରୁ ଡକ୍ୟୁମେଣ୍ଟ ଦାଖଲ କରିପାରିବେ। ତେବେ ମାଗଣା ଆଧାର ଡକ୍ୟୁମେଣ୍ଟ ଅପଡେଟ୍ କରିବାର ଶେଷ ତାରିଖ ୨୦୨୫ ଜୁନ୍ ୧୪ରୁ ୨୦୨୬ ଜୁନ୍ ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ଏହି ସମୟ ମଧ୍ୟରେ ଲୋକମାନେ ସେମାନଙ୍କର ଡକ୍ୟୁମେଣ୍ଟ ଅପଲୋଡ୍ କରି ଆଧାର କାର୍ଡରେ ଜନସଂଖ୍ୟାଗତ ସୂଚନା ଅପଡେଟ୍ କରିପାରିବେ ଏବଂ ଏଥିପାଇଁ, ଠିକଣା ପ୍ରମାଣ ଏବଂ ପରିଚୟ ପ୍ରମାଣ ସହିତ ଜଡିତ ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ ପଡିବ। ୟୁଆଇଡିଏଆଇ ପକ୍ଷରୁ ଏକ୍ସ’ ରେ ଏହି ସୂଚନା ଦେଇଛି।