fbpx

ଅର୍ଜୁନ ରଣତୁଙ୍ଗାଙ୍କୁ ମୁହଁତୋଡ ଜବାବ ଦେଲେ ଆକାଶ ଚୋପ୍ରା, ଶ୍ରୀଲଙ୍କା ଟିମର ଏମିତି କ୍ଲାସ୍ ନେଲେ

ନୂଆଦିଲ୍ଲୀ : ଶ୍ରୀଲଙ୍କା ଗସ୍ତରେ ଥିବା ଭାରତର ଦ୍ଵିତୀୟ ଧାଡିର ଖେଳାଳିଙ୍କୁ ନେଇ ଆପତ୍ତିଜନକ ଟିପ୍ପଣୀ କରିଥିବା ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ଅର୍ଜୁନ ରଣତୁଙ୍ଗାଙ୍କୁ ଆକାଶ ଚୋପ୍ରା ମୁହଁତୋଡ ଜବାବ ଦେଇଛନ୍ତି। ଆକାଶ ଶ୍ରୀଲଙ୍କା ଗସ୍ତରେ ଥିବା ଖେଳାଳିଙ୍କ ତଥ୍ୟ ସେୟାର କରି କହିଛନ୍ତି, ଦଳରେ ଥିବା ୨୦ ଜଣଙ୍କ ମଧ୍ୟରୁ ୧୪ ଜଣ ଖେଳାଳି ଭାରତ ପକ୍ଷରୁ କୌଣସି ନା କୌଣସି ଫର୍ମାଟରେ ଖେଳି ସାରିଛନ୍ତି। ଆକାଶ ଅର୍ଜୁନ ରଣତୁଙ୍ଗାଙ୍କୁ ପ୍ରଥମେ ନିଜ ଦଳର ଖରାପ ପ୍ରଦର୍ଶନ ଉପରେ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି। ଭାରତ  ଓ ଶ୍ରୀଲଙ୍କା ମଧ୍ୟରେ ଜୁଲାଇ ୧୩ରୁ ଦିନିକିଆ ସିରିଜ୍ ଆରମ୍ଭ ହେବ।

ନିଜର ୟୁଟ୍ୟୁବ୍ ଚ୍ୟାନେଲରେ ଆଲୋଚନା ବେଳେ ଆକାଶ କହିଛନ୍ତି, ରଣତୁଙ୍ଗାଙ୍କ ବିଚାରକୁ ସମ୍ମାନ କରୁଛି। ଏହା ପରେ ଅର୍ଜୁନ ରଣଣୁଙ୍ଗାଙ୍କୁ ଟାର୍ଗେଟ୍ କରି ଆକାଶ କହିଛନ୍ତି, ରଣତୁଙ୍ଗା ଚାହୁଁଛନ୍ତି ଯେ, ଭାରତର ଏ ଗ୍ରେଡ ଦଳ ବିଶ୍ଵ ଟେଷ୍ଟ ଚାମ୍ପିଅନଶିପର ଫାଇନାଲ୍ ଖେଳିବା ପରେ ଶ୍ରୀଲଙ୍କା ଗସ୍ତରେ ଆସୁ। ପୁଣି ଜୁଲାଇ ଶେଷରେ ସିରିଜ୍ ସରିବା ପରେ ଇଂଲଣ୍ଡ ଫେରି ସେଠାରେ ଟେଷ୍ଟ ସିରିଜ୍ ଖେଳୁ। କିନ୍ତୁ ଏହା ସମ୍ଭବ ନୁହେଁ। ଆକାଶ କହିଛନ୍ତି, ସବୁଠୁ ଭଲ ହୋଇଥାନ୍ତା ବିସିସିଆଇ ଶ୍ରୀଲଙ୍କା ସିରିଜ୍ ପାଇଁ ମନା କରି ଦେଇଥାନ୍ତା। ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ଦିନିକିଆ ସିରିଜ୍ ପାଇଁ ସମ୍ଭାବିତ ୧୧ ଖେଳାଳିଙ୍କ ତଥ୍ୟ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଏହି ୧୧ ଖେଳାଳି ମୋଟ୍ ୪୭୧ ଦିନିକିଆ ମ୍ୟାଚ୍ ଖେଳି ସାରିଛନ୍ତି। ଅର୍ଜୁନ ରଣତୁଙ୍ଗାଙ୍କୁ ଆକ୍ଷେପ କରି ସେ କହିଛନ୍ତି, ଆପଣଙ୍କୁ କେଉଁ ଦୃଷ୍ଟିରୁ ଏହି ଦଳ ଦ୍ଵିତୀୟ ଗ୍ରେଡ ଲାଗୁଛି।

ଆକାଶ ଶ୍ରୀଲଙ୍କା ଦଳର ଖରାପ ଫର୍ମର ଉଲ୍ଲେଖ କରି କହିଛନ୍ତି, ଶ୍ରୀଲଙ୍କା ଦଳକୁ ପ୍ରଥମେ ନିଜର ପ୍ରଦର୍ଶନ ଉପରେ ନଜର ପକାଇବା ଉଚିତ୍। ସେ ଶ୍ରୀଲଙ୍କା ଦଳର ତୂଳନା ଆଫଗାନିସ୍ତାନ ସହ କରି କହିଛନ୍ତି, ଆଫଗାନିସ୍ତାନ ଟି-୨୦ ବିଶ୍ଵ କପ୍ ପାଇଁ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ୍ ଖେଳୁନାହିଁ। କିନ୍ତୁ ଶ୍ରୀଲଙ୍କା ଟି-୨୦ ବିଶ୍ଵ କପରେ ଯୋଗ୍ୟତାଅର୍ଜନ ପାଇଁ କ୍ଵାଲିଫାୟର ମ୍ୟାଚ୍ ଖେଳିବ। ଶ୍ରୀଲଙ୍କା କ୍ରିକେଟ୍ ଦଳର ବାସ୍ତବିକତା ଏହା ଯେ, ସେମାନେ ବର୍ତ୍ତମାନ ଅନ୍ତରାଷ୍ଟ୍ରୀୟ ସ୍ତରରେ କେଉଁଠି ଛିଡା ହୋଇଛନ୍ତି। ଆକାଶ କହିଛନ୍ତି, ସେ କାହାକୁ ଛୋଟ କି ବଡ  ଦେଖାଇବାକୁ ଚେଷ୍ଟା କରୁ ନାହାନ୍ତି। ମାତ୍ର ଆଇନା କେବେ ମିଛ କୁହେ ନାହିଁ। ଏଥିରୁ ଜଣାପଡୁଛି ଯେ, ସଂପ୍ରତି ଶ୍ରୀଲଙ୍କା କ୍ରିକେଟ୍ କେତେ ସଂଘର୍ଷ କରୁଛି। ଏମିତି ହୋଇପାରେ ଶ୍ରୀଲଙ୍କା ଦଳ ଟି-୨୦ ବିଶ୍ଵ କପ୍ ପାଇଁ ଯୋଗ୍ୟତା ଅର୍ଜନ  କରିନପାରେ।

 

Get real time updates directly on you device, subscribe now.