AAPକୁ ପୁଣି ଏକ ବଡ଼ ଝଟକା: ଛତିଶଗଡ଼ ରାଜ୍ୟ ସଭାପତିଙ୍କ ଇସ୍ତଫା, ନିକଟରେ ଜଣେ ବିଧାୟକ ଦଳ ଛାଡ଼ିଥିଲେ

ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରମୁଖ ରାଜନୈତିକ ଦଳମାନେ ପ୍ରସ୍ତୁତ ହେଉଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ବଡ଼ ଖବର । ପୁଣି ଥରେ ଆମ ଆଦମୀ ପାର୍ଟି (ଆପ)କୁ ଲାଗିଛି ଏକ ବଡ଼ ଝଟକା । ଗତ ମାସରେ ଗୁଜରାଟ ବିଧାନସଭାର ଜଣେ ବିଧାୟକ ଦଳ ଛାଡ଼ିଥିବା ବେଳେ ଏହା ମଧ୍ୟରେ ପୁଣି ଜଣେ ବଡ଼ ନେତା ଆପକୁ ବାଏ ବାଏ କରିଦେଇଛନ୍ତି । ଏହାଫଳରେ ମାତ୍ର ଗୋଟିଏ ମାସ ମଧ୍ୟରେ ଆପକୁ ଲାଗିଛି ଦୁଇଟି ବଡ଼ ଝଟକା ।

ସୂଚନା ମୁତାବକ, ଗୁଜରାଟ ପରେ ଆପକୁ ଛତିଶଗଡ଼ରେ ଲାଗିଛି ଏକ ବଡ଼ ଝଟକା । ଗତ ଡିସେମ୍ବର ମାସ ୧୩ ତାରିଖରେ ଗୁଜରାଟ ବିଧାନସଭାର ଆପ ବିଧାୟକ ଭୂପତ ଭାୟାଣୀ ନିଜ ପଦରୁ ଇସ୍ତଫା ଦେଇଥିଲେ । ପାଖାପାଖି ଗୋଟିଏ ମାସ ପରେ ଆପର ଛତିଶଗଡ଼ ରାଜ୍ୟ ସଭାପତି କୋମଲ ହୁପେଣ୍ଡି ଦଳରୁ ଇସ୍ତଫା ଦେଇଛନ୍ତି । ୬ ଜଣ ପର୍ଯ୍ୟବେକ୍ଷକଙ୍କ ସହିତ କୋମଲ ଦଳ ଛାଡ଼ିଛନ୍ତି । ନିକଟରେ ସମାପ୍ତ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଦଳର ଦୁର୍ବଳ ପ୍ରଦର୍ଶନ ପରେ ନେତାମାନେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଦଳର ଶୀର୍ଷ ନେତୃତ୍ୱ ଉପରେ ଅସନ୍ତୋଷ ଜାହିର କରି ଏହି ନେତାମାନେ ଇସ୍ତଫା ଦେଇଥିବା କୁହାଯାଉଛି । ‘ଇଣ୍ଡିଆ’ ମହାମେଣ୍ଟ ସହିତ ବୁଝାମଣା କାରଣରୁ ଗତ ନଭେମ୍ବର-ଡିସେମ୍ବର ମାସରେ ସମାପ୍ତ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଦଳକୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା । ଆପରେ ସାମିଲ ହୋଇ କିଛି ନେତା ସମାଜ ପାଇଁ କିଛି କରିବାକୁ ଚାହୁଁଥିଲେ । ଛତିଶଗଡ଼ରେ ଆପ ଦୁର୍ବଳ ସ୍ଥିତିରେ ଥିଲା । ମାତ୍ର ନେତାମାନେ କଠିନ ପରିଶ୍ରମ କରି ସଂଗଠନକୁ ମଜବୁତ କରିଥିଲେ । ଆପ ୯୦ଟି ଆସନରେ ଲଢ଼ିବାକୁ ପ୍ରଥମେ ଘୋଷଣା କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ସେଥିରୁ ଓହରି ଯାଇଥିଲା ବୋଲି ଏହି ନେତାମାନେ କହିଛନ୍ତି ।