fbpx

ମମତା ବାନାର୍ଜୀଙ୍କ ରାଜନୈତିକ ଉତ୍ତରାଧିକାରୀ ହେବେ ପୁତୁରା ଅଭିଷେକ ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ(ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀ ହେବେ ତାଙ୍କ ରାଜନୈତିକ ଉତ୍ତରାଧିକାରୀ। ଭବିଷ୍ୟତରେ ସେ ହିଁ ଟିଏମସିର ଦାୟିତ୍ୱ ଭାର ସମ୍ଭାଳିବେ। ଏନେଇ ଟିଏମ୍‌ସିର ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ ତାଙ୍କ ପୁତୁରା ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରିବେ ବୋଲି ସୋମବାର ଟିଏମସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି।

ଏହା ସହ ଗଣମାଧ୍ୟମଙ୍କୁ ସମ୍ବୋଧନ କରି ସେ କହିଛନ୍ତି, ମମତା ବାନାର୍ଜୀ ଆସନ୍ତା ୨୦୩୬ ମସିହା ପର୍ୟ୍ୟନ୍ତ ଦଳର ମୁଖିଆ ଭାବେ କାମ କରିବେ। ଆମେ ତାଙ୍କ ନେତୃତ୍ୱରେ କାମ କରିବୁ। ଏହାପରେ ତାଙ୍କ ଉତ୍ତରାଧିକାରୀ ଭାବେ ଅଭିଷେକ ବାନାର୍ଜୀଙ୍କୁ ଦଳର ମୁଖିଆ ଭାବେ ଅଭିଷିକ୍ତ କରାଯିବ । ଏହି ଅବସରରେ ସେ ବିରୋଧୀଙ୍କୁ ଟାର୍ଗେଟ କରି କହିଛନ୍ତି, ପଶ୍ଚିମବଙ୍ଗକୁ ଅକ୍ତିଆର କରିବାକୁ ବିରୋଧୀମାନେ ଦିବାସ୍ୱପ୍ନ ଦେଖୁଥିବା ବେଳେ ତାହା କେବେ କି ସଫଳ ହୋଇ ପାରିବ ନାହିଁ। ଏଥିସହ ସେ କହିଛନ୍ତି, ଟିଏମ୍‌ସି ଏକ ଅବିଭକ୍ତ ଦଳ। ଏହା ସମସ୍ତ ବିରୋଧୀ ଶକ୍ତିଙ୍କ ସହ ଏକାକୀ ଲଢ଼ି ପାରିବ। ଆମର ନେତା ଜଣେ ଥିବା ବେଳେ ବିଜେପି କାହା ନେତୃତ୍ୱରେ ମଇଦାନକୁ ଓହ୍ଲାଇବ ତାହା ପ୍ରଥମେ ସ୍ଥିର କରୁ।

ତେବେ ଠାରେ କହି ରଖୁଛୁ ଯେ, ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କ ନେତୃତ୍ୱ ଦଳକୁ ବହୁ ଶୀର୍ଷରେ ପହଞ୍ଚାଇଛି । କେବଳ ରାଜ୍ୟ ରାଜନୀତି ନୁହେଁ ବରଂ ଜାତୀୟ ରାଜନୀତିରେ ମଧ୍ୟ ଟିଏମସି ଦଳ ବେଶ ଗୁରୁତ୍ୱ ବହନ କରୁଛି । କିନ୍ତୁ ବର୍ତ୍ତମାନ ମମତାଙ୍କ ପରେ ପୁତୁରା ଅଭିଷେକ ଦଳକୁ କେତେ ଆଗକୁ ନେଇ ପାରୁଛନ୍ତି ତାହା ଦେଖିବାକୁ ବାକି ରହୁଛି। ଅନ୍ୟପଟେ ନବାଗତ ଭାବେ ଅଭିଷେକ ଅଭିଜ୍ଞଙ୍କ ସହ ଖାପ ଖୁଆଇ ଚାଲିପାରିବେ କି ନାହିଁ ସେନେଇ ମଧ୍ୟ ଦ୍ୱନ୍ଦ୍ୱ ବଢିଛି।

Get real time updates directly on you device, subscribe now.