fbpx

ବିରଜାଙ୍କ ଦର୍ଶନ ପରେ ଚାଲିଗଲା ଜୀବନ: ବେଆଇନ ପାର୍କିଙ୍ଗ ପାଇଁ ଦୁର୍ଘଟଣା, ୨ ମୃତ

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କୁ ଦର୍ଶନ ସାରି ଫେରୁଥିବା ସମୟରେ ଘଟିଯାଇଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଦୁଇ ଜଣ ପ୍ରାଣ ହରାଇଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଯାଜପୁର ଜିଲ୍ଲା ଛତିିଆର ୧୬ ନମ୍ୱର୍ ଜାତୀୟ ରାଜପଥ ଛତିଆ ଭଟ୍ଟ ସାଗର ବଜାରରେ ଦେଖିବାକୁ ମିଳିଛି ଏଭଳି ଭୟଙ୍କର ଦୁର୍ଘଟଣା । ତେବେ ଏହି ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଛି ବେଆଇନ ପାର୍କିଂ ସମସ୍ୟା ।

ଏହି ଅଞ୍ଚଳରେ ଅସମ୍ଭାଳ ବେଆଇନ୍ ପାର୍କିଂ ଯୋଗୁଁ ଦିନକୁୁ ଦିନ ଏଠାରେ ଦୁର୍ଘଟଣା ବୃଦ୍ଧି ପାଉଛି । ସୂଚନା ମୁତାବକ, ଆଜି ସକାଳୁ ଭୁବନେଶ୍ୱରରୁ ଏକ କାର ଯୋଗେ ୩ଜଣ ମା ବିରଜାଙ୍କ ଦର୍ଶନ ପାଇଁ ବାହାରିଥିଲେ । ଫେରିବା ସମୟରେ ଛତିଆ ଭଟ୍ଟସାଗର ବଜାରରେ ଗାଡ଼ି ରଖି ଜଳଖିଆ ଖାଇବାକୁ ଗାଡିରୁ ବାହାରୁ ଥିବା ବେଳେ ହଠାତ ଅସାବଧାନତା ଯୋଗୁଁ ଗାଡିଟି ପଛକୁ ଗଡି ଯାଇଥିଲା । ଏହି ସମୟରେ ପଛପଟୁ କାରକୁ ଧକ୍କା ଦେଇଥିଲା ଦୃତ ଗତିରେ ଆସୁଥିବା ଏକ ଟ୍ରକ ।

ଫଳରେ ଗାଡିରୁ ଦୁଇ ଜଣ ଛିଟିକି ଟ୍ରକ ସମ୍ମୁଖରେ ପଡ଼ି ମୃତ୍ୟୁବରଣ କରିଛନ୍ତି । ତେବେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି । ତେବେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ବା ଜାତୀୟ ରାଜପଥ କର୍ତ୍ତୁପକ୍ଷ କାହିଁକି କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି ।

ବିଶେଷ କରି ଛତିଆ ବଜାର ନିକଟ ରାଜପଥରେ ବେଆଇନ୍ ପାର୍କିଂ ଦେଖିବାକୁ ମିଳିଥାଏ । କିନ୍ତୁ ସ୍ଥାନୀୟ ବଇରୀ ଥାନା ବା ଛତିଆ ପୋଲିସ୍ ବିଟ୍ ହାଉସ ପକ୍ଷରୁ ଏହି ବଜାରରେ କୌଣସି ଗାର୍ଡ ବା ଟ୍ରାଫିକର ବ୍ୟବସ୍ଥା ହେଉନଥିବା ବେଳେ ଏଭଳି ଦୁର୍ଘଟଣା ବଢିବାରେ ଲାଗିଛି ।

Get real time updates directly on you device, subscribe now.