Loan, Insurance ଓ Mutual Fundରେ ନିବେଶ ପାଇଁ ଏଣିକି ବାରମ୍ବାର କରିବାକୁ ପଡ଼ିବନି KYC: ଆରବିଆଇ ଆରମ୍ଭ କଲା Account Aggregator Service
ନୂଆଦିଲ୍ଲୀ: ଏଣିକି ଲୋନ୍, ଇନସ୍ୟୁରାନ୍ସ ଓ ମ୍ୟୁଚୁଆଲ ଫଣ୍ଡ ଆଦିରେ ନିବେଶ ପାଇଁ ଆପଣଙ୍କୁ ବାରମ୍ବାର କେୱାଇସିର ଆବଶ୍ୟକତା ପଡ଼ିବ ନାହିଁ । ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏଗ୍ରିଗେଟର ସେବାର ଶୁଭାରମ୍ଭ କରାଯାଇଛି । ପୂର୍ବାପେକ୍ଷା ଏଣିକି ବ୍ୟାଙ୍କିଂ ପ୍ରକ୍ରିୟା ଆପଣଙ୍କ ପାଇଁ ବହୁତ ସହଜ ହୋଇଯିବ ।
ସାଧାରଣତଃ ଆପଣଙ୍କର ସମସ୍ତ ଆର୍ଥିକ ବିବରଣୀ ଗୋଟିଏ ସ୍ଥାନରେ ସଂଗ୍ରହ କରିବା ପାଇଁ ଆକାଉଣ୍ଟ ଏଗ୍ରିଗେଟର ହେଉଛି ଏକ ସାଧାରଣ ପ୍ଲାଟଫର୍ମ । ଯଦି ଆପଣ ଲୋନ ନେବାକୁ ବା ଇନସ୍ୟୁରାନସ କିଣିବାକୁ ଚାହାନ୍ତି, ତେବେ ଏଥିପାଇଁ ବ୍ୟାଙ୍କ ବା ବୀମା କମ୍ପାନୀ ଆର୍ଥିକ ଡିଟେଲ୍ସ ମାଗିଥାଏ । ଏଥିରେ ଆକାଉଣ୍ଟର ତଥ୍ୟ, ସାଲାରୀ ବିବରଣୀ ଆଦିର ରେକର୍ଡ ସାମିଲ ରହିଥାଏ । ସେଥିପାଇଁ ଆପଣଙ୍କୁ ଭିନ୍ନ ଭିନ୍ନ ସ୍ରୋତରୁ ତଥ୍ୟ ସଂଗ୍ରହ କରିବାକୁ ପଡ଼ୁଥିବା ବେଳେ ଖାତା ଏଗ୍ରିଗେଟର ଆପଣଙ୍କ ସାହାଯ୍ୟରେ ଗୋଟିଏ ସ୍ଥାନରେ ସମସ୍ତ ତଥ୍ୟ ପାଇପାରିବେ । ପୂର୍ବରୁ ଆପଣଙ୍କର ସମସ୍ତ ବିବରଣୀ ସେଠାରେ ମହଜୁଦ ଥାଏ । ଏହି ପ୍ରକ୍ରିୟା କମ୍ ସମୟ ଓ ସହଜରେ ହୋଇଯାଇଥାଏ । ଏଥିରେ ଡାଟା ଚୋରିର ସମ୍ଭାବନା ବହୁତ କମ୍ ହେବା ସହ ଡାଟା ଏଗ୍ରିଗେଟର ଆପଣଙ୍କ ବିନା ସହମତିରେ କୌଣସି ତଥ୍ୟ ନେଇପାରିବ ନାହିଁ । ଏସବିଆଇ, ଆଇସିଆଇସିଆଇ, ଆକ୍ସିସ, ଆଇଡିଏଫସି, କୋଟାକ ମହିନ୍ଦ୍ରା, ଏଚଡିଏଫସି, ଇଣ୍ଡସଇଣ୍ଡ ଓ ଫେଡେରାଲ ଆଦି ୮ଟି ବ୍ୟାଙ୍କ ଏହି ସେବା ଆରମ୍ଭ କରିଛନ୍ତି । ଏହି ଯୋଜନା ମାଧ୍ୟମରେ ବ୍ୟାଙ୍କ ଓ ଅନ୍ୟ ଆର୍ଥିକ ସଂସ୍ଥା ନୂଆ ଗ୍ରାହକ ଯୋଡ଼ିପାରିବେ । ତେବେ ଗ୍ରାହକଙ୍କ ତଥ୍ୟ ଅଂଶୀଦାର କରିବାକୁ ହେଲେ ବ୍ୟାଙ୍କ କିମ୍ବା ଆର୍ଥିକ ପ୍ରତିଷ୍ଠାନକୁ ସେମାନଙ୍କର ସମ୍ମତି ନେବାକୁ ପଡ଼ିବ । ବର୍ତ୍ତମାନର ଡିଜିଟାଲ ଦୁନିଆରେ ଡାଟା ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ଡାଟା ଏଗ୍ରିଗେଟରରେ ଆପଣଙ୍କ ତଥ୍ୟ ସମ୍ପୂର୍ଣ୍ଣ ସୁରକ୍ଷିତ ରହିପାରିବ । ଆରବିଆଇ ଏନେଇ କଡ଼ା ଡାଟା ପ୍ରାଇଭେସି ପଲିସି ପ୍ରସ୍ତୁତ କରିଛି । ଏଥିସହିତ ଆକାଉଣ୍ଟ ଏଗ୍ରିଗେଟରଙ୍କ ସହିତ ବ୍ୟାଙ୍କଗୁଡ଼ିକ ଯେଉଁ ଡାଟା ଶେୟାର କରିବେ, ତାହା ସମ୍ପୂର୍ଣ୍ଣ ଭାବେ ଇନକ୍ରିପ୍ଟେଡ ହେବା ସହ ଏଥିରେ କୌଣସି ଉଲ୍ଲଂଘନ ହେବ ନାହିଁ ବୋଲି କୁହାଯାଇଛି ।