ଏହି ଯୋଜନାରେ କେବଳ ମହିଳାମାନଙ୍କ ପାଇଁ ଆକାଉଣ୍ଟ ଖୋଲାଯାଇପାରିବ, ମିଳିବ ଜବରଦସ୍ତ ସୁଧ
୨ଲକ୍ଷ ଜମା କରନ୍ତୁ; ୩୨,୦୪୪ ଟଙ୍କା ସୁନିଶ୍ଚିତ ସୁଧ ପାଆନ୍ତୁ
ନୂଆଦିଲ୍ଲୀ: ଦେଶର ବିଭିନ୍ନ ବର୍ଗ ପାଇଁ କେନ୍ଦ୍ର ସରକାର ଅନେକ ପ୍ରକାରର ସଞ୍ଚୟ ଯୋଜନା ଆଣିଛନ୍ତି। ତେବେ କେନ୍ଦ୍ର ସରକାର ମଧ୍ୟ ମହିଳାମାନଙ୍କ ପାଇଁ କିଛି ସ୍ୱତନ୍ତ୍ର ଯୋଜନା ଚଳାଉଛନ୍ତି, ଯେଉଁଥିରେ ନିବେଶ ଦ୍ୱାରା ଅଧିକ ସୁଧ ମିଳିଥାଏ । ମୋଦୀ ସରକାର ଏପ୍ରିଲ ୧, ୨୦୨୩ରେ ମହିଳାମାନଙ୍କ ପାଇଁ ଏକ ସଞ୍ଚୟ ଯୋଜନା ଆରମ୍ଭ କରିଥିଲେ। ମହିଳା ସମ୍ନାନ ସଞ୍ଚୟ ପ୍ରମାଣପତ୍ର (MSSC) ନାମକ ଏହି ଯୋଜନାରେ କେବଳ ମହିଳାମାନଙ୍କ ପାଇଁ ଆକାଉଣ୍ଟ ଖୋଲାଯାଇପାରିବ । ଏହି ଯୋଜନା ଅନ୍ତର୍ଗତ, ୧୮ବର୍ଷରୁ କମ୍ ଝିଅମାନଙ୍କ ପାଇଁ ପିତାମାତା ମଧ୍ୟ ଖାତା ଖୋଲିପାରିବେ । ଜଣେ ମହିଳା ଏହି ଯୋଜନା ଅଧୀନରେ ମାର୍ଚ୍ଚ ୩୧, ୨୦୨୫ ସୁଦ୍ଧା ଆକାଉଣ୍ଟ୍ ଖୋଲିପାରିବେ ।
ଏହି ଯୋଜନା ଅଧୀନରେ ମହିଳାମାନେ ଆକାଉଣ୍ଟ୍ ଖୋଲିଲେ ସେମାନଙ୍କୁ ସରକାରୀ ଗ୍ୟାରେଣ୍ଟି ସହିତ ୭.୫ପ୍ରତିଶତ ସୁଧ ଦିଆଯାଏ । ଏହି ଯୋଜନାରେ କରାଯାଇଥିବା ନିବେଶ ଦୁଇବର୍ଷରେ ପରିପକ୍ବ ହୁଏ ।
ମହିଳା ସମ୍ମାନ ସଞ୍ଚୟ ପ୍ରମାଣପତ୍ର ଯୋଜନା ଅନ୍ତର୍ଗତ ସର୍ବନିମ୍ନ ହଜାରଟଙ୍କା ଓ ସର୍ବାଧିକ ଦୁଇ ଲକ୍ଷ ଟଙ୍କା ନିବେଶ କରିପାରିବେ । ଯଦିଓ ଏହି ଯୋଜନା ଦୁଇ ବର୍ଷରେ ପରିପକ୍ୱ ହୁଏ କିନ୍ତୁ ଖାତା ଖୋଲିବାର ତାରିଖ ଠାରୁ ଏକ ବର୍ଷ ପରେ, ଏହି ଯୋଜନାରେ ନିବେଶ ହୋଇଥିବା ରାଶିର ୪୦ ପ୍ରତିଶତ ଆବଶ୍ୟକ ହେଲେ ଉଠାଇ ପାରିବେ ।
ଯଦି ଆପଣ ଦୁଇ ଲକ୍ଷ ଟଙ୍କା ଜମା କରନ୍ତି, ତେବେ ଆପଣ ଏହି ରାଶି ଉପରେ ୭.୫ ପ୍ରତିଶତ ସୁଧ ପାଇବେ । ଏହି ଅନୁଯାୟୀ, ମୋଟ ୨,୩୨,୦୪୪ଟଙ୍କା ପାଇବେ । ଅର୍ଥାତ୍ ଦୁଇ ଲକ୍ଷ ଟଙ୍କା ଜମା ଉପରେ ୩୨,୦୪୪ ଟଙ୍କା ସୁଧ ପାଇବେ ।
ଡାକଘର ବ୍ୟତୀତ ଦେଶର ସରକାରୀ ବ୍ୟାଙ୍କଗୁଡ଼ିକରେ ମହିଳାମାନଙ୍କୁ ଏହି ଯୋଜନାରେ ନିବେଶ କରିବାର ସୁଯୋଗ ଦେଉଛନ୍ତି।