fbpx

Facebook, Instagramରେ ମହିଳାଙ୍କ ଅଶ୍ଳୀଳ ଫଟୋ: ପ୍ରେମିକାଙ୍କ ସାଙ୍ଗଠୁ ପ୍ରତିଶୋଧ ଆଶାରେ ଯୁବକ ଗିରଫ

ନୂଆଦିଲ୍ଲୀ: କାହାର ଭଲ କରୁ କରୁ ଅନେକ ଲୋକ ନିଜ ଗୋଡରେ କୁରାଢୀ ମାରି ବସନ୍ତି । ଯାହାର ପରିଣାମ ତାଙ୍କୁ ହିଁ ଭୋଗିବାକୁ ପଡିଥାଏ । ସେମିତି ଏକ ଘଟଣା ଘଟିଛି ରାଜଧାନୀ ଦିଲ୍ଲୀର ଉତ୍ତର ପୂର୍ବ ଅଞ୍ଚଳରେ । ଦୁଇ ପ୍ରେମୀଙ୍କ ଭିତରେ ଥିବା ଝଗଡାକୁ ସମାଧାନ କରିବାକୁ ଯାଇ ଏକ ବଡ ସମସ୍ୟାରେ ପଡିଯାଇଛନ୍ତି ଜଣେ ମହିଳା । ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ମହିଳାଙ୍କର ଅଶ୍ଳୀଳ ଫଟୋ ଏବଂ ମୋବାଇଲ ନମ୍ବର ପୋଷ୍ଟ କରିଛି ପ୍ରେମିକ । ତେବେ ଫେସବୁକ ଜରିଆରେ ଯୁବକକୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ପୀଡିତା ଜଣକ ଗତ ଫେବୃଆରୀ ୩ ତାରିଖରେ ଜ୍ୟୋତି ନଗରରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ । କେହି ଜଣେ ତାଙ୍କ ନାମରେ ସୋସିଆଲ ମିଡିଆରେ ଫେକ୍ ଆକାଉଣ୍ଟ ତିଆରି କରି ତାଙ୍କ ଫଟୋ ଅପଲୋଡ କରୁଥିବା ସେ ଅଭିଯୋଗ କରିଛନ୍ତି । ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏମିତି ବିଭିନ୍ନ ଫଟୋ ଏବଂ ମୋବାଇଲ ନମ୍ବର ଅପଲୋଡ କରୁଥିଲା ଅଭିଯୁକ୍ତ । ତେବେ ଫେସବୁକର ମୁଖ୍ୟାଳୟ ସହ ଯୋଗାଯୋଗ କରି ପୋଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଛି । ତେବେ ଘଟଣାର ଗମ୍ଭୀରତାକୁ ନଜରରେ ରଖି ଆଇପିସି ଧାରା ଅନୁଯାୟୀ ୩୫୪ଏ, ୩୫୪ଡି, ୫୦୯, ୧୦୯ ଇତ୍ୟାଦି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ତଦନ୍ତରେ ପୋଲିସକୁ ଏପରି ୩ଟି ଫେକ୍ ଆକାଉଣ୍ଟ ମିଳିଛି ଯେଉଁଥିରେ ମହିଳାଙ୍କ ଫଟୋ ଏବଂ ନମ୍ବର ପୋଷ୍ଟ କରାଯାଉଥିଲା ।

ତେବେ ଏହି ମୋବାଇଲ ନମ୍ବର ବ୍ୟବହାର କରୁଥିବା ବ୍ୟକ୍ତି ଗଜିଆବାଦର ଲୋନୀ ଇଲାକାର ବୋଲି ଜାଣିବାକୁ ପାଇଥିଲା ପୋଲିସ । ତେବେ ଅଭିଯୁକ୍ତ ଅଙ୍କୁର ଏନକ୍ଲେଭର ରୋସନକୁ ଚିହ୍ନଟ କରିବା ପରେ ପୋଲିସ ତାକୁ ଗିରଫ କରିବା ସହ ମୋବାଇଲ ଫୋନ ଏବଂ ୨ଟି ସିମ କାର୍ଡ ଜବତ କରିଛି । ତେବେ ପୋଲିସ ଡିଜିପି ଡ. ଜୟ ଟିର୍କୀ କହିଛନ୍ତି ଯେ, ଅଭିଯୁକ୍ତ ରୋସନ ନିଜ ଭୁଲକୁ ସ୍ୱୀକାର କରି ନେଇଛି । ସେ କହିଛି ଯେ, କିଛି ଦିନ ତଳେ ତା ପ୍ରେମିକାଙ୍କ ସହ ଝଗଡା ହୋଇଥିଲା ଏବଂ ଏହାକୁ ସମାଧାନ କରିବାକୁ ଆସିଥିବା ବନ୍ଧୁଙ୍କୁ ସେ ଗାଳି ଦେଇଥିଲେ । ଏଥିରେ ରାଗିଯାଇ ମହିଳା ନିଜ ଭାଇଙ୍କୁ କହିବାରୁ ସେମାନେ ରୋସନକୁ ମାଡ ମାରିଥିଲେ । ତେଣୁ ଏହି ଅପମାନର ପ୍ରତିଶୋଧ ନେବାକୁ ଯାଇ ଏମିତି କାମ କରିଥିବା କହିଛି ଅଭିଯୁକ୍ତ ରୋସନ ।

Get real time updates directly on you device, subscribe now.