ଭର୍ଚୁଆଲ ଶୁଣାଣି ସମୟରେ ଆପତ୍ତିଜନକ ଅବସ୍ଥାରେ ଓକିଲ: ଭିଡିଓ ଭାଇରାଲ ହେବା ପରେ କୋର୍ଟ ନେଲେ ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା ସମୟରେ ସବୁକିଛି ଭର୍ଚୁଆଲ ହୋଇ ଯାଇଥିବା ବେଳେ ଏଣିକି କୋର୍ଟର ଶୁଣାଣି ମଧ୍ୟ ଭର୍ଚୁଆଲ ହେବାରେ ଲାଗିଲାଣି । ତେବେ ଏମିତି ଏକ ଭର୍ଚୁଆଲ ଶୁଣାଣି ସମୟରେ ଜଣେ ଓକିଲ ଆପତ୍ତି ଜନକ ଅବସ୍ଥାରେ ନଜର ଆସିଥିଲେ । ଏକ କେସର ଶୁଣାଣି ଚାଲିଥିବା ବେଳେ ଆର ଡି ସନ୍ଥନ କୁମାର ନାମକ ଏହି ଓକିଲ ଜଣକ ଜଣେ ମହିଳାଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ରହିଥିଲେ ।

ମଙ୍ଗଳବାର ଏକ କେଶର ଶୁଣାଣି ଚାଲିଥିବା ବେଳେ ସନ୍ଥନ କୁମାର ନିଜ ୱେବ କ୍ୟାମ ଅଫ କରିବାକୁ ଭୁଲି ଯାଇଥିଲେ । ଏହି ସମୟରେ ସେ ବିଚାରପତିଙ୍କ ସହିତ ନିଜର ସ୍କ୍ରିନ ଶେୟାର କରିଥିବା ବେଳେ ଜଣେ ମହିଳାଙ୍କ ସହିତ ଆପତ୍ତିଜନକ ଅବସ୍ଥାରେ ରହିଥିଲେ । ମାଡ୍ରାସ ହାଇକୋର୍ଟ ତୁରନ୍ତ ଏହି ମାମଲାର ଶୁଣାଣି କରିଥିଲେ । ଜଷ୍ଟିସ ପିଏନ୍ ପ୍ରକାଶ ଏବଂ ଆର ହେମଲତାଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ମାମଲାର ଶୁଣାଣି କରିବା ସହିତ ଏଭଳି ବ୍ୟବହାରକୁ ନିନ୍ଦା କରିଥିଲେ । ଏହା ସହିତ ସନ୍ଥନ କୁମାରଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ଏହା ବାଦ ଯେମିତି ଏହି ଭିଡିଓଟି ଭାଇରାଲ ନ ହୁଏ ସେଥିପ୍ରତି ଧ୍ୟାନ ଦେବାକୁ କୋର୍ଟ ସାଇବର କ୍ରାଇମ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।