fbpx

୨୦୨୪ ନିର୍ବାଚନ ପାଇଁ ଲକ୍ଷ୍ୟ ମିଶନ ସାଉଥ୍‌ : ବିଜେପି ପାଇଁ ବ୍ରହ୍ମାସ୍ତ୍ର ପାଲଟିବେ ଚିରଞ୍ଜିବୀ !

ଅମରାବତୀ: ସୋମବାର ଆନ୍ଧ୍ରପ୍ରଦେଶ ରାଜନୀତିରେ ଏକ ଖାସ୍‌ ଦୃଶ୍ୟପଟ୍ଟ ଦେଖିବାକୁ ମିଳିଛି । ସ୍ୱାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମ୍‌ ରାଜୁଙ୍କ ପ୍ରତିମୂତ୍ତି ଅନାବରଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଞ୍ଚ ଉପରେ ତେଲୁଗୁ ମେଗାଷ୍ଟାର ଚିରଞ୍ଜିବୀଙ୍କୁ ବିଶେଷ ପ୍ରାଧାନ୍ୟ ଦେଇଥିବା ପରିଲକ୍ଷିତ ହୋଇଛି । ତେଲୁଗୁ ଚଳଚ୍ଚିତ୍ରରେ ଦମ୍‌ଦାର ଅଭିନୟ କରି ତେଲୁଗୁ ଲୋକଙ୍କ ମଧ୍ୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଥିବା ତଥା କଂଗ୍ରେସର ପୂର୍ବତନ ସାଂସଦ ଚିରଞ୍ଜିବୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ପୁଣି ବିଶେଷ ଅନ୍ଦାଜରେ ସ୍ୱାଗତ ସମ୍ବର୍ଦ୍ଧନା ଆନ୍ଧ୍ରପ୍ରଦେଶ ରାଜନୈତିକ ପାଣିପାଗକୁ ସରଗରମ କରିଦେଇଛି । କୁହାଯାଉଛି କି କେନ୍ଦ୍ରମନ୍ତ୍ରୀ ତଥା ସିକନ୍ଦରାବାଦ୍‌ ବିଜେପି ସାଂସଦ ଜି କିଶନ ରେଡ୍ଡୀ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଚିରଞ୍ଜିବୀଙ୍କୁ ଆମନ୍ତ୍ରଣ କରିଥିଲେ । ଏହି ମଞ୍ଚରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଉପସ୍ଥିତ ଥିଲେ ବି ସମସ୍ତଙ୍କ ନଜର ଚିରଞ୍ଜିବୀଙ୍କ ଉପରେ ଦୃଷ୍ଟିନିବିଦ୍ଧ ଥିଲା । ଚିରଞ୍ଜିବୀଙ୍କୁ ଆମନ୍ତ୍ରଣ କରିବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଏବେ ଜୋର୍‌ ଧରିଛି । ବିଜେପି ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ନିଜର କ୍ୟାଡର ବିସ୍ତାର କରିବା ଲକ୍ଷ୍ୟରେ ରହିଛି । ପୂର୍ବରୁ ଆନ୍ଧ୍ରପ୍ରଦେଶର ରାଜମୁନ୍ଦରୀ ନିବାସୀ ତଥା ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତ୍ରୀ ଜୟାପ୍ରଦା ବିଜେପିରେ ସାମିଲ ହୋଇସାରିଛନ୍ତି । ଏବେ ଚିରଞ୍ଜିବୀ ବିଜେପି ପାଇଁ ବ୍ରହ୍ମାସ୍ତ୍ର ସାବ୍ୟସ୍ତ ହୋଇପାରନ୍ତି । ଆନ୍ଧ୍ରପ୍ରଦେଶ ବିଭାଜନ ପରେ ୟୁପିଏ-୨ରେ ମନ୍ତ୍ରୀ ଥିବା ଚିରଞ୍ଜିବୀ ଗତ କିଛିଦିନ ହେବ ରାଜନୀତିରେ ନିଷ୍କ୍ରିୟ ଥିଲେ ।

ସୂଚନାଯୋଗ୍ୟ ଯେ ଚିରଞ୍ଜିବୀଙ୍କ ଭାଇ ତଥା ଲୋକପ୍ରିୟ ଅଭିନେତା ପବନ କଲ୍ୟାଣଙ୍କ ପାର୍ଟି ଜନସେନା ଏବେ ଏନ୍‌ଡିଏ ମେଣ୍ଟର ଏକ ଅଂଶୀଦାର ଦଳ । ଚିରଞ୍ଜିବୀଙ୍କୁ ଆମନ୍ତ୍ରଣ କରିବା ପଛରେ ବିଜେପି ତା’ର ପୂରା ଗଣିତ ଲଗାଇଦେଇଛି । ମୁଖ୍ୟତଃ ଚିରଞ୍ଜିବୀ କାପୁ ଜାତିରୁ ଆସିଛନ୍ତି । ଆନ୍ଧ୍ରପ୍ରଦେଶରେ  କାପୁ ଜାତି ହେଉଛି ପଛୁଆବର୍ଗର ଓ ଆନ୍ଧ୍ର ମୋଟ ଭୋଟସଂଖ୍ୟାର ଏମାନଙ୍କର ଭୋଟ୍‌ହାର ରହିଛି ୧୫%। ଏହାକୁ ଦୃଷ୍ଟିରେ ରଖି ବିଜେପି ଚିରଞ୍ଜିବୀଙ୍କୁ ଦଳରେ ସାମିଲ କରି ମିଶନ ଦକ୍ଷିଣ ଫଳପ୍ରସୂ କରିବା ମୁଡ୍‌ରେ ରହିଛି । ଚିରଞ୍ଜିବୀ ୨୦୦୮ରେ ପ୍ରଜାରାଜ୍ୟମ୍‌ ପାର୍ଟି ଗଠନ କରି ୨୦୦୯ ବିଧାନସଭା ନିର୍ବାଚନରେ ୨୯୪ ଆସନରୁ ୧୮ ଆସନ ଅକ୍ତିଆର କରିଥିଲେ ବି ଟିଡିପିକୁ କ୍ଷମତାରୁ ଦୂରେଇ ରଖିବାରେ ମୁଖ୍ୟ ଭୁମିକା ଗ୍ରହଣ କରିଥିଲେ । ୨୦୧୧ରେ ସେ କଂଗ୍ରେସ ସହ ପ୍ରଜାରାଜ୍ୟମ୍‌ ପାର୍ଟିକୁ ବିଲୟ କରି ୟୁପିଏ-୨ରେ କେନ୍ଦ୍ରମନ୍ତ୍ରୀ ହୋଇଥିଲେ । ନିକଟରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ବିଜେପିକୁ କି ରି ସଶକ୍ତ କରାଯିବ ଓ ସେଠାରେ ସରକାର ଗଠନ କରାଯିବ ସେ ନେଇ ବ୍ଲୁ ପ୍ରିଣ୍ଟ ପସ୍ତୁତ ହୋଇଛି । ତେବେ ଆଗାମୀ ଦିନରେ ଜୟାପ୍ରଦା ଓ ଚିରଞ୍ଜିବୀଙ୍କ ପରି ବିଜେପି ଆଉ କିଛି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ଦଳକୁ ଆଣି ସେଠାରେ ନିଜର ସ୍ଥିତିକୁ ମଜବୁତ କରିବ ବୋଲି ଏବେ ସବୁଠି ଚର୍ଚ୍ଚା ।

Get real time updates directly on you device, subscribe now.