fbpx

ବିଜେପିରେ ମିଶି ପାରନ୍ତି ଅଭିନେତା ସିଦ୍ଧାନ୍ତ ମହାପାତ୍ର: ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଓଡ଼ିଶା ଭାସ୍କର: ଆଉ ଦିନ କେଇଟା ଗଲେ ୨୦୨୪ ନିର୍ବାଚନ। ଏଥିପାଇଁ ଓଡ଼ିଶାର ଉଭୟ ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ତାରିଖ ଘୋଷଣା ହୋଇଛି। ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ କରାଯିବ। ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଓଡ଼ିଶାରେ ଚତୁର୍ଥ, ପଞ୍ଚମ, ଷଷ୍ଠ ଓ ସପ୍ତମ ପର୍ଯ୍ୟାୟରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଭୋଟ୍ ଗ୍ରହଣ ହେବ । ତେବେ ମେ’ ୧୩ରୁ ଜୁନ୍ ୧ ତାରିଖ ମଧ୍ୟରେ ୪ଟି ପର୍ଯ୍ୟାୟରେ ରାଜ୍ୟରେ ଭୋଟ୍ ଗ୍ରହଣ ହେବ ଓ ଜୁନ୍ ୪ତାରିଖରେ ଭୋଟ ଗଣତି ହେବ। ଯାହାକୁ ନେଇ ଗତ ମାର୍ଚ୍ଚ ୨୪ ତାରିଖ ଦିନ ବିଜେପି ପକ୍ଷରୁ ଓଡ଼ିଶାର ୧୮ଟି ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଥିଲା ଅପରପକ୍ଷେ ଗତକାଲି ବିଜେଡି ୨ଟି ପର୍ଯ୍ୟାୟରେ ୧୫ ଟି ଲୋକସଭା ଆସନ ଓ ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ଏହି ତାଲିକାରେ ପୂର୍ବତନ ବ୍ରହ୍ମପୁର ସାଂସଦ ତଥା ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କ ନାଁ ରହି ନାହିଁ। ଆଉ ଏସବୁ ଭିତରେ ସିଦ୍ଧାନ୍ତ ବିଜେପିରେ ସାମିଲ ହେବା ନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି।

କୁହାଯାଉଛି ଯେ, ଲୋକସଭା ହେଉ କିମ୍ବା ବିଧାନସଭାର କୌଣସି ଆସନରୁ ବିଜେଡି ସିଦ୍ଧାନ୍ତଙ୍କୁ ଟିକେଟ ନ ଦେବାରୁ ସେ ବିଜେପିରେ ସାମିଲ ହୋଇପାରନ୍ତି। ତେବେ ବିଜେଡ଼ିରୁ ଇସ୍ତଫା ଦେଇଥିବା କଟକ ସାଂସଦ ଭର୍ତ୍ତୃହରି ମହତାବ, ଅଭିନେତା ସିଦ୍ଧାନ୍ତ ମହାପାତ୍ର, ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା ପ୍ରମୁଖ ବିଜେପିରେ ସାମିଲ ହୋଇପାରନ୍ତି। ଆଜି ସାଢେ ୨ଟା ସମୟରେ ବିଜେପି ମୁଖ୍ୟାଳୟ ମିଶ୍ରଣ ପର୍ବରେ ଏମାନେ ସମସ୍ତେ ବିଜେପିରେ ମିଶିବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି।

ସୂଚନା ଥାଉକି, ୨୦୦୯ ଓ ୨୦୧୪ରେ ବ୍ରହ୍ମପୁର ସାଂସଦ ଭାବେ ନିର୍ବାଚିତ ହୋଇଥିବା ସିଦ୍ଧାନ୍ତ ମହାପାତ୍ର ୨୦୧୯ରେ ନିର୍ବାଚନ ଲଢି ନ ଥିଲେ । କିନ୍ତୁ ୨୦୨୪ରେ ବିଜେଡି ମୁଖିଆ ସୁଯୋଗ ଦେଲେ ନିହାତି ଲଢିବେ ବୋଲି ସେ କହିଥିଲେ । ତେବେ କିଛି ମାସ ତଳେ ସିଦ୍ଧାନ୍ତ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ସକ୍ରିୟ ଥିଲେ। କିନ୍ତୁ ପରେ ନିଜକୁ ସବୁ ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରଖିଥିଲେ। ହେଲେ ଏବେ ନିକଟରେ ସେ ନିର୍ବାଚନ ଲଢ଼ିବା ନେଇ ଇଚ୍ଛା ପ୍ରକାଶ କରିଥିଲେ।

 

Get real time updates directly on you device, subscribe now.