fbpx

ଅଷ୍ଟ୍ରେଲିଆକୁ ଝଟକା: ସେମି ଫାଇନାଲରେ ପ୍ରବେଶ କଲା ଆଫଗାନିସ୍ତାନ: ବାଂଲାଦେଶ ୮ ରନରେ ପରାସ୍ତ

Advertisement

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆକୁ ଲାଗିଛି ଏକ ଶକ୍ତ ଝଟକା । ବାଂଲାଦେଶକୁ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶର ପରାଜୟ ଏବଂ ଆଫଗାନିସ୍ତାନର ବିଜୟ ଅଷ୍ଟ୍ରେଲିଆର ବିଶ୍ୱକପ ସ୍ୱପ୍ନକୁ ଧୂଳିସାତ୍ କରି ଦେଇଛି । ବାଂଲାଦେଶ ବିପକ୍ଷରେ ଛୋଟ ଟାର୍ଗେଟ ଦେଇ ମଧ୍ୟ ଦମଦାର ବୋଲିଂ ବଳରେ ବିଜୟ ହାସଲ କରିଛି ଆଫଗାନିସ୍ତାନ । ଏଥିସହ ଟି-୨୦ ବିଶ୍ୱକପରେ ଦଳ ପ୍ରଥମ ଥର ସେମିଫାଇନାଲରେ ପ୍ରବେଶ କରିଛି । ତେବେ ସେମି ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ରାଶିଦ ସେନା ।

ସୁପର-୮ ପର୍ଯ୍ୟାୟର ଶେଷ ମ୍ୟାଚରେ ବାଂଲାଦେଶକୁ ଚକମା ଦେଇ ସେମି ଫାଇନାଲ ଟିକେଟ ହାସଲ କରିଛି ଆଫଗାନିସ୍ତାନ । ପ୍ରଥମେ ବ୍ୟାଟିଂ କରି ମାତ୍ର ୧୧୬ ରନର ଲକ୍ଷ୍ୟ ଦେବାରେ ସଫଳ ହୋଇଥିଲା ରାଶିଦ ସେନା । ଏହି ଛୋଟ ଲକ୍ଷ୍ୟକୁ ହାସଲ କରିବାରେ ମଧ୍ୟ ଫେଲ ମାରିଛି ବାଂଲାଦେଶ । ଅଧିନାୟକ ରାଶିଦ ଖାନ୍ ଏବଂ ନବୀନ ଉଲ୍-ହକଙ୍କ ଖତରନାକ ବୋଲିଂରେ ବାଂଲାଦେଶ ଟି-୨୦ ବିଶ୍ୱକପରେ ଏକ ଲଜ୍ଜାଜନକ ପରାଜୟର ସାମନା କରିଛି । ୧୧୬ ରନର ପିଛା କରି ବାଂଲାଦେଶ ୧୭.୫ ଓଭରରେ ମାତ୍ର ୧୦୫ ରନରେ ଅଲଆଉଟ ହୋଇ ପାଭିଲିୟନ ଫେରିଛି । ଷ୍ଟାର ଓପନର ଲଟନ ଦାସଙ୍କ ବ୍ୟତୀତ ଅନ୍ୟ କୌଣସି ଖେଳାଳି ରାଶିଦ-ନବୀନଙ୍କ ବଲକୁ ସାମନା କରି ପାରି ନାହାନ୍ତି ।

ଲିଟନ୍ ସର୍ବାଧିକ ୫୪ ରନ୍ କରିଥିବା ବେଳେ ବାଂଲାଦେଶ ୧୦୫ ରନରେ ଅଲଆଉଟ ହୋଇଛି । ଫଳରେ ଆଫଗାନିସ୍ତାନ ଏହି ମ୍ୟାଚରେ ୮ ରନରେ ବିଜୟ ହାସଲ କରିଛି । ବର୍ଷା ଯୋଗୁଁ ଡିଏଲଏସ ମେଥଡରେ ବାଂଲାଦେଶକୁ ୧୧୪ ରନର ଲକ୍ଷ୍ୟ ମିଳିଥିଲେ ମଧ୍ୟ ଏହାକୁ ହାସଲ କରିବାରେ ସଫଳ ହୋଇ ପାରିନାହିଁ ବାଂଲାଦେଶ । ଫଳରେ ନବୀନ ନିଜ ଶେଷ ଓଭରର ଚତୁର୍ଥ ଏବଂ ପଞ୍ଚମ ବଲରେ ୨ଟି ୱିକେଟ ନେଇ ଆଫଗାନିସ୍ତାନର ବିଜୟ ପକ୍କା କରିଛନ୍ତି । ଏହି ମ୍ୟାଚରେ ନବୀନ ଉଲ୍ ହକ୍ ଏବଂ ରାଶିଦ ଖାନ୍ ୪ଟି ଲେଖାଏଁ ୱିକେଟ ହାସଲ କରିଥିବା ବେଳେ ଫଜଲ ଫାରୁକୀ ଏବଂ ଗୁଲବଦିନ ନାଏକ ଗୋଟିଏ ଲେକାଏଁ ସଫଳତା ହାସଲ କରିଛନ୍ତି ।

ତେବେ ଆଫଗାନିସ୍ତାନର ଏହି ବିଜୟରେ ଅଷ୍ଟ୍ରେଲିଆର ସେମି ଫାଇନାଲ ସ୍ୱପ୍ନ ଭାଙ୍ଗି ଚୁରମାର ହୋଇଯାଇଛି । ଅଷ୍ଟ୍ରେଲିଆ ଏବଂ ଆଫଗାନିସ୍ତାନ ସୁପର-୮ ମୁକାବିଲାରେ ଗୋଟିଏ ଲେଖାଏଁ ମ୍ୟାଚ ଜିତିଥିବା ବେଳେ ଆଜିର ମ୍ୟାଚ ଖୁବ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଆଫଗାନିସ୍ତାନ ମ୍ୟାଚରେ ପରାସ୍ତ ହୋଇଥିଲେ ଅେ୍େଟ୍ରଲିଆକୁ ସେମି ଫାଇନାଲ ଟିକେଟ ମିଳି ଥାନ୍ତା । କିନ୍ତୁ ବାଂଲାଦେଶକୁ ପରାସ୍ତ କରି ୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି ଆଫଗାନିସ୍ତାନ । ଏହାସହିତ ବିଶ୍ୱକପର ରାଶିଦ ସେନା ପ୍ରଥମ ଥର ପାଇଁ ସେମି ଫାଇନାଲରେ ପ୍ରବେଶ କରିବାର ସୁଯୋଗ ପାଇଛି । ତେବେ ଜୁନ୍ ୨୬ ତାରିଖରେ ସେମି ଫାଇନାଲ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଆଫଗାନିସ୍ତାନ ।

 

Get real time updates directly on you device, subscribe now.