ଆଫଗାନିସ୍ତାନରେ ଅଚାନକ୍ ଆସିଥିବା ଭୟଙ୍କର ବନ୍ୟାରେ ସବୁକିଛି ଧ୍ୱଂସ: ଗୋଟିଏ ରାତିରେ ଅତି କମରେ ୨୦୦ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ଅଚାନକ୍ ଆସିଥିବା ଭୟଙ୍କର ବନ୍ୟାରେ ହଜାର ହଜାର ଜୀବନ ଯାଇଛି । କେବଳ ଗୋଟିଏ ଅଞ୍ଚଳରେ ଏହି ବନ୍ୟାରେ ଅତି କମରେ ୨୦୦ ଜଣଙ୍କର ମୃତ୍ୟୁ ଘଟିଛି । ବନ୍ୟା ଜଳ ହଜାର ହଜାର ଘର ନଷ୍ଟ କରିଦେଇଛି ।

ବାଗଲାନ ପ୍ରଦେଶରେ ଏହି ବନ୍ୟା ଅତ୍ୟଧିକ ବର୍ଷା ହେତୁ ହୋଇଛି । ମିଳିତ ଜାତିସଂଘ ୨୦୦ ରୁ ଅଧିକ ମୃତ୍ୟୁକୁ ନିଶ୍ଚିତ କରିଛି । ମିଳିତ ଜାତିସଂଘର ଶରଣାର୍ଥୀ ସଂଗଠନ ବନ୍ୟା ପୀଡିତଙ୍କୁ ସାହାଯ୍ୟ କରିବାରେ ନିୟୋଜିତ ଅଛି ।

ଏକ ରିପୋର୍ଟ ଅନୁଯାୟୀ, ବାଗଲାନର ବାଗଲାନି ଜାଦିଦ୍ ଜିଲ୍ଲାରେ ପ୍ରାୟ ୧୫୦୦ ଘର ନଷ୍ଟ ହୋଇଯାଇଛି । ଏଠାରେ ଅତି କମରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଛି । ଆଫଗାନିସ୍ତାନ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଲୋକଙ୍କୁ ସାହାଯ୍ୟ କରିବାରେ ବ୍ୟସ୍ତ ଅଛନ୍ତି । ତାଲିବାନ ସରକାର ଆନୁଷ୍ଠାନିକ ଭାବେ ଜଣାଇଛନ୍ତି ଯେ ଶୁକ୍ରବାର ରାତିରେ ୬୨ ଜଣଙ୍କର ମୃତ୍ୟୁ ହୋଇଛି । ବାଗଲାନ ସମେତ ଆଫଗାନିସ୍ତାନର ଅନେକ ପ୍ରଦେଶରେ ହଠାତ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ପରେ ଅଚାନକ୍ ବନ୍ୟା ଉତ୍ତର-ପୂର୍ବ ବାଦକଶାନ ପ୍ରଦେଶ, ସେଣ୍ଟ୍ରାଲ ଗୋର ପ୍ରଦେଶ ଏବଂ ପଶ୍ଚିମ ହେରାଟରେ ମଧ୍ୟ ବିପଦ ସୃଷ୍ଟି କରିଛି । ଉତ୍ତର ତାଖର ପ୍ରଦେଶରେ ଅତି କମରେ ୨୦ ଟି ମୃତଦେହ ମିଳିଛି ।

ଆଫଗାନିସ୍ତାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ଆମର ଶହ ଶହ ନାଗରିକ ବନ୍ୟାର ଶିକାର ହୋଇଛନ୍ତି ।

ତେବେ ଆଫଗାନିସ୍ତାନ ପାଗ ପ୍ରଭାବରେ ସବୁଠାରୁ ସମ୍ବେଦନଶୀଳ ଦେଶ । ଏଠାରେ ସାଧାରଣତଃ ଡ୍ରାଇ ୱିଣ୍ଟର ଥାଏ କିନ୍ତୁ ବହୁତ ବର୍ଷା ମଧ୍ୟ ହୋଇଥାଏ । ପାଣିପାଗର କ୍ଷତି ଭୋଗୁଥିବା ଏହି ଦେଶ ପ୍ରାୟ ଚାରି ଦଶନ୍ଧି ଧରି ଯୁଦ୍ଧ ସ୍ଥିତିରେ ଅଛି । ଏହି କାରଣରୁ ଏହା ଅତ୍ୟନ୍ତ ଗରିବ ଦେଶମାନଙ୍କ ମଧ୍ୟରେ ଗଣାଯାଏ ।