fbpx
BSKY
BJD YOUTH SKY
BJD MS SKY

ବାହାନଗା ଟ୍ରେନ ଟ୍ରାଜେଡି: ୧୨ ଦିନ ପରେ ବି ଆସୁନି DNA ରିପୋର୍ଟ, କେମିତି ହେବ ଅନ୍ତିମ ସଂସ୍କାର?

ବାଲେଶ୍ୱର: ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୨୮୮ରୁ ଅଧିକ ଯାତ୍ରୀ । ଏମାନଙ୍କ ମଧ୍ୟରୁ ଅନେକ ମୃତକଙ୍କ ଶବ ନେବା ପାଇଁ ପରିବାର ଲୋକ ଏପର୍ଯ୍ୟନ୍ତ ଡିଏନଏ ଟେଷ୍ଟକୁ ଅପେକ୍ଷା କରି ରହିଛନ୍ତି । କିନ୍ତୁ ଶବ ନ ମିଳିବାରୁ ଆଜି ଯାଏ ଅନ୍ତିମ ସଂସ୍କାର ମଧ୍ୟ ହୋଇପାରି ନାହିଁ । ଏମିତି ଏକ ଖବର ଦେଖିବାକୁ ମିଳିଛି ବିହାର ଦିହାଡି ଅଞ୍ଚଳର ଜଣେ ଶ୍ରମିକ ବିଜେନ୍ଦ୍ର ଋଷିଧରଙ୍କ କ୍ଷେତ୍ରରେ । ପୁଅର ଶବ ପାଇଁ କରଜ କରି ଓଡିଶାକୁ ଆସିବାର ସପ୍ତାହେ ପରେ ବି ମୃତଦେହ ନେଇ ପାରିନାହାନ୍ତି ।

ସୂଚନା ଅନୁସାରେ, ବାହାନଗା ଦୁର୍ଘଟଣାରେ ୨୮୮ ଜଣଙ୍କ ମଧ୍ୟରେ ଋଷିଧରଙ୍କ ପୁଅ ସୁରଜ ମଧ୍ୟ ପ୍ରାଣ ହରାଇଥିଲେ । ଏ ବିଷୟରେ ଜାଣିବା ପରେ ଋଷିଧର ଟଙ୍କା ଉଧାର ନେଇ ଓଡିଶା ଧାଇଁ ଆସିଥିଲେ ପୁଅର ଶବକୁ ଘରକୁ ନେଇ ଯିବା ପାଇଁ । ଭୁବନେଶ୍ୱର ଏମ୍ସରେ ପହଞ୍ଚି ସେ ଗତ ୫ ତାରିଖରେ ସୁରଜଙ୍କ ଶବ ମଧ୍ୟ ଚିହ୍ନଟ କରି ସାରିଛନ୍ତି । କିନ୍ତୁ ଶବ ପରୀକ୍ଷଣ ପାଇଁ ହୋଇଥିବା ଡିଏନଏ ଟେଷ୍ଟର ରିପୋର୍ଟ ପାଇଁ ଆଜି ପର୍ଯ୍ୟନ୍ତ ସେ ଅପେକ୍ଷା କରି ରହିଛନ୍ତି । ଋଷିଧର କହିଛନ୍ତି ଯେ, ଏକ ସପ୍ତାହରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ଡିଏନଏ ରିପୋର୍ଟ ଆସିବାରେ ବିଳମ୍ବ ହେବାରେ ଲାଗିଛି । ମୁଁ ଜଣେ ଶ୍ରମିକ, ତେଣୁ ଦିହାଡିରୁ ଓଡିଶାକୁ ଆସିବା ପାଇଁ ଟଙ୍କା ଉଧାର ନେଇ ଆସିଥିବା ସେ କହିଛନ୍ତି ।

ତାଙ୍କ ବ୍ୟତୀତ ପଶ୍ଚିମବଙ୍ଗ ମାଳଦାର ଅଶୋକ ରୁବି ଦାସ ମଧ୍ୟ ନିଜ ଭାଇ କୃଷ୍ଣାଙ୍କ ମୃତଦେହ ନେବା ପାଇଁ ଅପେକ୍ଷା କରି ରହିଛନ୍ତି । ଯଶୋବନ୍ତପୁର-ହାୱଡା ଏକ୍ସପ୍ରେସରେ ଘରକୁ ଫେରୁଥିବା ଏକ୍ସପ୍ରେସରେ ଯାତ୍ରା କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି କୃଷ୍ଣା । ତେବେ ମୃତଦେହକୁ ଚିହ୍ନଟ କରିବା ପରେ ମଧ୍ୟ ଅଶୋକ ନିଜ ଭାଇଙ୍କ ଶବ ପାଇବା ପାଇଁ ଅପେକ୍ଷା କରି ରହିଛନ୍ତି । ତେବେ ଏହି ଡିଏନଏ ରିପୋର୍ଟ ଆସିବା ପାଇଁ ଆହୁରି କେତେ ସମୟ ଲାଗିବ ବୋଲି ସେ ପ୍ରଶ୍ନ କରିଛନ୍ତି । ମୃତଦେହ ବିନା ଅନ୍ତିମ ସଂସ୍କାର କେମିତି ହୋଇପାରିବ ?

Get real time updates directly on you device, subscribe now.