fbpx

କାନପୁର ଟେଷ୍ଟ ଡ୍ର ପରେ ଭାରତୀୟ କୋଚ୍ ଦ୍ରାବିଡ ନେଲେ ବଡ ନିଷ୍ପତ୍ତି, ସଭିଏଁ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ : କାନପୁରର ଗ୍ରୀନପାର୍କ ଷ୍ଟାଡିୟମକୁ ପ୍ରଶଂସା କଲେ ଭାରତୀୟ କ୍ରିକେଟ୍ ଦଳର ନବ ନିଯୁକ୍ତ କୋଚ୍ ରାହୁଲ ଦ୍ରାବିଡ। ଏପରିକି ପିଚ୍ ପ୍ରସ୍ତୁତ କରିଥିବା କର୍ମଚାରୀଙ୍କୁ ୩୫ ହଜାର ଟଙ୍କା ଦେଇ ସମ୍ମାନିତ କରିଛନ୍ତି ଦ ଓ୍ଵାଲ। ଭାରତରେ ଜନ୍ମିତ ଏଜାଜ ପଟେଲ୍ ଓ ରଚିନ ରବିନ୍ଦ୍ର ସୋମବାର ଗ୍ରୀନ ପାର୍କରେ ଧୈର୍ଯ୍ୟ ଏବଂ ସଂଯମତାର ପରିଚୟ ଦେଇ ନ୍ୟୁଜିଲାଣ୍ଡକୁ ପରାଜୟ ମୁହଁରୁ ବଞ୍ଚାଇଛନ୍ତି। ଉତ୍ତର ପ୍ରଦେଶ କ୍ରିକେଟ୍ ସଂଘ(ୟୁପିସିଏ) ଖେଳ ପରେ ଘୋଷଣା କରିଛନ୍ତି ଯେ, ରାହୁଲ ଦ୍ରାବିଡ ପଡିଆ କର୍ମଚାରୀଙ୍କୁ ବ୍ୟକ୍ତିଗତ ଭାବେ ୩୫୦୦୦ ଟଙ୍କା ଦେଇଛନ୍ତି।
ନିଜ ସମୟରେ ଦ୍ରାବିଡ ନିରପେକ୍ଷ କ୍ରୀଡା ଭାବନା ପାଇଁ ପରିଚିତ। ଦ୍ରାବିଡ ସର୍ବଦା ଚେଷ୍ଟା କରି ଆସିଛନ୍ତି ଯେ, ଟେଷ୍ଟ କ୍ରିକେଟ୍ ପାଞ୍ଚ ଦିନ ଯାଏ ଚାଲୁ। ଆଦର୍ଶ ପିଚ୍ ହେଉ। ଦ୍ରାବିଡ ପଡିଆ କର୍ମଚାରୀଙ୍କ ପ୍ରଶଂସା ଏଥିପାଇଁ କରିଛନ୍ତି କାରଣ ବର୍ତ୍ତମାନ ସମୟରେ ଅନେକ ବିଦେଶୀ ଦଳ ନିଜ ଫାଇଦା ପାଇଁ ନିଜ ପରିବେଶ ଉପଯୋଗୀ ପ୍ରସ୍ତୁତ କରିଥାନ୍ତି। ଫଳସ୍ଵରୂପ ଟେଷ୍ଟ ତିନି ଦିନରେ ଶେଷ ହୋଇ ଯାଉଛି।
ଅଷ୍ଟ୍ରେଲିଆ ପିଚ୍ ବାଉନ୍ସ ପାଇଁ ପରିଚିତ ତ ଇଂଲଣ୍ଡର ପିଚ୍ ସ୍ଵିଙ୍ଗ୍। ଭାରତରେ ସ୍ପିନ୍ ଏବଂ ଲୋ ବାଉନ୍ସ ବ୍ୟାଟସମ୍ୟାନଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇଥାଏ। କାନପୁର ପିଚ୍ ବହୁତ ଭଲ ଥିଲା। ପିଚ୍ ପାଞ୍ଚ ଦିନ ସମାନ ବ୍ୟବହାର କରିଥିଲା। ତେଣୁ ଦ୍ରାବିଡ ପଡିଆ କର୍ମୀଙ୍କୁ ପ୍ରୋତ୍ସାହନ ରାଶି ଦେବା ଏହାର ପ୍ରମାଣ। ଭାରତ ଦ୍ଵାରା ଧାର୍ଯ୍ୟ ୨୮୪ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଶେଷ ଦିନରେ ନ୍ୟୁଜିଲାଣ୍ଡ ୯ ଓ୍ଵିକେଟ୍ ହରାଇ ୧୬୫ ରନ କରିଥିଲା।
ଗୋଟିଏ ଭଲ ଦଳକୁ ଦୁନିଆର ଭିନ୍ନ ଭିନ୍ନ ଅଞ୍ଚଳରେ ଅଲଗା ଅଲଗା ପିଚ୍ରେ ଖେଳିବାକୁ ପଡିଥାଏ। କିନ୍ତୁ କାନପୁର ଟେଷ୍ଟର ପିଚ୍ ପାଞ୍ଚ ଦିନ ସମାନ ବ୍ୟବହାର କରିଥିଲା। ଦୁଇ ଦଳ ପାଖରେ ଜିତିବାର ସୁଯୋଗ ରହିଥିଲା। ପିଚ୍ରେ ଚମତ୍କାର ଟେକନିକର ପରିଚୟ ଦେଇ ଶ୍ରେୟସ ଆୟର, ଶୁବମାନ ଗିଲ୍, ଟମ୍ ଲାଥମ ଏବଂ ଓ୍ଵିଲ୍ ୟଙ୍ଗ ପରି ବ୍ୟାଟସମ୍ୟାନ୍ ରନ କରିଥିବା ବେଳେ ଟିମ୍ ସାଉଦି ଏବଂ କାଇଲ ଜେମିସନ ଭାରତର ଟପ୍ ଅର୍ଡରକୁକ ହଇରାଣରେ ପକାଇଥିଲେ। ପିଚ୍ରେ ଭାରତୀୟ ସ୍ପିନରଙ୍କ ପାଇଁ ମଧ୍ୟ ବେଶ୍ ଅନୁକୂଳ ଥିଲା।

Get real time updates directly on you device, subscribe now.