ଆଜି ଧସ୍ତାଧସ୍ତି ପରେ, ଆସନ୍ତା କାଲି ବିଧାନସଭା ଘେରିବ କଂଗ୍ରେସ
ଆଜି ରଣକ୍ଷେତ୍ର ପାଲଟିଥିଲା ବିଧାନସଭା ସମ୍ମୁଖ। କାଲି ବି ବିଧାନସଭା ଘେରିବାକୁ ରାଜ୍ୟ ସାରାର କଂଗ୍ରେସ କର୍ମୀ ଏକଜୁଟ ହେବେ। ଆଉ ଏହି ଆନ୍ଦୋଳନର ନେତୃତ୍ୱ ନେବେ ମହିଳା।
ଭୁବନେଶ୍ୱର: ବିଧାନସଭା ବାହାରେ ଆଜିର ହାଇଡ୍ରାମା ପରେ ପୁଣି ଥରେ ଆସନ୍ତା କାଲି ବିଧାନସଭା ଘେରିବ କଂଗ୍ରେସ। ଆସନ୍ତା କାଲି ବିଧାନସଭା ଘେରିବା ନେଇ ଡାକରା ଦେଇଛି ବିରୋଧୀ କଂଗ୍ରେସ। କେବଳ କଂଗ୍ରେସର ବିଧାୟକ କିମ୍ୱା ସ୍ଥାନୀୟ କର୍ମୀ ନୁହଁନ୍ତି।
ବରଂ ରାଜ୍ୟ ସାରାରୁ ସାମିଲ ହେବେ ହଜାର ହଜାର କଂଗ୍ରେସ କର୍ମୀ। ରାମ ମନ୍ଦିର ସାମ୍ନାରୁ ପଦଯାତ୍ରାରେ ବାହାରି ବିଧାନସଭା ପର୍ଯ୍ୟନ୍ତ ରାଲି କରି ଯିବେ କଂଗ୍ରେସ। ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଆନ୍ଦୋଳନର ନେତୃତ୍ୱ ନେବେ ମହିଳା।
ବିଧାନସଭା ଘେରିବ କଂଗ୍ରେସ: ହଁ ଆସନ୍ତା କାଲି ବିଧାନସଭା ଘେରିବା ନେଇ ଡାକରା ଦେଇଛି କଂଗ୍ରେସ। ଗୋଟେପଟେ ବିଧାନସଭାରୁ ଅଲଆଉଟ୍ ହୋଇସାରିଛନ୍ତି କଂଗ୍ରେସ ବିଧାୟକ। ଅର୍ଥାତ୍ ବିଧାନସଭାରୁ ୭ ଦିନ ପାଇଁ କଂଗ୍ରେସର ସମସ୍ତ ୧୪ ବିଧାୟକଙ୍କୁ ନିଲମ୍ୱନ କରିଛନ୍ତି ବାଚସ୍ପତି।
ଆଉ ପରେ ଆଜି ବିଧାନସଭା ବାହାରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ପୋଲିସ ସହ କଂଗ୍ରେସର ଧସ୍ତାଧସ୍ତି ସହ ବିଧାନସଭା ଗେଟ୍ ଏବଂ ପୋଲିସର ବ୍ୟାରିକେଟ୍ ମଧ୍ୟ ଭାଙ୍ଗି ଦେଇଥିଲେ ବିରୋଧୀ। କହିବାକୁ ଗଲେ ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ବିଧାନସଭା ବାହାରେ ଏପରି ରଣକ୍ଷେତ୍ର ଦେଖିବାକୁ ମିଳିଥିଲା।
ଆଉ ତା ସହ ଆଜି ସିନା କେବଳ ବିଧାୟକ ଏବଂ କିଛି ଜଣ କଂଗ୍ରେସ କର୍ମୀ ଏହି ପ୍ରତିବାଦରେ ଯୋଗ ଦେଇଥିଲେ। ହେଲେ ଆସନ୍ତା କାଲି ପ୍ରତିବାଦ ଆହୁରି ଜୋରଦାର କରିବ କଂଗ୍ରେସ। କାରଣ କାଲି ବିଧାନସଭା ଘେରିବାକୁ ଡାକରା ଦେଇଛି ରାଜ୍ୟ କଂଗ୍ରେସ। ଯାହାର ନେତୃତ୍ୱ ନେବେ ମହିଳା।
ନେତୃତ୍ୱ ନେବେ ମହିଳା: ତେବେ ଏନେଇ ଆଜି ପିସିସି ସଭାପତିଙ୍କ ନେତୃତ୍ୱରେ ବୈଠକ ଅନୁଷ୍ଠିତ ହୋଇସାରିଛି। ସେହି ବୈଠକରେ ଦଳର ସମସ୍ତ ବିଧାୟକଙ୍କ ସହିତ ବରିଷ୍ଠ ନେତା ମଧ୍ୟ ସାମିଲ ଥିଲେ।
ଆସନ୍ତାକାଲି ଏହି ଆନ୍ଦୋଳନ ଅନୁଷ୍ଠିତ ହେବ। ରାଜ୍ୟ ସାରାରୁ ସାମିଲ ହେବେ ହଜାର ହଜାର କର୍ମୀ। ରାମ ମନ୍ଦିର ସାମ୍ନାରୁ ପଦଯାତ୍ରାରେ ବାହାରି ବିଧାନସଭା ପର୍ଯ୍ୟନ୍ତ ଯିବ ରାଲି। ଏହି ଆନ୍ଦୋଳନର ନେତୃତ୍ୱ ନେବେ ମହିଳା। ନାରୀ ନିର୍ଯାତନା ପ୍ରସଙ୍ଗ ସହିତ ବିଧାନସଭା ଭିତରେ କଂଗ୍ରେସ ବିଧାୟକଙ୍କୁ ଯେଉଁଭଳି ଭାବରେ ଅସମ୍ମାନ କରାଯାଇଅଛି ତାକୁ ନେଇ ସରକାରଙ୍କୁ ପ୍ରଶ୍ନ କରିବ ଦଳ।