fbpx

(Video) ଦୁଇଭାଇ ଆଉ ବାପା ଚାଲିଗଲା ପରେ ଏବେ ସହିଦ ହୋଇଗଲେ ସୁଶାନ୍ତ: ଘର ହୋଇଗଲା ପୁରୁଷଶୂନ୍ୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦଇବ ଯାହାକୁ ଦୁଃଖ ଦେବ ତାହାକୁ ରୋକିବାର ଶକ୍ତି କାହାର ନଥାଏ । ଅନେକ ସମୟରେ ଟିକିଏ ଦୁଃଖ କାରଣରୁ ଆମର ଆଖିରୁ ଲୁହ ଝରିଯାଏ । ମାତ୍ର ଥରେ ଭାବନ୍ତୁ ଯେଉଁ ପରିବାରର ବାପା, ଭାଇ ଅଳ୍ପ ଦିନ ବ୍ୟବଧାନରେ ଚାଲିଯାଆନ୍ତି, ସେ ଘରର ଅବସ୍ଥା କିପରି ରହିଥିବ । ସ୍ୱାମୀଙ୍କୁ ହରାଇ ଗୋଟିଏ ନିରୀହ ପତ୍ନୀ, ଭାଇକୁ ହରାଇ ଭଉଣୀ ଓ ଅଳ୍ପଦିନ ପୂର୍ବରୁ ବିବାହ କରିଥିବା ପତିଙ୍କୁ ହରାଇ ଗୋଟିଏ ନାରୀର ମନ କ’ଣ ହେଉଥିବ ।

ଆଜି ଝାଡ଼ଖଣ୍ଡର ଚାଇବସାରେ ନକ୍ସଲଙ୍କ ଆକ୍ରମଣରେ ଜଣେ ଓଡ଼ିଆ ପୁଅ ସହିଦ ହୋଇଛନ୍ତି । ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ)ରେ ଯବାନ ଭାବେ କାର୍ଯ୍ୟରତ କେନ୍ଦୁଝର ଜିଲ୍ଲା ଆନନ୍ଦପୁରର ପୌରାଞ୍ଚଳର ୪ ନମ୍ବର ୱାର୍ଡର ବାସିନ୍ଦା ସୁଶାନ୍ତ ଆଜି ଦେଶ ମାତୃକା ପାଇଁ ପ୍ରାଣବଳୀ ଦେଇଛନ୍ତି । ସୁଶାନ୍ତଙ୍କ ସହିତ ଆଉ ଜଣେ ଯବାନ ଉତ୍ତରପ୍ରଦେଶର ମୁନ୍ନା ଯାଦବ ମଧ୍ୟ ଗୁରୁତର ହୋଇଛନ୍ତି । ମୁନ୍ନାଙ୍କୁ ଚିକିତ୍ସା ନିମନ୍ତେ ରାଞ୍ଚି ସ୍ଥାନାନ୍ତର କରାଯାଇଛି ।

ତେବେ ଓଡ଼ିଆ ପୁଅ ସୁଶାନ୍ତ ଆଜି ସହିଦ ହୋଇନାହାନ୍ତି ଯେ ସମସ୍ତଙ୍କର ଆଖିରେ ଲୁହ ଭରି ଦେଇଯାଇଛନ୍ତି । ସୁଶାନ୍ତଙ୍କ ଜୀବନର କାହାଣୀ ଶୁଣିଲେ ଯେ କେହି ବି ମର୍ମାହତ ହୋଇ ପଡ଼ିବ । ଗତ ୨୦୨୦ ମସିହା ଫେବୃଆରୀ ମାସ ୭ ତାରିଖରେ ସୁଶାନ୍ତଙ୍କ ପିତା ଆତୁଳ ଖୁଣ୍ଟିଆଙ୍କ ପରଲୋକ ଘଟିଥିଲା । ଏହାପରେ ୨୦୨୨ ମସିହାରେ ମଝିଆଁ ଭାଇ କ୍ୟାନସରରେ ପ୍ରାଣ ହରାଇଥିଲେ । ଜାମସେଦପୁରରେ ଚାକିରି କରୁଥିବା ସମୟରେ ଚଳିତ ବର୍ଷ ଜାନୁଆରୀରେ ବଡ଼ ଭାଇ ମୃତ୍ୟୁବରଣ କରିଥିଲେ । ଗତ ଜୁନ ମାସ ୨ ତାରିଖରେ ବିବାହ କରିଥିବା ସୁଶାନ୍ତ ଏବେ ସହିଦ ହୋଇଯାଇଛନ୍ତି । ସୁଶାନ୍ତଙ୍କ ପରିବାରର ଦୁଃଖ ଏତିକିରେ ସରିନାହିଁ । ତାଙ୍କର ମାଆ ଏବେ ରାଜଧାନୀ ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସାଧୀନ ହେଉଛନ୍ତି । ସତରେ ଏପରି ଦୁଃଖ ଭଗବାନ କାହା ଭାଗ୍ୟରେ ନ ଦିଅନ୍ତୁ, ଏତିକି ହିଁ ହୃଦୟରୁ କହିବାକୁ ଇଚ୍ଛା ହେଉଛି ।

Get real time updates directly on you device, subscribe now.