fbpx

ବିଶ୍ୱକପ୍ ପୁର୍ବରୁ ଚିନ୍ତାରେ ଭାରତୀୟ ଚୟନ କମିଟି, ମଧ୍ୟକ୍ରମର ବ୍ୟାଟିଂ ଦୁର୍ବଳତା ବଢାଇଛି ଟେନ୍‌ସନ୍‌

ନୂଆଦିଲ୍ଲୀ: ଭାରତ ଆଗାମୀ ଦିନିକିଆ ବିଶ୍ୱକପ୍ ଆୟୋଜନ କରୁଥିବା ବେଳେ ଭାରତୀୟ ଟିମ୍ ଲାଇନ୍ ଅପ୍ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇପାରି ନାହିଁ । ଦଳରେ ବ୍ୟାଟିଂ କ୍ରମକୁ ନେଇ ଲାଗି ରହିଥିବା ଅସ୍ଥିରତା ମ୍ୟାନେଜମେଣ୍ଟ ପାଇଁ ଚିନ୍ତାର କାରଣ ପାଲଟିଛି । ଅଧିନାୟକ ରୋହିତ ଶର୍ମା ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ଯୁବରାଜ ସିଂହଙ୍କ ପରେ ଭାରତୀୟ ଦଳ ୪ନଂ ସ୍ଥାନରେ ଜଣେ ଭରଷାଯୋଗ୍ୟ ବ୍ୟାଟର୍ ପାଇ ପାରିନାହିଁ । ଅନେକ ପରୀକ୍ଷା ନିରିକ୍ଷା ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ।

ଶ୍ରେୟସ୍ ଆୟର କିଛି ସମୟ ପାଇଁ ଏହି ସ୍ଥାନରେ ବ୍ୟାଟିଂ କରି ସଫଳ ହୋଇଥିଲେ । କିନ୍ତୁ ଇଂଜୁରୀ କାରଣରୁ ସେ ଦଳରୁ ଅନେକ ସମୟରେ ବାଦ୍ ପଡୁଛନ୍ତି । ଅସ୍ତ୍ରପୋଚାର ପରେ ଆୟର ଫିଟ୍ ହେଉଥିବା ବେଳେ ଏବେ ୪ନଂ ସ୍ଥାନ ପାଇଁ ଲମ୍ବା ଲାଇନ୍ ଲାଗିଛି । ସେହିଭଳି କେଏଲ୍‌. ରାହୁଲ ଫିଟ୍ ହେବା ପରେ ମଧ୍ୟ ତାଙ୍କର ପଞ୍ଚମ ସ୍ଥାନ ପାଇଁ ଆଗକୁ ପ୍ରତିଦ୍ୱିଦିତା ବଢିପାରେ । ଶ୍ରେୟସ୍‌ଙ୍କ ବାଦ୍ ବର୍ତ୍ତମାନ ସୂର୍ଯ୍ୟକମାର ଯାଦବ, ସଞ୍ଜୁୁ ସାମସନ୍‌, ଇଶାନ କିଶାନ ରହିଥିବା ବେଳେ ଏବେ ତିଲକ ବର୍ମାଙ୍କ ନାମ ଏହି ତାଲିକାରେ ସାମିଲ ହୋଇଛି ।

ଶୁଭମନ୍ ଗିଲ୍ ଓ ରୋହିତ ଶର୍ମା ଓପର ଦାୟିତ୍ୱ ତୁଲାଇବା ଏକ ପ୍ରକାର ସ୍ଥିର ହୋଇ ସାରିଛି । ଏହାପରେ ୩ ନମ୍ବରରେ ବିରାଟ କୋହଲି ରହିବେ । ୬ ଏବଂ ୭ ସ୍ଥାନ ପାଇଁ ହାର୍ଦିକ ପାଣ୍ଡ୍ୟା ଏବଂ ରବିନ୍ଦ୍ର ଝାଡେଜା ରହିଛନ୍ତି । ବାକି ରହିଲା ୪ ଏବଂ ୫ ନମ୍ବର ସ୍ଥାନ । ତେବେ ବର୍ତ୍ତମାନର ସ୍ଥିତିକୁ ଆକଳନ କଲେ ଶ୍ରେୟସ୍ ଏବଂ ରାହୁଲ ଫିଟ୍ ହେଲେ ଦଳରେ ସ୍ଥାନ ପାଇବେ ଓ ଅତିରିକ୍ତ ଉଇକେଟ୍ କିପର ଭାବେ ଇଶାନ ଦଳରେ ରହିପାରନ୍ତି । କିନ୍ତୁ ଯଦି ଏହି ଦୁଇଜଣ ଫିଟ୍ ନହୋଇ ପାରନ୍ତି ତେବେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ତିଲକଙ୍କ ମଧରେ ଲଢେଇ ହେବ ।

ସେହିଭଳି ଯଶପ୍ରୀତ ବୁମ୍ରା ଏବଂ ପ୍ରସିଦ୍ଧ କ୍ରିଷ୍ଣା ଫିଟ୍ ହେବାପରେ ଏସିଆ କପ୍‌ରେ ପ୍ରତିଦ୍ୱନଦିତା ବଢିବ । ଆୟରଲ୍ୟାଣ୍ଡ ଟି-୨୦ ସିରିଜ ଜରିଆରେ ଚୟନକର୍ତ୍ତା ସେମାନଙ୍କ ଉପରେ ନଜର ରଖିବେ । ତେବେ ଏସିଆ କପ୍‌ରେ ବୁମ୍ରା ଏବଂ ମହମ୍ମଦ ସିରାଜଙ୍କ ସ୍ଥାନ ପକା ହୋଇପାରେ । ଏହାପରେ ତୃତୀୟ ପେସ୍ ବୋଲର ଭାବେ ମହମ୍ମଦ ସାମୀଙ୍କୁ ସ୍ଥାନ ମିଳୀପାରେ ଏବଂ ଚତୁର୍ଥ ପେସ୍ ବୋଲର ଭାବେ ଶାର୍ଦୁଲ ଠାକୁର ଏବଂ ପ୍ରସିଦ୍ଧ କ୍ରିଷ୍ଣା ରହିପାରନ୍ତି । ତେବେ ମୁକେଶ କୁମାର କିମ୍ବା ଜୟଦେବ ଉନାଦକଟଙ୍କୁ ସ୍ଥାନ ମିଳିନପାରେ ।

ଏହାପରେ ସ୍ପିନର ବିଭାଗରେ ମଧ୍ୟ ଚୟନକର୍ତ୍ତା ଦ୍ୱନ୍ଦରେ ପଡ଼ିପାରନ୍ତି । ଭାରତ ଶ୍ରୀଲଙ୍କାରେ ଖେଳିବାକୁ ଥିବା ବେଳେ ସେଠାକାର ପିଚ୍ ସ୍ପିନରଙ୍କୁ ସୁହାଇଥାଏ । ତେବେ ଆଗକୁ ଭାରତରେ ବିଶ୍ୱକପ୍ ହେଉଥିବାରୁ ସ୍ପିନରଙ୍କ ଦାୟିତ୍ୱ ଅଧିକ ରହିବ । ତେବେ ଦଳରେ ଦୁଇ ଜଣ ସ୍ପିନର ଖେଳିବାକୁ ଥିବା ବେଳେ ୬ ଜଣ ଯାଦୁକାରି ସ୍ପିନର ରହିଛନ୍ତି । ଜାଡେଜା ସ୍ପିନ୍ ଅଲରାଉଣ୍ଡର ଭାବେ ଖେଳିବେ । ବର୍ତ୍ତମାନର ପ୍ରଦର୍ଶନକୁ ନଜର ଦେଲେ କୁଲଦୀପ ଯାଦବ ଦ୍ୱିତୀୟ ସ୍ପିନର ଭାବେ ଆରେ ରହିଛନ୍ତି । ତାଙ୍କ ବାଦ୍ ୟୁଜବେନ୍ଦ୍ର ଚହଲ, ରବି ବିଷ୍ଣୋଇ, ଅକ୍ଷର ପଟେଲ ଏବଂ ରବିଚନ୍ଦ୍ରନ୍ ଅଶ୍ୱିନୀ ମଧ୍ୟ ଦାବିଦାର ରହିଛନ୍ତି । ଏମାନଙ୍କ ବାଦ୍ ସିଙ୍ଗଟନ୍ ସୁନ୍ଦର ଅନ୍ୟ ଏକ ଚୟନ ରହିଥିଲେ ମଧ୍ୟ ଆହତ କାରଣରୁ ଦଳରୁ ବାହାରେ ରହିଛନ୍ତି ।

Get real time updates directly on you device, subscribe now.