fbpx

ବିଶ୍ୱକପ ପୂର୍ବରୁ ମନ କିଣି ନେଲେ ଶୁଭମନ ଗିଲ: ସାଜିଲେ ଭାରତର ତୃତୀୟ ଶତକବୀର

ନୂଆଦିଲ୍ଲୀ: ଦମଦାର ଫର୍ମକୁ ଫେରି ପାଇବା ପରେ ଭାରତ ପାଇଁ ସଙ୍କଟମୋଚକ ସାଜିଛନ୍ତି ଷ୍ଟାର ଓପନର ଶୁଭମନ ଗିଲ । ଶିଖର ଧୱନଙ୍କ ଅଭାବକୁ ପୂରଣ କରିବାରେ ସଫଳ ହୋଇଛନ୍ତି ଏହି ଷ୍ଟାର ଖେଳାଳି । ଆଜି ବାଂଲାଦେଶ ବିପକ୍ଷ ମ୍ୟାଚରେ ଭାରତର ବ୍ୟାଟିଂ ଅର୍ଡର ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଥିବା ବେଳେ ପ୍ରତିପକ୍ଷ ପାଇଁ କାଳ ସାଜିଛନ୍ତି ଶୁଭମନ । ଗୋଟିଏ ପଟରେ ଜଣକ ପରେ ଜଣେ ଖେଳାଳି ୱିକେଟ ଫିଙ୍ଗି ଫେରି ଆସିଥିବା ବେଳେ ଶୁଭମନ କ୍ରିଜରେ ଠିଆ ହୋଇ ଶତକ ଅର୍ଜନ କରିଛନ୍ତି । ଏହାସହିତ ଭାରତର ବିଜୟ ଆଶାକୁ ମଧ୍ୟ ନୂଆ ଦିଗ ଦେଇଛନ୍ତି ଗିଲ୍ ।

ବାଂଲାଦେଶର ୨୬୬ ଶୁଭମନ ରନକୁ ପିଛା କରି ପ୍ରଥମରୁ ଭାରତର ବ୍ୟାଟିଂ ଅର୍ଡର ଫେଲ ମାରିଥିଲା । ଅଧିନାୟକ ରୋହିତ ଏବଂ ତିଲକ ବର୍ମା ଶସ୍ତାରେ ଆଉଟ ହୋଇଥିବା ବେଳେ ରାହୁଲ ଏବଂ ଇଶାନ କିଶାନ ମଧ୍ୟ ଫେଲ ମାରିଥିଲେ । ତେବେ ସୂର୍ଯ୍ୟକୁମାରଙ୍କ ସହ ପାର୍ଟନରସିପକୁ ଆଗେଇ ନେବାକୁ ଚେଷ୍ଟା କରୁଥିଲେ ଶୁଭମନ । କିନ୍ତୁ ୨୬ ରନ୍ କରି ସୂର୍ଯ୍ୟକୁମାର ମଧ୍ୟ ଶୁଭମନଙ୍କ ହାତ ଛାଡ଼ି ଯାଇଥିଲେ । ଏହାପରେ ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ମଧ୍ୟ ଶୁଭମନଙ୍କ ସାଥ୍ ଛାଡ଼ି ଦେଇଥିଲେ । ତେବେ ଗୋଟିଏ ପଟେ ସମସ୍ତ ଖେଳାଳି ଜଣକ ପରେ ଜଣେ ଆଉଟ ହୋଇ ପାଭିଲିୟନ ଫେରୁଥିଲେ । କିନ୍ତୁ ଅନ୍ୟପଟେ ଏକା ଛିଡ଼ା ହୋଇ ବାଂଲାଦେଶୀ ବୋଲରଙ୍କୁ ସାମ୍ନା କରିଥିଲେ ଶୁଭମନ ଗିଲ । ଏହାଭିତରେ ସେ ନିଜର ଶତକ ହାସଲ କରି ଭାରତ ପାଇଁ ସଙ୍କଟ ମୋଚକ ସାଜିଛନ୍ତି । ଭାରତକୁ ପରାଜୟର ସଙ୍କଟରୁ ମୁକ୍ତ କରିଛନ୍ତି ଶୁଭମନ ଗିଲ୍ ।

ତେବେ ୪୩.୪ ଓଭରରେ ମେହେଦୀ ହସନଙ୍କ ବଲରେ ବଡ଼ ସଟ୍ ଖେଳିବାକୁ ଯାଇ ତାଓହିଦ ହୃଦୟଙ୍କ ହାତରେ କ୍ୟାଚ ହୋଇ ପାଭିଲିୟନ ଫେରିଛନ୍ତି । ଆଜିର ଭାରତ ପାଇଁ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ଶୁଭମନ ୧୩୩ ବଲରୁ ୧୨୧ ରନର ଏକ ଗୁରୁତ୍ୱପୂର୍ଣ୍ଣ ପାଳି ଖେଳି ଭାରତକୁ ବିଜୟର ଖୁବ ନିକଟରେ ପହଞ୍ଚାଇଛନ୍ତି । ତେବେ ଶୁଭମନଙ୍କ ବ୍ୟତୀତ ସୂର୍ଯ୍ୟକୁମାର ୨୬ ରନ ଏବଂ କେ.ଏଲ ରାହୁଲ ୧୯ ରନ୍ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ତିଲକ ଏବଂ ଇଶାନ ମାତ୍ର ୫ ରନ୍ ଲେଖାଏଁ କରିଥିବା ବେଳେ ରବିନ୍ଦ୍ର ଜାଡେଜା ୭ ରନ୍ କରି ପାଭିଲିୟନ ପେରିଛନ୍ତି । ଅଧିନାୟକ ରୋହିତ ଶର୍ମା ମାତ୍ର ଦୁଇଟି ବଲ ଖେଳି କୌଣସି ରନ୍ କରିବା ପୂର୍ବରୁ ନିଜ ୱିକେଟ ହରାଇଛନ୍ତି ।

Get real time updates directly on you device, subscribe now.