ଚଣ୍ଡିଗଡ଼: ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ସ୍ଵଦେଶ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ନିଜର ଅଭିଯାନକୁ ଜୋରଦାର କରିବା ସହ ଆଉ ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭାରତୀୟଙ୍କୁ ସୁରକ୍ଷିତ ବାହାର କରିବା ପାଇଁ ଜାରି ଅପରେସନ ଗଙ୍ଗାରେ ବାୟୁସେନାକୁ ସାମିଲ୍ କରିବାକୁ ଆଦେଶ ଦେଇଛନ୍ତି। ବାୟୁସେନା ସାମିଲ୍ ହେଲେ ଅଳ୍ପ ସମୟରେ ଅଧିକ ସଂଖ୍ୟାରେ ଭାରତୀୟଙ୍କୁ ୟୁକ୍ରେନରୁ ଅଣାଯାଇ ପାରିବ। ଏଥିସହ ଭାରତ ପକ୍ଷରୁ ୟୁକ୍ରେନକୁ ପଠାଯାଉଥିବା ରିଲିଫ ସାମଗ୍ରୀର ଯୋଗାଣ ତ୍ଵରାନ୍ଵିତ ହୋଇ ପାରିବ। ଭାରତୀୟ ବାୟୁସେନାର ଅନେକ ସି-୧୭ ବିମାନ ଆଜି ଅପରେସନ ଗଙ୍ଗା ଆଧାରରେ ୟୁକ୍ରେନକୁ ଉଡାଣ ଭରି ପାରନ୍ତି।
ଅପରେସନ ଗଙ୍ଗାରେ ଏ ପର୍ଯ୍ୟନ୍ତ ଭାରତୀୟ ବିମାନ ପାଖାପାଖି ୧୫୦୦ ଭାରତୀୟଙ୍କୁ ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ସ୍ଵଦେଶ ଆଣି ସାରିଛି। ହଙ୍ଗେରୀ, ପୋଲାଣ୍ଡ, ସ୍ଲୋଭାକିଆ ସମେତ ୫ ଦେଶର ମାର୍ଗ ଜରିଆରେ ଭାରତ ସରକାର ନିଜର ନାଗରିକଙ୍କୁ ସ୍ଵଦେଶ ଆଣୁଛି। ଏ ପର୍ଯ୍ୟନ୍ତ ୬ ବିମାନ ଭାରତୀୟଙ୍କୁ ନେଇ ସ୍ଵଦେଶ ଫେରି ସାରିଛି। ଏହି ଅଭିଯାନକୁ ଆହୁରି ତ୍ଵରାନ୍ଵିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ବାୟୁସେନାକୁ ସାମିଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସି-୨୭ ଗ୍ଲୋବମାଷ୍ଟର ବିମାନ ଜରିଆରେ ଲୋକଙ୍କୁ ଭାରତ ଅଣାଯିବ। ଏହା ପୂର୍ବରୁ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଭିକେ ସିଂହ, ହରଦୀପ ସିଂହ ପୁରୀ ଏବଂ କିରେନ ରିଜିଜୁଙ୍କୁ ଏହି ଅଭିଯାନରେ ସାମିଲ୍ ହେବାକୁ କହିଥିଲେ। ସମସ୍ତ ମନ୍ତ୍ରୀଙ୍କୁ ୟୁକ୍ରେନର ପଡୋଶୀ ଦେଶ ଯାଇ ଉଦ୍ଧାର ଅଭିଯାନ ତଦାରଖ କରିବାକୁ କହିଥିଲେ।