ନୂଆଦିଲ୍ଳୀ: ଆଇପିଏଲର ଉଦଘାଟନୀ ମୁକାବିଲାରେ ଦମଦାର ବିଜୟ ହାସଲ କରିଛି କୋଲକାତା ନାଇଟ ରାଇଡର୍ସ । ପ୍ରଥମ ଥର ଦଳର ଅଧିନାୟକତ୍ୱ ଭାର ସମ୍ଭାଳିଥିବା ଶ୍ରେୟସ ଆୟରଙ୍କ ଦଳ ମୁକାବିଲାକୁ ୱିକେଟରେ ଜିତି ନେଇଛି । ଅନ୍ୟ ପକ୍ଷରେ ଅଧିନାୟକତ୍ୱ ପଦାର୍ପଣରେ ପରାଜୟର ସାମ୍ନା କରିଛନ୍ତି ରବୀନ୍ଦ୍ର ଜାଡେଜା । ୧୩୨ ରନର ପିଛା କରୁଥିବା କୋଲକାତା ୪ ୱିକେଟ ହରାଇ ବିଜୟ ହାସଲ କରି ନେଇଥିଲା । ୱାଙ୍ଖେଡେରେ ଖେଳାଯାଉଥିବା ମୁକାବିଲାରେ ମୁମ୍ବାଇର ଆଜିଙ୍କ୍ୟ ରାହାଣେ ସର୍ବାଧିକ ୪୪ ରନ୍୍ କରିଥିଲେ । ରାହାଣେ ୩୪ ବଲ ଖେଳି ୬ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସାମ ବିଲିଙ୍ଗସ(୨୫), ନୀତିଶ ରାଣା(୨୧) ଓ ଭେଙ୍କଟେଶ ଆୟର(୧୬) ରନ୍ କରିଥିଲେ । ଶ୍ରେୟସ ଆୟର ଅପରାଜିତ ୨୦ ରନ କରିଥିଲେ । ଚେନ୍ନାଇ ପକ୍ଷରୁ ଡ୍ୱେନ ବ୍ରାଭୋ ମାତ୍ର ୨୦ ରନ ବ୍ୟୟରେ ୩ଟି ୱିକେଟ ନେଇଥିଲେ ।
ଶ୍ରେୟସ୍ ଆୟର ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ଉମେଶ ଯାଦବ ଚମକ୍ରାର ବୋଲିଂ କରିଥିଲେ । ଯାଦବ ପାୱାର ପ୍ଲେରେ ଦୁଇଟି ୱିକେଟ ନେବା ସହିତ ଚେନ୍ନାଇର ରନ ଗତି ଉପରେ ଅଙ୍ଗୁଣ ଲଗାଇଥିଲେ । ପାୱାର ପ୍ଲେରେ ୩୫ ରନ କରି ଦୁଇଟି ୱିକେଟ ହରାଇଥିଲା । ଦୁଇ ଓପ୍ନର ଡେଭନ୍ କନୱେ(୩) ଏବୁଂ ଋତୁରାଜ ଗାଏକ୍ୱାଡ(୦) ବିଫଳ ହୋଇଥିଲେ । ୨୧ ବଲ ଖେଳି ରବିନ ଉତ୍ଥାପ୍ପା ୨ଟି ଲେଖାଏଁ ଛକା ଓ ଚୌକା ସହିତ ୨୮ ରନ କରି ଆଉଟ ହୋଇଥିଲେ । ଦଳ ମାତ୍ର ୬୧ ରନରେ ୫ୱିକେଟ ହରାଇଥିବା ବେଳେ ଜାଡେଜାଙ୍କ ସହିତ ଯୋଗ ଦେଇଥିଲେ ମହେନ୍ଦ୍ର ସିଂ ଧୋନୀ । ନିଜର ଶେଷ ସିଜିନ୍ ଖେଳୁଥିବା ଧୋନୀ ଚମକ୍ରାର ବ୍ୟାଟିଂ କରିବା ସହିତ ମାତ୍ର ୩୮ ବଲରୁ ୫୦ ରନ କରିଥିଲେ । ଏହି ଇନିଂସରେ ୭ ଚୌକା ଓ ୧ ଛକା ସାମିଲ ଥିଲା । ଅଧିନାୟକ ରବୀନ୍ଦ୍ର ଜାଡେଜା ୨୮ ବଲ ଖେଳି ଗୋଟିଏ ଛକା ସହିତ ୨୬ ରନ କରିଥିଲେ । ଉଭୟଙ୍କ ଇନିଂସ ବଳରେ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ୫ୱିକେଟ ବିନିମୟରେ ୧୩୧ ରନ କରିଥିଲା । ଉମେଶ ଯାଦବ ୨୦ ରନରେ ୨ଟି ୱିକେଟ ନେଇଥିବା ବେଳେ ବେଳେ ବରୁଣ ଚକ୍ରବର୍ତ୍ତୀ ଏବଂ ରସେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।