କିଏ ଜିତିବ ଅଜିତ ନା ଶରଦ: ଦଳ ଉପରେ ରହିବ କାହାର ମାନିକାନା, କାହା ପକ୍ଷର ବିଧାୟକଙ୍କ ସଦସ୍ୟତା ରଦ୍ଦ ହେବ

ନୂଆଦିଲ୍ଲୀ: ଗତ ୨ ତାରିଖରେ ମହାରାଷ୍ଟ୍ର ରାଜନୀତିରେ ଦେଖିବାକୁ ମିଳିଥିଲା ଏକ ବଡ଼ ବିସ୍ଫୋରଣ । ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ଦୁଇଫାଳ ହୋଇଯିବା ସହ ବରିଷ୍ଠ ନେତା ଅଜିତ ପାୱାର ବିଜେପି-ଏକନାଥ ଶିନ୍ଦେଙ୍କ ସହ ସାମିଲ ହୋଇଥିଲେ । ଏଥିସହିତ ଅଜିତ ରାଜ୍ୟର ନୂଆ ଡେପୁଟି ସିମ୍ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଏନପିସିର କିଛି ବିଧାୟକ ଶିନ୍ଦେଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ।

ତେବେ ଶରଦଙ୍କ ଦ୍ୱାରା ପରିଚାଳିତ ଏନସିପି ପକ୍ଷରୁ ବିଧାନସଭା ବାଚସ୍ପତିଙ୍କୁ ଚିଠି ଲେଖାଯାଇ ବିଦ୍ରୋହୀ ବିଧାୟକଙ୍କ ସଦସ୍ୟତା ରଦ୍ଦ ନେଇ ଦାବି କରାଯାଇଛି । ତେବେ ଏପରି ସ୍ଥିତିରେ ପ୍ରଶ୍ନ ଉଠୁଛି ଅଜିତ ନା ଶରଦ କାହା ପକ୍ଷର ବିଧାୟକଙ୍କ ସଦସ୍ୟତା ରଦ୍ଦ ହେବ? ଆଗକୁ ଦଳ କାହାର ହେବ? ନିଜର ସାଥୀ ବିଧାୟକଙ୍କ ସଭ୍ୟ ପଦ ବଞ୍ଚାଇବା ପାଇଁ ଏହି ଦୁଇ ନେତାଙ୍କ ପାଖରେ କ’ଣ ବିକଳ୍ପ ରହିଛି?

ବିଧାୟକଙ୍କ ‘ଅଯୋଗ୍ୟତା’କୁ ନେଇ ଏବେ ଦୁଇ ପକ୍ଷର ନେତାଙ୍କ ମଧ୍ୟରେ ଆଶଙ୍କା ଛାଇ ରହିଛି । ଯେହେତୁ ଅଜିତ ତାଙ୍କର ସହଯୋଗୀ ବିଧାୟକଙ୍କ ସହିତ ଗୋପନ ଭାବେ ଅନ୍ୟ ଦଳରେ ମିଶିଛନ୍ତି ତେଣୁ ସମ୍ବିଧାନର ୧୦ମ କାର୍ଯ୍ୟସୂଚୀ ଅନୁଯାୟୀ ସେମାନଙ୍କର ବିଧାୟକ ପଦ ରଦ୍ଦ କରାଯାଉ ବୋଲି ଶରଦଙ୍କ ଏନସିପି ପକ୍ଷରୁ ବାଚସ୍ପତିଙ୍କୁ ଲେଖା ଯାଇଥିବା ଚିଠିରେ ଉଲ୍ଲେଖ କରାଯାଇଛି । ଯଦି କୌଣସି ଦଳର ନିୟମ ବିରୋଧରେ ଜଣେ ବିଧାୟକ ବା ସାଂସଦ ଦଳ ପରିବର୍ତ୍ତନ କରନ୍ତି ତେବେ ତାଙ୍କର ସଦସ୍ୟତା ରଦ୍ଦ ହୋଇପାରେ ।

ଯଦି କୌଣସି ପାର୍ଟିର ଦୁଇ-ତୃତୀୟାଂଶ ବିଧାୟକ ବା ସାଂସଦ ଦଳ ଛାଡ଼ିଥାନ୍ତି ତେବେ ସେମାନଙ୍କର ସଦସ୍ୟତା ରଦ୍ଦ ହେବନାହିଁ ବୋଲି ନିୟମ ରହିଛି । ବିଧାୟକଙ୍କୁ କେବଳ ବାଚସ୍ପତି ହିଁ ଅଯୋଗ୍ୟ ଘୋଷିତ କରିପାରିବେ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କର ୧୬ ଜଣ ବିଧାୟକଙ୍କ ସଦସ୍ୟତା ମାମଲା ଏବେ ବି ଅଟକି ରହିଛି । ତେବେ ଅଜିତଙ୍କ ପାଖରେ ଏବେ ଗୋଟିଏ ରାସ୍ତା ରହିଛି । ସେ ନିଜର ସଂଖ୍ୟା ଯୋଗାଡ଼ କରିବେ ବା ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ନେଇ ଶରଦ କରିଥିବା ଦାବିକୁ ଗ୍ରହଣ କରିନେବେ ।

ବିଧାନସଭାରେ ଏନସିପିର ୫୩ ଜଣ ବିଧାୟକ ରହିଥିବା ବେଳେ ଅଜିତଙ୍କ ପାଖରେ ୪୦ରୁ ଅଧିକ ବିଧାୟକ ରହିଥିବା ସେ ଦାବି କରିଛନ୍ତି । ମାତ୍ର ଶରଦଙ୍କ ପକ୍ଷରୁ ଏହି ଦାବିକୁ ଖାରଜ କରି ଦିଆଯାଇଛି । ଅଜିତ ଓ ଶରଦଙ୍କୁ ନିଜ ପକ୍ଷର ବିଧାୟକଙ୍କ ସଦସ୍ୟତା ବଞ୍ଚାଇବା ପାଇଁ ଅତିକମରେ ୩୬ ଜଣ ବିଧାୟକଙ୍କ ସମର୍ଥନ ନିହାତି ଜରୁରୀ । ଏପରି ହେଲେ ସଦସ୍ୟତା ଉପରେ କୌଣସି ବିପଦ ରହିବ ନାହିଁ । ମାତ୍ର ଯିଏ ଆବଶ୍ୟକ ସଦସ୍ୟ ଯୋଗାଡ଼ରେ ସଫଳ ହେବ, ପ୍ରତିପକ୍ଷଙ୍କ ବିଧାୟକଙ୍କ ସଦସ୍ୟତା ରଦ୍ଦ ହେବାର ସମ୍ଭାବନା ଦେଖାଦେବ ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାକୁ ଆଉ ଏକ ବର୍ଷ ବାକି ଥିବାବେଳେ ଯେଉଁ ବିଧାୟକମାନେ ଅଯୋଗ୍ୟ ସାବ୍ୟସ୍ତ ହେବେ, ସେମାନେ ନିର୍ବାଚନ ଲଢ଼ିପାରିବେ ନାହିଁ । ଏକନାଥ- ଉଦ୍ଧବଙ୍କ ମଧ୍ୟରେ ଚାଲିଥିବା ଲଢ଼େଇରେ ନିର୍ବାଚନ ଆୟୋଗ ଶିନ୍ଦେଙ୍କୁ ‘ଅସଲି ଶିବସେନା’ ଭାବେ ଗ୍ରହଣ କରିଥିଲେ । ଯଦି ପାର୍ଟିର ମାଲିକାନାକୁ ନେଇ ଅଜିତ-ଶରଦଙ୍କ ମଧ୍ୟରେ ବିବାଦ ବଢ଼େ, ତେବେ ସେନେଇ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇ ପାରନ୍ତି । ୨୦୧୭ରେ ଅଖିଲେଶ ଯାଦବ ମୁଲାୟମ ସିଂହ ଯାଦବଙ୍କୁ ହଟାଇ ନିଜେ ପାର୍ଟିର ଅଧ୍ୟକ୍ଷ ହୋଇ ପାରିଥିଲେ । ଯେହେତୁ ଅଖିଲେଶଙ୍କୁ ଅଧିକ ସଦସ୍ୟ ସମର୍ଥନ କରିଥିଲେ ତେଣୁ ନିର୍ବାଚନ ଆୟୋଗ ତାଙ୍କୁ ନିର୍ବାଚନ ଚିହ୍ନ ପ୍ରଦାନ କରିଥିଲେ ।