ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ସମସ୍ତ ଟ୍ରାଫିକ ଉଲ୍ଲଂଘନକାରୀଙ୍କୁ ମିଳିଛି ଆଶ୍ୱସ୍ତି । ୨୦୧୯ ପର୍ଯ୍ୟନ୍ତ ବିନା ହେଲମେଟରେ ଗାଡ଼ି ଚାଳନା, ବିନା ସିଟ ବେଲ୍ଟରେ ଗାଡ଼ି ଚାଳନା, ତିନିଜଣିଆ ବାଇକ ଯାତ୍ରା ଆଦି ବିଭିନ୍ନ ପ୍ରକାରର ଟ୍ରାଫିକ ଉଲ୍ଲଂଘନରେ କଟିଥିବା ଚାଲାଣକୁ ରାଜ୍ୟ ପରିବହନ ବିଭାଗ ବାତିଲ କରିଦେଇଛି । ରାଜ୍ୟ ସରକାରଙ୍କର ଏହି ନିଷ୍ପତ୍ତି ଫଳରେ ଟ୍ରାଫିକ ନିୟମ ଉଲ୍ଲଂଘନ କରିଥିବା ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି ମିଳିଛି ।
୨୦୧୯ ଡିସେମ୍ବର ମାସ ପୂର୍ବରୁ ବିଭିନ୍ନ ଆରଟିଓ ଏବଂ ପୋଲିସ ନିକଟରେ ପଡ଼ି ରହିଥିବା ସମସ୍ତ ଭେଇକିଲ ଚେକିଂ ରିପୋର୍ଟ (ଭିସିଆର)କୁ ବାତିଲ କରାଯାଇଛି । ଅନ୍ୟପକ୍ଷରେ ୨୦୧୯ ଡିସେମ୍ବର ପରଠାରୁ କଟିଥିବା ଚାଲାଣ ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ସାଧାରଣ ଭାବେ ଗାଡ଼ି ଚାଳକ ନିୟମ ନ ମାନିଲେ ପୋଲିସ କିମ୍ବା ପରିବହନ ଅଧିକାରୀ ଚାଲାଣ କାଟିଥାନ୍ତି । ଚାଲାଣ କଟିବାର ୧୫ ଦିନ ମଧ୍ୟରେ ଜରିମାନା ନଦେଲେ ପୋଲିସ ଉକ୍ତ କେସକୁ ମାଜିଷ୍ଟ୍ରେଟଙ୍କ କୋର୍ଟକୁ ପଠାଇବାର ବ୍ୟବସ୍ଥା ରହିଛି ।
ତେବେ ପରିବହନ ବିଭାଗର ନିୟମ ଅନୁଯାୟୀ, ଯେଉଁ ଭିସିଆର କଟାଯାଏ ସେଥିରେ କାହାର ବୈଧତା କେତେ ତାହା ମାମଲା ଦୃଷ୍ଟିରୁ ଧାର୍ଯ୍ୟ ହୋଇଛି । କେବଳ ଜରିମାନା ଦଣ୍ଡ ଥିବା ଭିସିଆରର ବୈଧତା ୬ ମାସରୁ ଅଧିକ ହେବ ନାହିଁ । ସେହିପରି ଯେଉଁ ଭିସିଆରରେ ଜରିମାନା ସହ ୧ ବର୍ଷରୁ କମ୍ ଜେଲଦଣ୍ଡର ବ୍ୟବସ୍ଥା ରହିଛି ସେ କ୍ଷେତ୍ରରେ ସେହି ଭିସିଆରର ବୈଧତା ୧ ବର୍ଷ ପର୍ଯ୍ୟନ୍ତ ରହିଛି ।
ପୋଲିସ ଦ୍ୱାରା କଟାଯାଉଥିବା ଭିସିଆରର ବୈଧତା ୬-୧୨ ମାସ ରହିଥିବା ବେଳେ ଏହାକୁ ଧାର୍ଯ୍ୟ ସମୟ ମଧ୍ୟରେ କୋର୍ଟକୁ ପଠା ଯାଉ ନଥିବାରୁ ତା’ର ବୈଧତା ସରିଯାଇଥାଏ । ଫଳରେ ଜରିମାନା ଅର୍ଧ ଆଦାୟ ହୋଇପାରି ନଥାଏ । ଗତ ମାସରେ ହାଇକୋର୍ଟର ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ୨୦୨୦ ଜାନୁଆରୀରୁ ଚଳିତ ବର୍ଷ ଜୁଲାଇ ୧୫ ସୁଦ୍ଧା ଯେତେ ଇ-ଚାଲାଣ କଟାଯାଇଛି ତା’ର ଭିସିଆରକୁ ସମ୍ପୃକ୍ତ ଜୁଡିସିଆର ମାଜିଷ୍ଟ୍ରେଟଙ୍କ ନିକଟକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।