fbpx

ରାଜ୍ୟର ସମସ୍ତ PACS ହେବ Paperless: ଡିଜିଟାଲାଇଜେସନ କରାଇବାରେ ପ୍ରଥମ ରାଜ୍ୟ ହେବ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୃଷକଙ୍କ ପାଇଁ ଏକ ନୂଆ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ରାଜ୍ୟର ସମସ୍ତ ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ)ଗୁଡ଼ିକ କମ୍ପ୍ୟୁଟରୀକରଣ କରାଯିବ । ରାଜ୍ୟରେ ମୋଟ ୨୭୧୦ଟି ପ୍ୟାକ୍ସ ଥିବାବେଳେ ଆସନ୍ତା ଅକ୍ଟୋବର ମାସ ପହିଲା ସୁଦ୍ଧା ୨୬୦୦ଟି ପ୍ୟାକ୍ସରେ କମ୍ପ୍ୟୁଟରୀକରଣ କରାଯିବ । ଏଥିସହିତ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ ନିଯୁକ୍ତି ଦିଆଯିବ ।

ଆସନ୍ତା ମାସ ୧୦ ତାରିଖରୁ ପ୍ୟାକ୍ସଗୁଡ଼ିକ ପେପରଲେସ ଭାବେ କାର୍ଯ୍ୟ କରିବ ବୋଲି ରାଜ୍ୟ ସମବାୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ଜଣାପଡ଼ିଛି । ଡିଆରସିଏସ, ଏଆରସିଏସ ଓ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ସିଇଓମାନେ ଆସନ୍ତା ୩୦ ତାରିଖ ସୁଦ୍ଧା ୨୧୧୦ ପ୍ୟାକ୍ସର ନଥିପତ୍ର ଅପଟେଡ୍ କରିବା ସହ ରିପୋର୍ଟ ପ୍ରଦାନ କରିବେ । ଡିଇଓ ନିଯୁକ୍ତି କରିବା ଓ ଅନ ସାଇଟ ସହାୟତା ପାଇଁ ପ୍ରତି ଜିଲ୍ଲାରେ ବୈଷୟିକ କର୍ମଚାରୀ ରହିବେ ।

ପ୍ୟାକ୍ସଗୁଡ଼ିକରେ ଅନଲାଇନ କାର୍ଯ୍ୟ କରିବା ପାଇଁ ସମିତିର ସମ୍ପାଦକ ଓ ଡିଇଓଙ୍କୁ ଆସନ୍ତା ୨୫ ସୁଦ୍ଧା ଟ୍ରେନିଂ ଦିଆଯିବ । ଏହି କମ୍ପ୍ୟୁଟରୀକରଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର ମୋଟ ୫୦ କୋଟିରୁ ଅଧିକ ଅର୍ଥ ଯୋଗାଇ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟ ସରକାର ନୂଆ ସମବାୟ ନୀତି ଆଣିବା ନେଇ ପୂର୍ବରୁ ନିଷ୍ପତ୍ତି ନେଇଥିଲେ ।

ଏଥିପାଇଁ ଏକ କମିଟି ଗଠନ କରାଯାଇଥିବା ବେଳେ ଅତିରିକ୍ତ ସଚିବ ପାହ୍ୟାର ଜଣେ ଅଧିକାରୀଙ୍କୁ ଏହି କମିଟିର ଅଧ୍ୟକ୍ଷ କରାଯାଇଥିଲା । ଅକ୍ଟୋବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ଲ୍ୟାମ୍ପ୍ସ/ ପ୍ୟାକ୍ସ ଡିଜିଟାଲଜେସନ କରାଯିବ ବୋଲି ଚୂଡ଼ାନ୍ତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି କାର୍ଯ୍ୟକ୍ରମ ଅଧୀନରେ ଏହି ଡିଜିଟାଲାଇଜେସନ କାର୍ଯ୍ୟ କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବ ।

Get real time updates directly on you device, subscribe now.