fbpx

ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ; ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବେ କଂଗ୍ରେସ ଓ ବିଜେପି

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ମୋୖସୁମୀ ଅଧିବେଶନ ନେଇ ଆଜି ବସିଥିଲା ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ୟ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ, ଅଧିବେଶନକୁ କିପରି ଶାନ୍ତିଶୃଙ୍ଖଳାର ସହ ସମାପନ କରାଯିବ ସେନେଇ ଆଲୋଚନା ହୋଇଛି । ବୈଠକରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ, ଶାସକ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ବିରୋଧୀ ଦଳ ଉପ ନେତା ବିଷ୍ଣୁ ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର ଉପସ୍ଥିତ ରହିଥିଲେ। ବିଧାନସଭା ସୁରୁଖୁରୁରେ ଚଳାଇବା ଲାଗି ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସବୁ ମନ୍ତ୍ରୀ ଓ ବିଧାୟକଙ୍କର ଆଣ୍ଟିବଡି ଟେଷ୍ଟ ହେବା ନେଇ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ବାଚସ୍ପତି କହିଛନ୍ତି ଯେ, ଆସନ୍ତା ୧ ରୁ ଆରମ୍ଭ ହେଉଥିବା ଅଧିବେଶନ ସୁରୁଖୁରୁରେ ଚଳାଇବା ପାଇଁ ଆଲୋଚନା ହୋଇଛି । ବିଧାନସଭା ପୂର୍ବରୁ ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯିବ। ଯେଉଁ ଦିନ କରୋନା ଟେଷ୍ଟ ହେବ, ସେହିଦିନ ସବୁ ବିଧାୟକ ଓ ମନ୍ତ୍ରୀଙ୍କର ହେବ ଆଣ୍ଟିବଡି ଟେଷ୍ଟ କରାଯିବ । ସ୍ୱଳ୍ପ ଦିନିଆ ଚଳିତ ଅଧିବେଶନ ହୋଇଥିବାରୁ ଶନିବାର ବିଧାନସଭା ଚାଲିବ ବୋଲି ନିଷ୍ପତ୍ତି ନିଆଯାଇଛି । ଅଧିବେଶନ ଦୁଇଟି ପର୍ୟ୍ୟାୟରେ ହେବ । ପୂର୍ବାହ୍ନ ସାଢ଼େ ୧୦ ଟାରୁ ଆରମ୍ଭ ହୋଇ ସାଢେ ଗୋଟାଏ ଓ ଅପରାହ୍ଣରେ ୪ଟାରୁ ୬ ଟା ଯାଏଁ ଅଧିବେଶନ ଚାଲିବ । ଦିନକୁ ୫ ଘଣ୍ଟା ଗୃହ କାର୍ୟ୍ୟ ଚାଲିବ । ଆସନ୍ତା ଅଧିବେଶନରେ ଷ୍ଟାର ପ୍ରଶ୍ନ ରହିବ । ମୁଲତବୀ ପ୍ରସ୍ତାବ ଆଲୋଚନା କରାଯିବ । ବିଜେପି ୪ ଟି ଓ କଂଗ୍ରେସ ୨ ଟି ମୁଲତବୀ ପ୍ରସ୍ତାବ ଆଣିପାରିବେ । ଗତଥର ଭଳି ବିଧାୟକ, ମନ୍ତ୍ରୀ ବସିକି କିମ୍ବା ଠିଆ ହୋଇ ଉତ୍ତର ରଖିପାରିବେ । ବିଧାୟକ ମାନେ ଓକାକ ବିଲ୍ଡିଂ, ଲୋକସେବା ଭବନ ଓ ଅନ୍ୟସ୍ଥାନରେ ବସିବେ । ହାଉସରେ କୌଣସି କାଗଜ ଦିଆଯିବନି । ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ହସ୍ପିଟାଲରେ ଅଛନ୍ତି । ସେ ଚାହିଁଲେ ଭିଡିଓ କନ୍ଫରେସରେ ଯୋଗ ଦେବେ । ଏ ନେଇ ସମସ୍ତ ବ୍ୟବସ୍ଥା କରାଯାଇପାରିବ । ମୁଲତବୀ ଆଲୋଚନ ବେଳେ ବିରୋଧୀ ଦଳ ୫୫ ମିନିଟ, ସରକାରୀ ଦଳ ୩୫ ମିନିଟ କହିବେ ।

ସର୍ବଦଳୀୟ ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସୁରୁଖୁରୁରେ ବିଧାନସଭା ଚଳାଇବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ହୋଇଛି । ସମସ୍ୟା ବହୁଳ ରାଜ୍ୟ ଓଡିଶା । ମରୁଡି, ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ଆଇନଶୃଙ୍ଖଳା, ଦୁର୍ନୀତି, ପାନୀୟଜଳ ସମସ୍ୟା, ସ୍ୱାସ୍ଥ୍ୟ ସେବାରେ ଅବ୍ୟବସ୍ଥା, ଶିକ୍ଷା ସମସ୍ୟା ପ୍ରସଙ୍ଗ କଂଗ୍ରେସ ବିଧାନସଭାରେ ଉଠାଇବ । ଓଡିଶା ବିଧାନସଭାରେ ବିଭିନ୍ନ ବିଲ ଉପରେ ଆଲୋଚନା ହେଉନି । ଗୁରୁତ୍ୱପୂର୍ଣ୍ଣ ବିଲ ଆଲୋଚନା ନ ହୋଇ ପାସ ହେଉଥିବାରୁ କୋର୍ଟ ସ୍ୱୀକୃତି ଦେଉନି । ପୋଲିସ ବିଲ ଭଳି ଅନେକ ବିଲ କାର୍ୟ୍ୟକାରୀ ହେଉନି । ସଠିକ ଭାବେ ଆଲୋଚନା କରି ଲୋକଙ୍କ ସମସ୍ୟା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ । ବିଜେପି ପକ୍ଷରୁ ଏଥର ବିଧାନସଭାରେ ବିଦ୍ୟୁତ ଦର ବୃଦ୍ଧି, ଧାନ ମଣ୍ଡି ସମସ୍ୟା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନରେ ବ୍ୟାପକ ଅନିୟମିତତାକୁ ମୁଖ୍ୟ ପ୍ରସଙ୍ଗ କରିବ ଦଳ । ତା ସହିତ କୋଭିଡ ପରିଚାଳନା, ମନେରେଗାରେ ଦୁର୍ନୀତି ପ୍ରସଙ୍ଗକୁ ମଧ୍ୟ ଉଠାଇବ ବିଜେପି । ସୀମିତ କାର୍ୟ୍ୟକ୍ରମ ଭିତରେ ବିଜେପି ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉଠାଇବ ବୋଲି ବିରୋଧୀ ଦଳ ଉପ ନେତା ବିଷ୍ଣୁ ଚରଣ ସେଠୀ କହିଛନ୍ତି ।

Get real time updates directly on you device, subscribe now.