ଅଲ୍ଲୁ ଅର୍ଜୁନଙ୍କୁ ନୋଟିସ ; ବିଲ୍ଡିଂ ଉପରେ ଗଡିବ ବୁଲଡୋଜର …
ତେଲୁଗୁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ବେଆଇନ ନିର୍ମାଣ ପାଇଁ ଗ୍ରେଟର୍ ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ (GHMC) ଏକ ଶୋ-କଜ୍ ନୋଟିସ ପଠାଇଛି
ଭୁବନେଶ୍ୱର: ତେଲୁଗୁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ବେଆଇନ ନିର୍ମାଣ ପାଇଁ ଗ୍ରେଟର୍ ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ (GHMC) ଏକ ଶୋ-କଜ୍ ନୋଟିସ ପଠାଇଛି। ଏହି ନୋଟିସ ଅଲ୍ଲୁ ଅର୍ଜୁନଙ୍କ ଜୁବିଲୀ ହିଲସ୍, ରୋଡ ନମ୍ବର ୪୫ରେ ଥିବା ବିଜନେସ ପାର୍କ ବିଲ୍ଡିଂରେ ବିନା ଅନୁମତିରେ କରାଯାଇଥିବା ନିର୍ମାଣ ସଂପର୍କରେ କରାଯାଇଛି ।
ସୂଚନାମୁତାବକ ଅର୍ଜୁନ ତାଙ୍କ ପରିବାରର ସଦସ୍ୟଙ୍କ ସହ ଦୁଇ ବର୍ଷ ପୂର୍ବେ ଅଲ୍ଲୁ ବିଜନେସ ପାର୍କ ବିଲ୍ଡିଂର ନିର୍ମାଣ କରିଥିଲେ। ଏହି ବିଲ୍ଡିଂରେ ଗୀତା ଆର୍ଟସ୍, ଅଲ୍ଲୁ ଆର୍ଟସ୍ ସହ ଜଡ଼ିତ ବ୍ୟବସାୟ ଏବଂ ଅନ୍ୟ କମ୍ପାନୀଗୁଡ଼ିକର ଅଫିସ ରହିଛି।
ଏହି ପ୍ରୋଜେକ୍ଟ ପାଇଁ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ପ୍ରାୟ ୧୨୨୬ ବର୍ଗ ଗଜର ପ୍ଲଟରେ ଦୁଇଟି ବେସମେଣ୍ଟ ଏବଂ G+4 ମହଲା (ଗ୍ରାଉଣ୍ଡ + ଚାରି ମହଲା) ନିର୍ମାଣ ପାଇଁ ଅନୁମତି ଦିଆଯାଇଥିଲା। କିନ୍ତୁ ନିକଟରେ ଏଥିରେ ଚତୁର୍ଥ ମହଲାରେ ବେଆଇନ ଭାବେ ନିର୍ମାଣ କରାଯାଇଛି। ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସର୍କଲ-୧୮ର ଡେପୁଟି କମିଶନର ସମ୍ମାୟା ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏବଂ ଅଭିନେତାଙ୍କୁ କାରଣ ଦର୍ଶାଇବା ନୋଟିସ ଜାରି କରିଛନ୍ତି ।
ତେବେ ଏହା କୌଣସି ପ୍ରଥମ ଥର ନୁହେଁ ଏପରି ବେଆଇନ ନିର୍ମାଣ ପାଇଁ ନୋଟିସ ଜାରି କରାଯାଇଛି। ଏହା ପୂର୍ବରୁ ଗ୍ରେଟର ମୁମ୍ବାଇ ମହାନଗର ନିଗମ ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ମଧ୍ୟ ଅଫିସ ବାହାରେ ବେଆଇନ ନିର୍ମାଣ ପାଇଁ ନୋଟିସ ଜାରି କରିଥିଲା। ଏହା ଉପରେ ବିଏମସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଏବଂ ବେଆଇନ ଅଂଶ ଉପରେ ବୁଲଡୋଜର ଚଲାଇ ତାହାକୁ ଭାଙ୍ଗି ଦିଆଯାଇଥିଲା।