ନୂଆଦିଲ୍ଲୀ: ଦିନକୁ ଦିନ ପରିବେଶ ବିଗିଡିବାରେ ଲାଗିଛି। ଏହାକୁ ଗୁରୁତର ସହ ଗ୍ରହଣ କରିଛି ପରିବେଶ ମନ୍ତ୍ରଣାଳୟ। ତେଣୁ ପ୍ରତ୍ୟେକ ୮୦ ବର୍ଗ ମିଟରରେ ଅତି କମରେ ଗୋଟିଏ ଗଛ ଲଗାଇବାକୁ ପ୍ରସ୍ତାବ ଦେଇଛି ପରିବେଶ ମନ୍ତ୍ରଣାଳୟ। ଏପରିକି ବାସଭବନ କିମ୍ବା ବାଣିଜ୍ୟିକ ନିର୍ମାଣ ସ୍ଥଳରେ ଏହାର ମୋଟ୍ ଜମିର ୧୦ ପ୍ରତିଶତ ଭାଗରେ ଗଛ ଲଗାଯିବା ଉଚିତ୍ ବୋଲି କହିଛି ମନ୍ତ୍ରଣାଳୟ।
ଫେବୃଆରୀ ୨୮ରେ “ଭବନ ନିର୍ମାଣ ପରିବେଶ ପ୍ରବନ୍ଧନ ବିନିୟମ, ୨୦୨୨”ରେ ୬୦ ଦିନ ଭିତରେ ଏ ନେଇ ଜନତାଙ୍କ ମତାମତ ଲୋଡା ଯାଇଛି। ଏହି ନିୟମ ସେହି ପ୍ରକଳ୍ପରେ ଲାଗୁ ହେବ, ଯେଉଁଠି ୫୦୦୦ ବର୍ଗ ମିଟରରୁ ଅଧିକ ସ୍ଥାନରେ କୋଠା ନିର୍ମାଣ, ନବୀକରଣ କିମ୍ବା ମରାମତି କାର୍ୟ୍ୟ କରାଯାଉଛି। ଏହି ପ୍ରକଳ୍ପରେ ୧୦ ପ୍ରତିଶତ ଜାଗାରେ ବୃକ୍ଷରୋପଣ ବାଧ୍ୟତାମୂଳକ କରାଯିବ ବୋଲି ମନ୍ତ୍ରଣାଳୟ କହିଛନ୍ତି।
ତେବେ ଡ୍ରାଫ୍ଟରେ ପ୍ରତ୍ୟେକ ୮୦ ବର୍ଗ ମିଟରରେ ଅତି କମରେ ଗୋଟିଏ ଗଛ ଲଗାଇବାକୁ କୁହାଯାଇଛି। ଯାହା ଫଳରେ ବୃକ୍ଷରୋପଣ ସହ ପରିବେଶ ସନ୍ତୁଳନ ସୁନିଶ୍ଚିତ କରାଯାଇ ପାରିବ। କେତେ ଗଛ ଲଗାଯାଉଛି ଏବଂ କେଉଁ ଅଞ୍ଚଳରେ କାମ ଜାରି ରହିଛି ତା ଉପରେ ସରକାର ନଜର ରଖିବେ। କୋଠା, ସଡକ, କଂକ୍ରିଟ୍ ରାସ୍ତା ସବୁଥିରେ ଗଛ ଲଗାଇବା ପାଇଁ ସ୍ଥାନ ଛାଡିବାକୁ କୁହାଯାଇଛି।
ମନ୍ତ୍ରଣାଳୟ କହିଛି, ପ୍ରକଳ୍ପର ନିର୍ମାଣ ସମୟରେ କେନ୍ଦ୍ରୀୟ ଭୂଜଳ ପ୍ରାଧିକରଣର ଅନୁମତି ବିନା ଆଦ୍ର ଭୂମି ଏବଂ ଜଳନିଗମ କିମ୍ବା ଭୂଜଳ ଉପରେ କୌଣସି ପ୍ରକାରର ନିର୍ମାଣକୁ ଅନୁମତି ଦିଆଯାଇ ପାରିବ ନାହିଁ। ଏପରିକି ମନ୍ତ୍ରଣାଳୟ ଜଳ ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ଵାରୋପ କରିଛନ୍ତି। ବର୍ଷା ଜଳ ସଞ୍ଚୟକୁ ଧ୍ୟାନରେ ରଖି ଛାତର ଡିଜାଇନ କରିବାକୁ ମଧ୍ୟ କୁହାଯାଇଛି।