ବିଜେଡ଼ି ପାଇଁ ଗଡ଼ ବଡ଼ କରିଦେଲା ୱାକଫ ଭୋଟ୍: ଅମର

ଅମର ଶତପଥୀ। କହିଛନ୍ତି ୱାକଫ୍ ପାଇଁ ଏସବୁ ଚାଲିଛି।ସଂସଦୀୟ ବ୍ୟବସ୍ଥାରେ ବିରୋଧ, ସମର୍ଥନ ରହିଛି। ମାତ୍ର ବିବେକାନୁମୋଦିତ ମତ ଦେବା କଥା ମୁଁ ଜାଣିନି।

ଭୁବନେଶ୍ୱର: ୱାକଫ ବିଲକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ଏହି ଝଡ଼ ଥମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ୁଛି। ୱାକଫ ବିଲକୁ ନେଇ ବିଜେଡିରେ ଯେଉଁ ଅନ୍ତଃକନ୍ଦଳ ଦେଖା ଦେଇଥିଲା ତାହା ଏବେ ସାମାଧାନ ହେବା ପରିବର୍ତ୍ତେ ଅଧିକ ଘନଉଛି।

ଏସବୁ ଭିତରେ ବିଜେଡି ସୁପ୍ରିମ ନବୀନଙ୍କ ପ୍ରତିକ୍ରିୟା ରାଜ୍ୟ ରାଜନୀତିକୁ ଆହୁରି ଗରମ କରିଦେଇଛି। ବିଜେଡି ଚାଲିଥିବା ଗୋଡ଼ ଟଣାଟଣିକୁ ନେଇ ମୁହଁ ଖୋଲିଛନ୍ତି ବରିଷ୍ଠ ନେତା ଅମର ଶତପଥୀ। କହିଛନ୍ତି ୱାକଫ୍ ପାଇଁ ଏସବୁ ଚାଲିଛି।

କହିଲେ ମୁଁ ବିଜେଡି ଭିତରେ ନାହିଁ, ତାଙ୍କ ଦଳ ବାବଦରେ କହିବି ନାହିଁ। ମାତ୍ର ୱାକଫ ଭୋଟିଂକୁ ନେଇ ଏସବୁ ଘଟୁଛି। ସଂସଦୀୟ ବ୍ୟବସ୍ଥାରେ ବିରୋଧ, ସମର୍ଥନ ରହିଛି। ମାତ୍ର ବିବେକାନୁମୋଦିତ ମତ ଦେବା କଥା ମୁଁ ଜାଣିନି।

ଯେହେତୁ ଏହା ଏବେ ଜାତୀୟ ପ୍ରସଙ୍ଗ, ସମସ୍ତେ ମତ ରଖିପାରିବେ। ଭ୍ରମିତ ପାଇଁ ଉଦ୍ୟମ ହେଉଛି, ପର୍ଦ୍ଦା ଉଠିବା ଉଚିତ। ପ୍ରସଙ୍ଗ ଏଡ଼ାଇବା ପାଇଁ ପ୍ରଭାତଙ୍କୁ ବଲି କା ବକରା କରାଯାଇଛି। ନବୀନ ବାବୁଙ୍କ ମୁହଁରେ ଏହା ଶୋଭା ପାଏ ନାହିଁ।

ପ୍ରଭାତଙ୍କ ଜବାବ: ଗତକାଲି ରାତିରେ ନବୀନ ପ୍ରଭାତଙ୍କୁ ନେଇ ମନ୍ତବ୍ୟ ଦେବା ପରେ ସକାଳୁ ପ୍ରେସମିଟ୍ କରି ନବୀନଙ୍କୁ କଡ଼ା ଜବାବ ଦେଇଛନ୍ତି ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀ।

ପ୍ରଭାତ କହିଛନ୍ତି, ଚିଟଫଣ୍ଡ ମାମଲାରେ ମୋତେ ନିଲମ୍ୱନ କରାଯାଇଥିଲା। ମାତ୍ର, ୨୦୧୭ରେ ମୋ ଉପରୁ ନିଲମ୍ୱନ ହଟାଯାଇଥିଲା। ଏହା ପରଠାରୁ କୌଣସି ଦଳୀୟ କାର୍ଯ୍ୟାନୁଷ୍ଠାନ ହୋଇନି। ଏକାଧିକ ଦଳୀୟ କାର୍ଯ୍ୟକ୍ରମରେ ମୁଁ ସାମିଲ ହୋଇଛି।

ଏପରିକି ୨୦୨୪ ନିର୍ବାଚନରେ ମୁଁ ଦଳ ପାଇଁ କାମ କରିଛି। ଦଳରେ ମୁଁ ନାହିଁ କହିବା ନବୀନଙ୍କ ମୁହଁରେ ଶୋଭା ପାଉନି। ମୋତେ କିଛି ଦିନ ପାଇଁ ସସ୍ପେଣ୍ଡ କରାଯାଇଥିଲା। ବିଜୁ ଜନତା ଦଳର ମୁଁ ଜଣେ ଶୃଙ୍ଖଳିତ କର୍ମୀ। ହେଲେ କାଲି ପରଠାରୁ ମୁଁ ବିଜେଡିରେ ନାହିଁ ବୋଲି କହିଛନ୍ତି ପ୍ରଭାତ।

ନବୀନଙ୍କ ବିବୃତ୍ତି: ଗତକାଲି ଗଣମାଧ୍ୟମ ସାମ୍ନାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କ ସପକ୍ଷରେ ବାହାରିଥିଲେ। ଆଉ କହିଥିଲେ ପାଣ୍ଡିଆନ ୧୦ ମାସ ପୂର୍ବରୁ ଦଳ ଛାଡି ସାରିଛନ୍ତି। ତେଣୁ ତାଙ୍କ ନାଁରେ ରାଜନୀତି କରିବାର କିଛି ଆବଶ୍ୟକତା ନାହିଁ।

ଏହାସହ ସେ କହିଥିଲେ ଡପ୍ରଭାତ ତ୍ରିପାଠୀ ବିଜେଡିର କେହି ନୁହେଁ। ଚିଟଫଣ୍ଡ କେସ ଏବଂ ଦଳ ବିରୋଧୀ କାମ ପାଇଁ ବହୁ ବର୍ଷ ପୂର୍ବରୁ ତାଙ୍କୁ ଦଳରୁ ବହିଷ୍କାର କରାସରିଛି। ତେଣୁ ଯିଏ ଦଳର କେହି ନୁହେଁ ତାଙ୍କ ମନ୍ତବ୍ୟ ଦଳ ପାଇଁ କୌଣସି ଗୁରୁତ୍ୱ ବହନ କରେ ନାହିଁ।