CHARIDHAM

UNSCରେ ଭାରତ ପଦକ୍ଷେପରେ ଆମେରିକାର କୌଣସି ସମସ୍ୟା ନାହିଁ, ଅଲଗା ସ୍ତରରେ ରୁଷ-ଭାରତ ସଂପର୍କ

ନୂଆଦିଲ୍ଲୀ: ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ରୁଷ ବିରୋଧରେ ଆଗତ ନିନ୍ଦା ପ୍ରସ୍ତାବ ଉପରେ ଶନିବାର ଭୋଟିଂ ହୋଇଛି। ଏହି ଭୋଟିଂରୁ ନିଜକୁ ଦୂରେଇ ରଖିଛି ଭାରତ। ରୁଷ ଭିଟୋର ଉପଯୋଗ କରି ଏହି ପ୍ରସ୍ତାବକୁ ପାରିତ ହେବାକୁ ଦେଇ ନାହିଁ। ଭାରତର ଆଭିମୁଖ୍ୟକୁ ରୁଷ ଧନ୍ୟବାଦ ଦେଇଛି। ଅନ୍ୟପଟେ ନିନ୍ଦା ପ୍ରସ୍ତାବକୁ ସମର୍ଥନ ନଦେବା ଭାରତର ପଦକ୍ଷେପରେ ଆମର କୌଣସି ଆପତ୍ତି ନଥିବା ଆମେରିକା କହିଛି।

ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ କହିଛନ୍ତି, ଭାରତର ରୁଷ ସହିତ ସମ୍ବନ୍ଧ, ଆମେରିକା ଏବଂ ରୁଷ ମଧ୍ୟରେ ସମ୍ବନ୍ଧ ବହୁତ ଭିନ୍ନ ରହିଛି। ଏଥିରେ ଚିନ୍ତା କରିବାର କୌଣସି କାରଣ ନାହିଁ। ବୈଦେଶିକ ବିଭାଗର ମୁଖପାତ୍ର ନେଡ୍ ପ୍ରାଇସ୍ କହିଛନ୍ତି, ଭାରତ ସହିତ ଆମେରିକାର ଗୁରୁତ୍ଵପୂର୍ଣ୍ଣ ହିତ ଏବଂ ମୂଲ୍ୟ ସହିତ ଜଡିତ ରହିଛି। ଆମେ ଭାରତ ସହିତ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଭାବ ବିନିମୟ ଆଦାନ ପ୍ରଦାନ କରିଥାଉ। ଆମେ ଜାଣିଛୁ ଯେ, ଭାରତର ରୁଷ ସହିତ ସମ୍ବନ୍ଧ ସେହି ସମ୍ବନ୍ଧଠୁ ଅଲଗା ଯାହା ଆମର ଏବଂ ରୁଷ ମଧ୍ୟରେ ରହିଛି। ତେଣୁ ଏଥିରେ ସମସ୍ୟାର କୌଣସି କଥା ନାହିଁ ବୋଲି ଆମେରିକା କହିଛି।

ସେ କହିଛନ୍ତି, ଭାରତର ରୁଷ ସହିତ ମଜବୁତ ସଂପର୍କ ରହିଛି। ଭାରତ ଏବଂ ରୁଷ ମଧ୍ୟରେ ପ୍ରତିରକ୍ଷା ଏବଂ ସୁରକ୍ଷା କ୍ଷେତ୍ରରେ ସୁସଂପର୍କ ରହିଛି। ଆମେ ପ୍ରତ୍ୟେକ ଦେଶକୁ କହିଛୁ ଯେ, ଯାହା ସହିତ ଯେଉଁ ଦେଶର ଉତ୍ତମ ସଂପର୍କ ରହିଛି, ସେମାନେ ତାର ଲାଭ ନିଅନ୍ତୁ ଏବଂ ଏହାର ବ୍ୟବହାର ରଚନାତ୍ମକ ଭାବେ କରନ୍ତୁ।