ଶ୍ରୀଲଙ୍କାରେ ଜରୁରୀ ପରସ୍ଥିତି: ମଧ୍ୟରାତ୍ରିରେ ଇସ୍ତଫା ଦେଲା ସମ୍ପୂର୍ଣ୍ଣ କ୍ୟାବିନେଟ

ନୂଆଦିଲ୍ଳୀ: ଭାରତର ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା ବର୍ତ୍ତମାନ ଗଭୀର ଅର୍ଥନୈତିକ ସଙ୍କଟର ସାମ୍ନା କରୁଛି । ଏହା ମଧ୍ୟରେ ଅର୍ଥନୈତିକ ସଙ୍କଟ ସହିତ ରାଜନୈତିକ ସଙ୍କଟ ମଧ୍ୟ ଦେଖା ଦେଇଛି । ଏକା ସାଥୀରେ ସମ୍ପୂର୍ଣ୍ଣ ଶ୍ରୀଲଙ୍କା କ୍ୟାବିନେଟ ଇସ୍ତଫା ପ୍ରଦାନ କରିଛି । ରବିବାର ମଧ୍ୟରାତ୍ରରେ କ୍ୟାବିନେଟ ଇସ୍ତଫା ପ୍ରଦାନ କରିଥିବା ଜଣାପଡିଛି । ଦେଶର ଶିକ୍ଷାମନ୍ତ୍ରୀ ତଥା ସଂସଦୀୟ ଦଳ ନେତା ଦୀନେଶ ଗୁଣବର୍ଦ୍ଧନା ଏହି ସୂଚନା ଦେଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମହିନ୍ଦା ରାଜପକ୍ଷା ପ୍ରଧାନମନ୍ତ୍ରୀ ଏବଂ ଗୋଟବାୟା ରାଜପକ୍ଷା ରାଷ୍ଟ୍ରପତି ଦାୟିତ୍ୱରେ ଅଛନ୍ତି ।

ଏହି ଇସ୍ତଫାର କାରଣ ଜଣାପଡିନଥିଲେ ହେଁ, ଆର୍ଥିକ ସଙ୍କଟ କାରଣରୁ ଦେଖା ଦେଇଥିବା ପରସ୍ଥିତି ପାଇଁ ଏମିତି ହୋଇଥିବା ଅନୁମାନ କରାଯାଉଛି । ଏପରିକି ପ୍ରଧାନମନ୍ତ୍ରୀଙ୍କ ପୁଅ ନମଲ ରାଜପକ୍ଷା ସବୁଠୁ ପ୍ରଥମେ ଇସ୍ତଫା ପ୍ରଦାନ କରିଥିଲେ । ଏହି ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଇ ଦିଆଯାଇଛି । ଖୁବ୍ ଶୀଘ୍ର ନୂତନ କ୍ୟାବିନେଟ ଗଠନ ହେବାର ସମ୍ଭାବନା ରହିଛି । ବର୍ତ୍ତମାନ ଐତିହାସିକ ଆର୍ଥିକ ସଙ୍କଟ ସହ ଲଢୁଥିବା ଶ୍ରୀଲଙ୍କା ଇନ୍ଧନ, ରୋଷେଇ ଗ୍ୟାସ ତଥା ଅନ୍ୟ ଆବଶ୍ୟକୀୟ ଜିନିଷ ପାଇଁ ଲୋକମାନେ ଖୁବ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷା ଶୁକ୍ରବାର ବିଳମ୍ବିତ ରାତିରେ ସ୍ୱତନ୍ତ୍ର ଗେଜେଟ ବିଜ୍ଞପ୍ତି ଜାରି କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ । ତେବେ ଏହି ସମୟରେ ସାର୍ବଜନିକ ସୁରକ୍ଷା ବ୍ୟବସ୍ଥା ସହିତ ସଭିଙ୍କ ପାଇଁ ଆବଶ୍ୟକୀୟ ଜିନିଷ ଯୋଗାଇ ଦିଆଯିବ । ରାଷ୍ଟ୍ରପତି ରାଜପକ୍ଷେଙ୍କ ଆବାସ ଆଗରେ ଧାରଣା ଦେଇଥିବା ଗୋଷ୍ଠୀକୁ ଜାମିନ ମଞ୍ଜୁର କରିବା ପରେ ଏହି ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି ।