fbpx

ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପାଣି ସପ୍ଲାଏ କନେକ୍ସନ କାଟି ଦେଲେ ବିଧାୟକଙ୍କ ପୁଅ, ସିନ୍ଧିଆ କହିଲେ- ନିଆଯିବ ଆକ୍ସନ

ନୂଆଦିଲ୍ଲୀ : ବିଧାୟକ ପୁଅଙ୍କ ଅଜବ କାଣ୍ଡ। ଅନ୍ତର୍ଜାତୀୟ ବିମାନ ବନ୍ଦରରେ କାଟି ଦେଲେ ଜଳଯୋଗାଣ ସଂଯୋଗ ବା ଓ୍ଵାରଟ ସପ୍ଲାଏ କନେକ୍ସନ। ମାମଲା ଅଧିକ ବିଗିଡିବାରୁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ସ୍ପଷ୍ଟ କରିଛନ୍ତି ଯେ, ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ତିରୁପତିର ଡେପୁଟୀ ମେୟର ଅଭିନୟ ରେଡ୍ଡୀଙ୍କ ଉପରେ ଜଳଯୋଗାଣ ସଂଯୋଗ କଟାଯାଇଥିବା ଅଭିଯୋଗ ହୋଇଛି। ସୂଚନାଯୋଗ୍ୟ, ଅଭିନୟ ରେଡ୍ଡୀ ବିଧାୟକ କରୁଣାକର ରେଡ୍ଡୀଙ୍କ ପୁଅ।

କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଚଳିତ ସପ୍ତାହରେ ତିରୁପତି ବିମାନ ବନ୍ଦର ଏବଂ ବିମାନ ବନ୍ଦର କର୍ମଚାରୀଙ୍କ ବାସଭବନରେ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ତିରୁପତି ରେନିଗୁଣ୍ଟା ବିମାନ ବନ୍ଦରର ମ୍ୟାନେଜର ସୁନିଲ ଏବଂ ଡେପୁଟୀ ମେୟର ଅଭିନୟ ରେଡ୍ଡୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଯୁକ୍ତିତର୍କ ହୋଇଥିଲା। ଏହାପରେ ବିମାନ ବନ୍ଦରର ଅଧିକାରୀ ଅଭିନୟ ରେଡ୍ଡୀଙ୍କୁ ବିମାନ ବନ୍ଦର ଭିତରକୁ ପ୍ରବେଶ ଅନୁମତି ଦେଇନଥିଲେ।

ଏଥିରେ କ୍ରୋଧିତ ହୋଇ ଅଭିନୟ ରେଡ୍ଡୀ ତିରୁପତି ବିମାନ ବନ୍ଦର ଏବଂ ଏଠାକାର କର୍ମଚାରୀଙ୍କ ବାସଭବନରେ ଜଳ ଯୋଗାଣ କନେକ୍ସନ କାଟି ଦେଇଥିଲେ। ରାଜ୍ୟସଭା ସାଂସଦ ଜିଭିଏଲ ନରସିମାହ ରାଓ ଏହି ମାମଲାରେ ଟ୍ଵିଟ୍ କରି ଏହାକୁ ନିନ୍ଦନୀୟ ଘଟଣା କହି ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ। ଏହା ପରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଛନ୍ତି, ଆମେ ନିଜ ସ୍ତରରେ ଏହି ମାମଲାର ତଦନ୍ତ କରୁଛୁ। ଏହା ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯାତ୍ରୀ ଏବଂ କର୍ମଚାରୀଙ୍କୁ ଭବିଷ୍ୟତରେ ଏମିତି କୌଣସି ସସମ୍ୟାର ସମ୍ମୁଖୀନ ହେବାକୁ ନପଡେ, ସେଥିପ୍ରତି ଗୁରୁତ୍ଵ ଦିଆଯିବ।

ସୂଚନାଯୋଗ୍ୟ, ରେଡ୍ଡୀ ରାଜ୍ୟର କ୍ଷମତାସୀନ ପାର୍ଟି ଓ୍ଵାଇଏସଆର କଂଗ୍ରେସ ପାର୍ଟିର ନେତା। ତିରୁପତି ରେନିଗୁଣ୍ଟା ବିମାନ ବନ୍ଦର ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ଅଟେ। ଏହାର ସଞ୍ଚାଳନ ଦାୟିତ୍ଵ ଭାରତୀୟ ବିମାନ ପ୍ରାଧିକରଣ ହାତରେ ରହିଛି।

Get real time updates directly on you device, subscribe now.