fbpx

ରାଗି ଯାଇ ଫିରିଙ୍ଗିଆ ଥାନା ଜାଳିଦେଲେ ଲୋକେ: ପୋଲିସ ପ୍ରତି ଆକ୍ରୋଶରୁ ଏମିତି କାଣ୍ଡ

ଫିରିଙ୍ଗିଆ: ପୋଲିସ ପ୍ରତି ଲୋକଙ୍କ ଆକ୍ରୋଶ ଏବେ ନିଆଁରେ ଜଳୁଛି । ଆକ୍ରୋଶରୁ ଉତ୍ତେଜନା ଏବଂ ପରେ ବର୍ତ୍ତମାନ ଏହା ନିଆଁର ରୂପ ନେଇଛି । ଉତ୍ୟକ୍ତ ଲୋକେ ଫିରିଙ୍ଗିଆ ଥାନାରେ ନିଆଁ ଲଗାଇ ଦେଇଛନ୍ତି । ତେବେ ପୋଲିସ ଉପରେ ଏକ ସଂଘାତିକ ଅଭିଯୋଗ ଆଣି ଏଭଳି କାଣ୍ଡ ଘଟାଇଛନ୍ତି ସ୍ଥାନୀୟ ଲୋକେ । ଗଞ୍ଜେଇ ଚାଲାଣରେ ଥାନା କର୍ମଚାରୀ ଲିପ୍ତ ଥିବା ଅଭିଯୋଗ କରି ଉତ୍ତେଜିତ ଲୋକମାନେ ଥାନାରେ ନିଆଁ ଲଗାଇ ଦେଇଛନ୍ତି । ଥାନାର ଆଇଆଇସି ଏବଂ ତାଙ୍କର ୨ ସହଯୋଗୀଙ୍କ ବିରୋଧରେ ଏ ନେଇ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ସୂଚନା ଥାଉ କି ଗତ ୩ ତାରିଖରେ ଥାନା ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଧରା ପଡ଼ିଥିଲା । ଏହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ତେବେ ଏ ମାମଲା ନେଇ କନ୍ଧମାଳ ଏସପିଙ୍କୁ ଫେରାଦ ହୋଇଥିଲେ ସ୍ଥାନୀୟ ଲୋକେ । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ ଉତ୍ତେଜନା ବୃଦ୍ଧି ପାଇଛି । ଆଜି ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ । ତେବେ ଲୋକମାନଙ୍କୁ ବୁଝାସୁଝା କରିବା ବେଳେ ପୋଲିସ ଏବଂ ଅଞ୍ଚଳବାସୀଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ତେବେ ଏଥିରେ ଉତ୍ୟକ୍ତ ଲୋକେ ଥାନାରେ ନିଆଁ ଲଗାଇ ଦେଇଛନ୍ତି ।

Get real time updates directly on you device, subscribe now.