fbpx

ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀଙ୍କୁ ସିବିଆଇର ଜେରା

ମହାରାଷ୍ଟ୍ର ୧୪ ।୪ (ଓଡିଶା ଭାସ୍କର) : ସିବିଆଇ ନିକଟରେ ହାଜର ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ବଟି ଆଦାୟ ମାମଲାରେ ଏପ୍ରିଲ ୧୨ ତାରିଖରେ ସିବିଆଇ ପକ୍ଷରୁ ତାଙ୍କୁ ସମନ ପଠା ଯାଇଥିଲା । ଏନେଇ ଆଜି ଗୃହମନ୍ତ୍ରୀ ଡିଆରଡିଓର ଏକ ଗେଷ୍ଟ ହାଉସରେ ହାଜର ହେବା ସହ ସିବିଆଇ ଜେରାର ସମ୍ମୁଖୀନ ହେଉଛନ୍ତି । ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ବଟି ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିବା ନେଇ ମୁମ୍ବାଇର ପୂର୍ବତନ ପୋଲିସ୍ କମିଶନର ପରମବୀର ସିଂହ ଅଭିଯୋଗ କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାର ତଦନ୍ତ ପାଇଁ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମହାରାଷ୍ଟ୍ର ସରକାର ଓ ଅନୀଲ ଦେଶମୁଖ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟଙ୍କ ରାୟକୁ ବଳବତ୍ତର ରଖିଥିଲେ ।

ଏହା ପୂର୍ବରୁ ଅନୀଲ ଦେଶମୁଖଙ୍କ ଦୁଇ ସହଯୋଗୀ ଏବଂ ସଚିନ ବାଜେଙ୍କ ଦୁଇ ଡ୍ରାଇଭରର ବୟାନ୍ ରେକର୍ଡ କରିସାରିଛି ସିବିଆଇ ।ସଚିନ ୱାଜେଙ୍କ ଡ୍ରାଇଭର ଆଣ୍ଟିଲିଆରେ ବିସ୍ଫୋରକ ସାମଗ୍ରୀ ରଖିବା ଏବଂ କାର ମାଲିକ ମନସୁଖ ହିରେନ ହତ୍ୟା ଦୁଇଟି ମାମଲାରେ ଅନେକ ତଥ୍ୟ ସିବିଆଇ ଆଗରେ ପ୍ରକାଶ କରିଛି । ଅନୀଲ ଦେଶମୁଖ ତାଙ୍କ ସହଯୋଗୀଙ୍କ ଜରିଆରେ ସଚିନ ବାଜେଙ୍କୁ ମାସିକ ୧୦୦ କୋଟି ଟଙ୍କା ବଟି ଆଦାୟ କରିବାକୁ କହିଥିବା ପରମବୀର ସିବିଆଇ ଆଗରେ କହିଥିଲେ। ତେଣୁ ଦେଶମୁଖଙ୍କୁ ଜେରା କରିବା ପୂର୍ବରୁ ତାଙ୍କର ଦୁଇ ସହଯୋଗୀଙ୍କୁ ଜେରା କରିଥିଲା ସିବିଆଇ।

Get real time updates directly on you device, subscribe now.