fbpx

ଆହୁରି ୨୪ଘଣ୍ଟା ଗୁଳୁ ଗୁଳି, ୫ ତାରିଖରୁ ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର: ଗୋଟିଏ ପଟେ ଗତ କିଛି ଦିନ ହେବ ସାରା ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାବେଳେ ଅନ୍ୟପକ୍ଷରେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଏକ ଆଶ୍ୱସ୍ତିକର ଖବର ଦେଇଛି । ବାତ୍ୟା ହେବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ ପାଣିପାଗ କେନ୍ଦ୍ରର ବିଶେଷଜ୍ଞ ଉମାଶଙ୍କର ଦାସ ଖଣ୍ଡନ କରିବା ସହ କହିଛନ୍ତି ଯେ, ବାତ୍ୟା ହେବାର କୌଣସି ସୂଚନା ମିଳିନାହିଁ । ଏନେଇ ଆକଳନ ମଧ୍ୟ ହୋଇନାହିଁ । ଏପରିକି ଭାରତୀୟ ପାଣିପାଗ ବିଭାଗ ମଧ୍ୟ କୌଣସି ସୂଚନା ଜାରି କରିନାହିଁ । ତେବେ ଆସନ୍ତା ୮ ତାରିଖରେ ପ୍ରଥମ ଲଘୁଚାପ କ୍ଷେତ୍ର ଓ ୯ରୁ ୧୫ ଭିତରେ ଦ୍ୱିତୀୟ ଲଘୁଚାପ କ୍ଷେତ୍ର ସୃଷ୍ଟିହେବାର ସମାନ ଭାବନା ରହିଛି । ଫଳରେ ଦୁର୍ବଳ ଥିବା ମୌସୁମୀ ବାୟୁ ସକ୍ରିୟ ହେବାର ଆଶା କରାଯାଉଛି । ଏହାଫଳରେ ଏକ ନିମ୍ନ ଚାପରେଖା ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି ।

ଏହାର ପ୍ରଭାବରେ ରାଜ୍ୟରେ ୫ ତାରିଖରୁ ଘଡ଼ଘଡ଼ି ସହ ବର୍ଷା ହେବ । ଏପରିକି ୫ଟି ଜିଲ୍ଲା ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦୁଝର ଓ ମୟୁରଭଞ୍ଜରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ୬ ତାରିଖରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୭ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ । କେତେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ । ଏପରିକି ଚଳିତ ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ ବୋଲି ଶ୍ରୀ ଦାସ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଜୁନ୍ ୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୯୯୩ ମି.ମି. ବର୍ଷା ରେକର୍ଡ କରାଯାଇଛି । ଯାହାକି ସ୍ୱାଭାବିକ ବର୍ଷା ୯୪୧.୨ ମି.ମି. ତୁଳନାରେ ୬% ଅଧିକ ରହିଛି । ଦେବଗଡ଼, ଢ଼େଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଥିବା ପାଣିପାଗ ବିଜ୍ଞାନୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.