ଜୁନ୍ ୧୭ ସୁଦ୍ଧା ଓଡ଼ିଶାରେ ଖୋଲିବ ଆଉ ୬୪ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଅଦ୍ୟାବଧି ୨୫୦ ଗୋଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ ଥିବାବେଳେ ଅବଶିଷ୍ଟ ୬୪ ଗୋଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଆସନ୍ତା ଜୁନ ମାସ ୧୭ ତାରିଖଠାରୁ କାର୍ଯ୍ୟକ୍ଷମ ହେବ । ଏହି ୬୪ ଗୋଟି ଆଦର୍ଶ ବିଦ୍ୟାଳୟରେ ଜୁନ୍ ୧୭ ଠାରୁ ୬ଷ୍ଠ ଶ୍ରେଣୀର ପାଠପଢା ଆରମ୍ଭ କରାଯିବ ।

ସେହିପରି ଏହି ବିଦ୍ୟାଳୟଗୁଡ଼ିକର ସୁପରିଚାଳନା ନିମନ୍ତେ ଆବଶ୍ୟକ ଥିବା ୧୭୪୯ ଗୋଟି ପଦବୀ ପୂରଣ ପ୍ରକ୍ରିୟା ଆସନ୍ତା ଜୁନ୍ ମାସ ମଧ୍ୟରେ ଶେଷ ହେବ ବୋଲି ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ମଙ୍ଗଳବାର ପୂର୍ବାହ୍ନରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ଲୋକସେବା ଭବନ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନର କାର୍ଯ୍ୟ ସମୀକ୍ଷା କରିଥିଲେ । ବୈଠକରେ ସମସ୍ତ ଆଦର୍ଶ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ୨୦୨୩ ମସିହା ନଭେମ୍ବର ମାସ ମଧ୍ୟରେ ସମାପନ କରାଯିବା ପାଇଁ ସ୍ଥିର କରାଯାଇଛି ।

ସମସ୍ତ ଆଦର୍ଶ ବିଦ୍ୟାଳୟରେ ଛାତ୍ରୀମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ହଷ୍ଟେଲ ନର୍ମାଣ କାର୍ଯ୍ୟ ୨୦୨୩ ମସିହା ନଭେମ୍ବର ମାସ ମଧ୍ୟରେ ସମାପନ କରାଯିବା ପାଇଁ ମଧ୍ୟ ସ୍ଥିରୀକୃତ ହୋଇଛି । ଏହି ସମୀକ୍ଷା ବୈଠକରେ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରେମଚାନ୍ଦ ଚୌଧାରୀ ଓ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।