ଭୁବନେଶ୍ୱର : ରାଜ୍ୟରୁ ଏବେ ଶୀତ ଗାଏବ ହୋଇଯାଇଛି। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ୧୫ ଡିଗ୍ରୀ ଉପରେ ରହିଛି। ରାତିରେ ଶୀତ ବଦଳ ଗରମ ଅନୁଭୂତ ହେଉଛି। ଦିନବେଳା ତାତି ୩୦ ଡିଗ୍ରୀ ଉପରେ ରହୁଛି। ଶନିବାର ଠାରୁ ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ ଖସିବ ଓ ଥଣ୍ତା ବଢିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ତେବେ, ୯ ରୁ ପାରଦ ଖସିବ ଓ ଥଣ୍ତା ବଢିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି।
ଆସନ୍ତା ୧୪ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ଼. ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଦକ୍ଷିଣ ଆଭ୍ୟନ୍ତରିଣରେ ୯ ତାରିଖରୁ ରାତି ତାପମାତ୍ରା କମିବ। ୧୦ ତାରିଖରୁ ଉପକୂଳ ଓ ପଶ୍ଚିମ ଓଡି଼ଶାରେ ରାତି ତାପମାତ୍ରା ଖସିବ। ଆଜି ସ୍ବଳ୍ପ କୁହୁଡି ଅନୁଭୂତ ହୋଇପାରେ। ଦକ୍ଷିଣ ଆଭ୍ୟନ୍ତରୀଣରେ ୮ ତାରିଖରୁ ସ୍ବଳ୍ପ କୁହୁଡି ଦେଖାଦେବ। ଭୁବନେଶ୍ବର ସମେତ ଦକ୍ଷିଣ ଉପକୂଳରେ ଆଜିଠାରୁ ରୁ ୯ ତାରିଖ ମେଘୁଆ ପାଗ ରହିବ। ଆଜି ଠାରୁ ଆଭ୍ୟନ୍ତରରେ ୮ ରୁ ୯ ତାରିଖ ଯାଏଁ ଦକ୍ଷିଣ ଆଭ୍ୟନ୍ତରୀଣରେ ଓ ୯ ରୁ ୧୦ ଯାଏଁ ପଶ୍ଚିମ ଓଡି଼ଶା ଓ ଆଭ୍ୟନ୍ତରୀଣରେ ପାଗ ଆଶିଂକ ମେଘୁଆ ରହିପାରେ।
ଏବେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆହୁରି ଘନୀଭୂତ ହେବ। ୧୨ ତାରିଖରୁ ଏହା ଶ୍ରୀଲଙ୍କା ଉପକୂଳ ଛୁଇଁପାରେ। ୧୪ ରେ ଦକ୍ଷିଣ ପୂର୍ବ ବଙ୍ଗୋପାଗର ଓ ଦକ୍ଷିଣ ଆଣ୍ତାମାନ ସାଗରରେ ଲଘୁଚାପ ରୂପ ନେବ। ୪୮ ଘଣ୍ଟାରେ ଏହା ଅବପାତ ରୂପ ନେଇ ଶ୍ରୀଲଙ୍କା ଓ ଦକ୍ଷିଣ ତାମିଲନାଡୁକୁ ମୁହାଁଇପାରେ ବୋଲି ସେ କହିଛନ୍ତି। ପଶ୍ଚିମାବାୟୁ ପ୍ରଭାବରେ ଏବେ ରାତି ତାପମାତ୍ରା ଅଧିକ ରହୁଛି। ପଶ୍ଚିମାବାୟୁ ପ୍ରଭାବରେ ଆଜି ଓ ଆସନ୍ତାକାଲି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ଖୋର୍ଦ୍ଧା, ଅନୁଗୁଳ, ଢେଙ୍କାନାଳ ଓ ଯାଜପୁର ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୮ ତାରିଖରେ ଆଭ୍ୟନ୍ତରୀଣ ଓଡିଶା ଓ ଉତ୍ତର ଓଡି଼ଶାରେ ବର୍ଷା ହେବ। କିଛି ସ୍ଥାନରେ କୂଆପଥର ବର୍ଷା ହୋଇପାରେ। ୯ରୁ ଥଣ୍ତା ବଢିବ। ୧୦ ଓ ୧୧ ରେ ଅଧିକ ଥଣ୍ତା ଅନୂଭୁତ ହେବ।