ଅନ୍ତ୍ୟୋଦୟ ଗୃହ ଯୋଜନା: ପ୍ରତି ପଞ୍ଚାୟତରୁ 10 ହିତାଧିକାରୀଙ୍କୁ 12 ତାରିଖରେ ମିଳିବ ପକ୍କାଘର

ଅନ୍ତ୍ୟୋଦୟ ଗୃହ ଯୋଜନାରେ ପକ୍କାଘର ଦେବେ ସରକାର । ପ୍ରତି ପଞ୍ଚାୟତରୁ 10 ହିତାଧିକାରୀଙ୍କୁ ମିଳିବ ପକ୍କା ଘର ।

ଭୁବନେଶ୍ବର: ଖରା ବର୍ଷାରୁ ମୁଣ୍ଡ ଗୁଞ୍ଜିବାକୁ ଆଉ ରହିବନି ଚିନ୍ତା। ପ୍ରତ୍ୟେକ ଗରିବଙ୍କ ମୁଣ୍ଡ ଉପରେ ଯେମିତି ପକ୍କା ଘର ରହିବ, ସେଥିପାଇଁ ମୋହନ ସରକାର ଆରମ୍ଭ କରିଛନ୍ତି ଅନ୍ତ୍ୟୋଦୟ ଗୃହ ଯୋଜନା। । ବର୍ଷ ପୂର୍ତ୍ତିରେ ପ୍ରତି ପଞ୍ଚାୟତରୁ 10 ଜଣଙ୍କ ମିଳିବ ପକ୍କା ଘର । ଏନେଇ ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ଅନ୍ତ୍ୟୋଦୟ ଯୋଜନାରେ ପକ୍କା ଘର ଦେବେ ସରକାର । 5 ଦିନ ଭିତରେ ତାଲିକା ଦେବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ 12 ତାରିଖ ଦିନ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମରେ ପକ୍କାଘର ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ।

ଅନ୍ତୋଦୟ ଗୃହ ଯୋଜନା ମାଧ୍ୟମରେ ସମସ୍ତଙ୍କ ମୁଣ୍ଡକୁ ପକ୍କା ଘର ସୁନିଶ୍ଚିତ କରୁଛି ବିଜେପି ସରକାର । ଏହି ଯୋଜନା ପାଇଁ 7,550 କୋଟି ଟଙ୍କାର ବ୍ୟୟବରାଦ ହେବା ସହିତ ତିନି ବର୍ଷ ଭିତରେ 2 ଲକ୍ଷ 25 ହଜାର ପକ୍କା ଘର ଯୋଗାଇ ଦେବା ଲକ୍ଷ ରଖାଯାଇଛି ।

ଏହି ଯୋଜନାରେ ଭିନ୍ନକ୍ଷମ, ବିଧବା, ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ, ସହିଦ ପରିବାର ବ୍ୟକ୍ତି, ପଦ୍ମଶ୍ରୀ ପାଇଥିବା ପରିବାର ବ୍ୟକ୍ତି, ବନ୍ୟା, ବାତ୍ୟା ଓ ଅଗ୍ନିକାଣ୍ଡ  ପୀଡ଼ିତ ଲୋକ ଲାଭ ପାଇବେ। ଏଥିପାଇଁ 2025-26 ଆର୍ଥିକ ବର୍ଷରେ 2ହଜାର 603 କୋଟି ଟଙ୍କା ବ୍ୟୟ ବରାଦ ରଖିଛନ୍ତି ମୋହନ ସରକାର।

ସୂଚନାଯୋଗ୍ୟ ଯେ, ଅନ୍ତ୍ୟୋଦୟ ଗୃହ ଯୋଜନା ଅଧିନରେ ଆସନ୍ତା 3ବର୍ଷରେ ଅତି କମରେ 2ଲକ୍ଷ 25 ହଜାର ନୂତନ ପକ୍କା ଘର ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି।