fbpx

ଥମିନି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ, ପୁରୀ ଗସ୍ତରେ ବାହାରିଲେ ଅପରାଜିତା: ଅଧାବାଟରେ ଅଟକାଇଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ପ୍ରକଳ୍ପ ବିବାଦ ଥମି ନଥିବା ବେଳେ ଆଜି ଏନେଇ ଏକ ନୂଆ ଟ୍ୱିଷ୍ଟ ଆସିଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି ଶହ ଶହ ସମର୍ଥକଙ୍କ ଗହଣରେ ପୁରୀ ଗସ୍ତରେ ବାହାରିଛନ୍ତି । ଅଧା ବାଟରେ ସାଂସଦଙ୍କୁ ଅଟକାଇଛି ପୋଲିସ । ଏହାପରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ସାଂସଦ ଅପରାଜିତା ।

ଚନ୍ଦନପୁର ନିକଟରେ ଅପରାଜିତା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ରାଲି କୌଣସି ଦଳୀୟ ଅଭିଯାନ ନୁହେଁ । ସବୁ ଦଳର ଲୋକମାନେ ଏହି ରାଲିରେ ସାମିଲ ହୋଇଛନ୍ତି । ମୁଁ ଚାଲି ଚାଲି ପୁରୀ ଗସ୍ତ କରିବି, ମହାପ୍ରଭୁଙ୍କ ଦର୍ଶନ ପାଇଁ କାହାର ଅନୁମତି ନେବାର ଦରକାର ନାହିଁ । ଏହା ବିଜେପିର କୌଣସି ଦଳୀୟ କାର୍ଯ୍ୟକ୍ରମ ନୁହେଁ, ବିଭିନ୍ନ ଦଳର ଲୋକମାନେ ଏହି ରାଲିରେ ସାମିଲ୍ ହୋଇଛନ୍ତି । ଯଦି ସରକାର ସବୁକିଛି ଠିକ୍ କରୁଛନ୍ତି, ତେବେ ଡରୁଛନ୍ତି କାହିଁକି?

ସୂଚନାଯୋଗ୍ୟ ଯେ, ଗତ କିଛିଦିନ ଧରି ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିଜେପି-ବିଜେଡି ମଧ୍ୟରେ ବିବାଦ ଜାରି ରହିଛି । ଉଭୟ ପକ୍ଷରୁ ଲୋକସଭାରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖାଯାଇଥିଲା । ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ବୟାନ ଓ ସାଂସଦ ଅପରାଜିତାଙ୍କ ବୟାନରେ କୌଣସି ତାଳମେଳ ରହିନଥିଲା । ପରିକ୍ରମା ପ୍ରକଳ୍ପ ରିପୋର୍ଟ ପୁନଃ ଦାଖଲ କରିବାକୁ ରାଜ୍ୟ ସରକାର ଓ ଏଏସଆଇକୁ ହାଇକୋର୍ଟ ଗତ ୨୧ ତାରିଖରେ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ମାସ ୧୬ରେ ଏହି ମାମଲାର ଶୁଣାଣି କରାଯିବ ବୋଲି ହାଇକୋର୍ଟ କହିଥିଲେ ।

Get real time updates directly on you device, subscribe now.