ଶସ୍ତା ହେଲା ଆଇଫୋନ, ୩ରୁ ୪ ପ୍ରତିଶତ ମୂଲ୍ୟ ହ୍ରାସ କରିବାକୁ ଘୋଷଣା କଲା କମ୍ପାନୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୩ ଜୁଲାଇରେ ଜାରି କରିଥିବା ବଜେଟରେ ମୋବାଇଲ ଫୋନ ଏବଂ ଚାର୍ଜର ଶସ୍ତା କରିବାକୁ ଘୋଷଣା କରିଛନ୍ତି । ଗ୍ରାହକଙ୍କୁ ଏହାର ଫାଇଦା ପ୍ରଥମଥର ପାଇଁ ଆପଲ କମ୍ପାନୀ ଦେବାକୁ ଯାଉଛି । କମ୍ପାନୀ ନିଜ ଲୋକପ୍ରିୟ ଆଇଫୋନର ପୁରା ସିରିଜର ଦରରେ ୩ରୁ ୪ପ୍ରତିଶତ ହ୍ରାସ କରିବାର ଘୋଷଣା କରିଛି । ଆପଲ ଏହି ନିଷ୍ପତ୍ତି ମୋବାଇଲ ଫୋନରେ କଷ୍ଟମ ଡ୍ୟୁଟିକୁ ୨୦ ପ୍ରତିଶତ ହ୍ରାସ କରି ୧୫ ପ୍ରତିଶତ କରିବା ପରେ ନେଇଛି ।

ଆପଲ ଦ୍ୱାରା ଦିଆଯାଇଥିବା ସୂଚନା ମୁତାବକ, ଏହାର ପ୍ରୋ ଏବଂ ପ୍ରୋ ମ୍ୟାକ୍ସ ଭଳି ମହଙ୍ଗା ଫୋନ ମଧ୍ୟ ୫,୧୦୦ ଟଙ୍କାରୁ ୬୦୦୦ ଟଙ୍କା ପର୍ଯ୍ୟନ୍ତ ଶସ୍ତା ହୋଇଯାଇଛି । ଏହା ବ୍ୟତୀତ ମେଡ ଇନ ଇଣ୍ଡିଆ ଆଇଫୋନ ୧୩, ୧୪ ଏବଂ ୧୫ର ମୂଲ୍ୟରେ ବି ପାଖାପାଖି ୩୦୦ ଟଙ୍କା ହ୍ରାସ ପାଇଛି । ଏଥିସହ ଆଇଫୋନ ଏସଇର ମୂଲ୍ୟ ମଧ୍ୟ ୨୩୦୦ ଟଙ୍କା କମ ହୋଇଯାଇଛି । ଆପଲ ପ୍ରଥମ ଥର ନିଜ ପ୍ରୋ ମଡେଲର ମୂଲ୍ୟ ହ୍ରାସ କରିଛି ।

ଅର୍ଥମନ୍ତ୍ରୀଙ୍କ ଦ୍ୱାରା ବଜେଟରେ ଦିଆଯାଇଥିବା ଆଶ୍ୱସ୍ତିର ଫାଇଦା ତୁରନ୍ତ କଷ୍ଟମର ପର୍ଯ୍ୟନ୍ତ ପହଞ୍ଚାଇଛି ଆପଲ କମ୍ପାନୀ । ଏଥିରେ ଆପଲର ନୀତିରେ ମଧ୍ୟ ପରିବର୍ତ୍ତନ ଦେଖାଯାଇଛି । ଏପର୍ଯ୍ୟନ୍ତ ସେ ନୂଆ ମଡେଲର ଲଞ୍ଚ ସହ ପୁରୁଣା ପ୍ରୋ ମଡେଲ ବନ୍ଦ କରିଦେଇଛି । ମାତ୍ର କିଛି ଡିଲର୍ସ ଷ୍ଟକକୁ କ୍ଲିୟର କରିବା ପାଇଁ ନିଜ ପକ୍ଷରୁ ଏହି ମଡେଲରେ ଡିସକାଉଣ୍ଟ ଦେଉଥିଲା ।