ମାସିକ ଋତୁସ୍ରାବ ଠିକ ସମୟରେ ହେଉନି କି ? ତେବେ କରନ୍ତୁ ଏହି ଯୋଗାସନ

ଆଜିକାଲି ଖରାପ ଖାଇବା ପିଇବା ଓ ଲାଇଫଷ୍ଟାଇଲ ଯୋଗୁଁ ଅନେକ ମହିଳାମାନେ ମାସିକ ଋତୁସ୍ରାବ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ପେଟ ଯନ୍ତ୍ରଣା, ପ୍ରବଳ ରକ୍ତସ୍ରାବ, ଅନିୟମିତତା ଭଳି ସମସ୍ୟା ହୋଇଥାଏ । ତେବେ ମାସିକ ଧର୍ମରେ ଅନିୟମିତତା ହେତୁ ଅନେକ ପ୍ରକାରର ଶାରୀରିକ ସମସ୍ୟା ମଧ୍ୟ ହେବାର ସମ୍ଭାବନା ଥାଏ। ତେବେ ଅନେକ ଯୋଗାସନ ରହିଛି ଯାହା ଏ କ୍ଷେତ୍ରରେ ଅନେକ ଉପକାରୀ ।

ମଳାସନ କଲେ ଋତୁସ୍ରାବରେ ଅନିୟମିତତା ସମସ୍ୟା ଦୂର ହୋଇଥାଏ । ପ୍ରଥମେ ବସି ପଡନ୍ତୁ । ଗୋଇଠିକୁ ଭୂମିରୁ ଉଠାନ୍ତୁ। ଏହା ପରେ ଜଙ୍ଘ ମଝିରେ ଫାଙ୍କ ରଖି ଆଗକୁ ଝୁଙ୍କନ୍ତୁ ଓ ଉଭୟ ହାତକୁ ମୋଡି କହୁଣୀକୁ ଜଙ୍ଘ ଉପରେ ରଖନ୍ତୁ। ଏହାପରେ ହାତକୁ ବୁଲେଇ ଗୋଇଠିକୁ ଟିକିଏ ଉପରକୁ ଉଠାନ୍ତୁ। ସ୍କାଟ୍ ସ୍ଥିତିରେ ରୁହନ୍ତୁ।

ସେହିପରି ମତ୍‌ସ୍ୟାସନ କଲେ ସୁଫଳ ମିଳେ ଅନିୟମିତ ଋତୁସ୍ରାବକୁ ସମସ୍ୟା । ପିଠି ଉପରେ ଶୋଇ ହାତକୁ ନିତମ୍ବ ତଳେ ରଖନ୍ତୁ। କହୁଣୀରେ ଭାର ଦେଇ ଛାତିକୁ ଉପରକୁ ଉଠାନ୍ତୁ। କିଛି ସମୟ ରହି ମୂଳ ଅବସ୍ଥାକୁ ଆସନ୍ତୁ।

ଧନୁରାସନ, ଉଷ୍ଟ୍ରାସନ କଲେ ମାସିକ ଧର୍ମରେ ଅନିୟମିତତା ସମସ୍ୟା ହୋଇନଥାଏ । ଧନୁରାସନ କରିବାକୁ ପ୍ରଥମେ ପେଟ ମାଡି ଶୋଇଯାଆନ୍ତୁ ଏବଂ ଗୋଡକୁ ଟିକିଏ ଚଉଡା କରନ୍ତୁ। ଆଣ୍ଠୁ ପାଖରୁ ଭାଙ୍ଗି ଦୁଇ ଗୋଡ ଉପରକୁ ଉଠାନ୍ତୁ ଏବଂ ପାଦ ତଳୁ ହାତରେ ଧରନ୍ତୁ। ଗଭୀର ଶ୍ୱାସ ନେଇ, ଛାତି ଏବଂ ଗୋଡକୁ ଉପରକୁ ଉଠାନ୍ତୁ। ଏହି ଅବସ୍ଥାରେ କିଛି ସମୟ ରହି ମୂଳ ଅବସ୍ଥାକୁ ଫେରି ଆସନ୍ତୁ ।

ସେହିପରି ଉଷ୍ଟ୍ରାସନ କରିବାକୁ ପ୍ରଥମେ ଆଣ୍ଠେଇ ହାତକୁ ନିତମ୍ବ ଉପରେ ରଖନ୍ତୁ। ଗଭୀର ଶ୍ୱାସ ନେଇ ଅଣ୍ଟା ପାଖରୁ ଆଗକୁ ନିଅନ୍ତୁ। ଦୁଇ ହାତକୁ ବୁଲାଇ ପାଦ ବା ଗୋଇଠି ଉପରେ ରଖନ୍ତୁ। ପିଠିକୁ ବଙ୍କା କରନ୍ତୁ। କିଛି ସମୟ ଏହି ଅବସ୍ଥାରେ ରହି ମୂଳ ଅବସ୍ଥାକୁ ଫେରି ଆସନ୍ତୁ ।