RBI କୁ ଫେରିଛି ଏତିକି ୨୦୦୦ ଟଙ୍କିଆ ନୋଟ: ସୂଚନା ଦେଲେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ

ନୂଆଦିଲ୍ଲୀ: ମେ’ ୧୯ ତାରିଖରୁ ଭାରତରେ ଅଚଳ ହୋଇଯାଇଛି ୨୦୦୦ ଟଙ୍କିଆ ନୋଟ୍ । ଏହି ନିଷ୍ପତ୍ତିକୁ ୟା ଭିତରେ ଏକ ମାସରୁ ଉଦ୍ଧାର ବିତି ସାରିଛି । ତେବେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ ଡିପୋଜିଟ କରିବା ପାଇଁ କୁହାଯାଇଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ରିଜର୍ଭ ବ୍ୟାଙ୍କକୁ କେତେ ୨୦୦୦ ଟଙ୍କିଆ ନୋଟ୍ ଫେରିଛି ? ଏ ନେଇ ସୂଚନା ଦେଇଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସ ।

ଗଭର୍ଣ୍ଣର କହିଛନ୍ତି ଯେ, ମେ’ ୨୦ ତାରିଖରୁ କେନ୍ଦ୍ରୀୟ ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ ଡିପୋଜିଟ ଆରମ୍ଭ ହୋଇଛି । ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଏହି ନୋଟକୁ ପ୍ରତ୍ୟାବର୍ତ୍ତନ କରାଇନେବା ପାଇଁ ଗ୍ରାହକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଆଜି ପର୍ଯ୍ୟନ୍ତ ମୋଟ ୩.୬୨ ଲକ୍ଷ କୋଟି ଟଙ୍କା ଡିପୋଜିଟ ହୋଇଥିବା କହିଛନ୍ତି ଆରବିଆଇର ଗଭର୍ଣ୍ଣର । ଏହାସହିତ ସେ କହିଛନ୍ତି ଯେ, ଫେରିଥିବା ୨ ହଜାର ଟଙ୍କିଆ ନୋଟ୍ ମଧ୍ୟରୁ ପ୍ରାୟ ୮୫ ପ୍ରତିଶତ ବ୍ୟାଙ୍କ ଆକାଉଣ୍ଟ ଜମା ଆକାରରେ ଆସିଛି । ତେବେ ଆଗକୁ ଆହୁରି ଏହି ସଂଖ୍ୟାରେ ବୃଦ୍ଧି ହେବ ବୋଲି ସେ ଆଶା ରଖିଛନ୍ତି । ତେବେ ସେପ୍ଟେମ୍ବର ୩୦ ତାରିଖ ପୂର୍ବରୁ ଏହି ସମସ୍ତ ୨୦୦୦ ଟଙ୍କିଆ ନୋଟ୍ ତଥା ଶତ ପ୍ରତିଶତ ନୋଟ ବ୍ୟାଙ୍କକୁ ଫେରସ୍ତ ହୋଇ ଆସିବ ।