fbpx

ନୋଟିସ୍ ପରେ ବି କ୍ରାଇମବ୍ରାଞ୍ଚ ସାମନାରେ ହାଜର ହେଲେନି ଆଶିଷ, ସକାଳ ୧୦ଟାରେ ଦିଆଯାଇଥିଲା ସମୟ

ଲକ୍ଷ୍ନୌ : ଲଖିମପୁର ଖେରୀ ହିଂସାକାଣ୍ଡର ଷଷ୍ଠ ଦିନ ୟୁପିରେ ଗୋଟେ ପଟେ ପୋଲିସ୍ ସକ୍ରିୟ ଥିବା ଦେଖାବାକୁ ମିଳିଛି ତ ଅନ୍ୟପଟେ ମାହୋଲ ଏବେ ବି ହିଂସାତ୍ମକ ରହିଛି । ଏହା ଭିତରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ତଥା ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ପାଖରେ ହାଜର ହେବାକୁ ନୋଟିସ୍ କରାଯାଇଥିଲା । ମନ୍ତ୍ରୀ ଅଜୟ ମିଶ୍ରଙ୍କ ଘର ସାମନାରେ ନୋଟିସ୍ ଲଗାଯାଇଥିଲା । ଆଶିଷ ଆଜି ସକାଳ ୧୦ଟା ସମୟରେ ହାଜର ହୋଇଥାନ୍ତେ । କିନ୍ତୁ ନୋଟିସ୍ ପରେ ବି ଆଶିଷ ହାଜର ହୋଇନଥିଲେ ।

ମିଡିଆ ରିପୋର୍ଟ ମୁତାବକ, ଆଶିଷ ଲଖିମପୁର ସୀମା ସହିତ ଲାଗିଥିବା ନେପାଳ ସୀମାବର୍ତ୍ତୀ ଅଞ୍ଚଳରେ ଯାଇ ଲୁଚିଯାଇଛନ୍ତି । ଏନେଇ ଆଶଙ୍କା ପ୍ରକାଶ ପାଇଛି । ଆଶିଷ ନେପାଳ ସୀମା ନିକଟରେ କୌଣସି ସ୍ଥାନରେ ଲୁଚି ଥାଇପାରନ୍ତି। ଗତକାଲି ସୁପ୍ରିମକୋର୍ଟଙ୍କ ବିଚାର ପରେ ୟୁପି ପୋଲିସ୍ ଆଶିଷଙ୍କ ମାମଲାରେ ସକ୍ରିୟତା ଦେଖାଇ ଥିଲା । ପୋଲିସ ଆଶିଷଙ୍କ ଘରକୁ ମଧ୍ୟ ଯାଇଥିଲା। ଯେତେବେଳେ ପୋଲିସ୍ ତାଙ୍କୁ ଘରୁ ପାଇନଥିଲା ତେଣୁ ସକାଳ ୧୦ଟା ସୁଦ୍ଧା କ୍ରାଇମବ୍ରାଞ୍ଚ ପାଖରେ ହାଜର ହେବାକୁ ଫାଟକରେ ହିଁ ନୋଟିସ୍ ଲଗାଇଦେଇଥିଲା । ବର୍ତ୍ତମାନ ୧୦ଟା ହୋଇଯାଇଥିଲେ ସୁଦ୍ଧା ସେ ପୋଲିସ୍ ପାଖରେ ହାଜର ହୋଇନାହାନ୍ତି । ତେଣୁ ସେ ଫେରାର୍ ହୋଇଯାଇଥିବା ଆଶଙ୍କା କରାଯାଉଛି । ପୋଲିସ୍ ର ଟିମ୍ ଏବେ ତାଙ୍କୁ ଖୋଜୁଛି ।

ଏହି ମାମଲାରେ ବିରୋଧୀ ମାନେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କରି ଦେଇଛନ୍ତି । ସେମାନଙ୍କ କହିବା ମୁତାବକ, ମନ୍ତ୍ରୀଙ୍କ ପୁଅ ହୋଇଥିବାରୁ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରାଯାଉଛି । ଘଟଣାକୁ ୬ ଦିନ ବିତି ଯାଇଥିଲେ ସୁଦ୍ଧା ଅଭିଯୁକ୍ତଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ । ଅନ୍ୟପଟେ ଆଜି ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଆଜି ବହରାଇଚ୍ କୁ ଯାଇ ଲଖିମପୁର ହିଂସାରେ ମୃତ୍ୟୁବରଣ କରିଥିବା ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିବେ ।

Get real time updates directly on you device, subscribe now.