fbpx

ରାଜ୍ୟ ବିଜେପିରେ ହେଭିୱେଟ୍ ନେତା ଥାଉଥାଉ ଅଶ୍ୱିନୀଙ୍କୁ ପାୱାରଫୁଲ୍ ବନାଇବାର କାରଣ କଣ?

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଓ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତେବେ ଅଶ୍ୱିନୀଙ୍କୁ ନେଇ କେବଳ ରାଜ୍ୟ ନୁହେଁ, ଦିଲ୍ଲୀ ଦରବାରରେ ଜୋରଦାରରେ ଚର୍ଚ୍ଚା ହେଉଛି । ରାଜ୍ୟରେ ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ଜୁଏଲ ଓରାମଙ୍କ ପରି ହେଭିୱେଟ୍ ନେତାଙ୍କ ଅଭାବ ନଥିବା ବେଳେ ମୋଦୀ କାହିଁକି ଅଶ୍ୱିନୀଙ୍କ ମୁଣ୍ଡରେ ସୁନା କଳସ ଢାଳିଲେ? ଏହି ପ୍ରଶ୍ନଟି ବର୍ତ୍ତମାନ ସଭିଙ୍କ ମନରେ ଉଙ୍କି ମାରୁଛି । ଅପରପକ୍ଷେ ରାଜ୍ୟ ବିଜେପିର ପୋଷ୍ଟରବୟ କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ୭ ବର୍ଷ ପରେ ପେଟ୍ରୋଲିୟମ ବିଭାଗ କାଢ଼ି ନିଆଯାଇ ଶିକ୍ଷା ବିଭାଗର ଦାୟିତ୍ୱ ପ୍ରଦାନ କରାଯାଇଛି । ପୁଣି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦରୁ ବିଦା କରାଯିବା ସଭିଙ୍କୁ ଚକିତ କରିବା ସ୍ୱାଭାବିକ । ରେଳବାଇ ପରି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ଅଶ୍ୱିନୀଙ୍କୁ ଦେଇ ମୋଦୀଙ୍କର କ’ଣ ଉଦ୍ଦେଶ୍ୟ ରହିଛି, ତାହା ଜାଣିବା ମୁସ୍କିଲ୍ ।

ସୂତ୍ରରୁ ଜଣାପଡ଼ିଛି ଯେ, ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ତା’ର ରଣନୀତି ଏବେଠାରୁ ପ୍ରସ୍ତୁତ କରୁଛି । ରାଜ୍ୟ ବିଜେପିରେ ଧର୍ମେନ୍ଦ୍ର ହିଁ ପୂର୍ବରୁ ଦଳର ଚେହେରା ଭାବେ ସାବ୍ୟସ୍ତ ହେଉଥିଲେ । ତେଣୁ ଧର୍ମେନ୍ଦ୍ର ବିଭିନ୍ନ ସମୟରେ ରାଜ୍ୟରେ ବିଜେପି ସଂଗଠନକୁ ଦୃଢ଼ କରିବାରେ ବ୍ୟସ୍ତ ରହୁଥିଲେ । ଏପରିକି ଧର୍ମେନ୍ଦ୍ରଙ୍କ ବିନା ଇସାରାରେ ରାଜ୍ୟ ବିଜେପିରେ ପତ୍ର ହଲେ ନାହିଁ ବୋଲି କୁହାଯାଉଥିଲା । ମାତ୍ର ବୈଜୟନ୍ତ ଓ ଅପରାଜିତାଙ୍କ ଦଳରେ ଏଣ୍ଟ୍ରି ପରେ ସତେ ଯେମିତି ସବୁ ସମୀକରଣ ବଦଳି ଯାଇଥିଲା । ଦିନକୁ ଦିନ ଦଳରେ ଗୋଷ୍ଠୀକନ୍ଦଳ ଦେଖିବାକୁ ମିଳିଥିଲା । ଉପରକୁ ସବୁ ଠିକଠାକ୍ ଦେଖାଯାଉଥିଲେ ହେଁ ଭିତରେ ପ୍ରଧାନ ବିରୋଧୀ ଗୋଷ୍ଠୀ ମାତିବାର ଦେଖାଯାଇଥିଲା । ଓଡ଼ିଶାରେ ବିଜେପିର ସ୍ଥିତି ବଢ଼ୁଛି, ଏକଥା କେନ୍ଦ୍ରୀୟ ନେତୃତ୍ୱଙ୍କର ବୋଧହୁଏ ହୃଦବୋଧ ହୋଇଥିଲା । ସେଥିପାଇଁ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଗତ ୨୦୧୯ ବିଧାନସଭା ଓ ଲୋକସଭା ନିର୍ବାଚନ ସମୟରେ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେଇ ବାରମ୍ବାର ପ୍ରଚାର ପାଇଁ ଚାଲି ଆସିଥିଲେ । ଯଦିଓ ବିଜେପି ପୂର୍ବାପେକ୍ଷା କିଛି ଅଧିକ ସିଟ୍ ଉଭୟ କ୍ଷେତ୍ରରେ ଜିତିଥିଲା, ତଥାପି ଆଖିଦୃଶିଆ ସଫଳତା ପାଇପାରିନଥିଲା । ବିଜେପିର ସେତେବେଳର ନାରା ‘ଡବଲ୍ ଇଞ୍ଜିନ’ ଡାଇଲଗ୍ ସତେ ଯେପରି ଇଞ୍ଜିନ୍ ଲେସ୍ ହୋଇଯାଇଥିଲା ।

ତେବେ ପରବର୍ତ୍ତୀ ସମୟରେ ଓଡ଼ିଶାରେ ବିଜେପିର ପ୍ରକୃତ ସ୍ଥିତି ବିଷୟରେ ବୋଧହୁଏ ମୋଦୀ ଜାଣିପାରିଥିଲେ । ତେଣୁ ଦଳର ସ୍ଥିତି ସୁଧାରିବାକୁ ଯାଇ କିଛି ପରିବର୍ତ୍ତନ କରିବାକୁ ଗୁରୁତ୍ୱ ଦେଇଥିଲେ । ଅନ୍ୟ କାହାକୁ ମନ୍ତ୍ରୀପଦ ମିଳିଥିଲେ ହୁଏତ ଗୋଷ୍ଠୀ କନ୍ଦଳ ବଢ଼ିଥାନ୍ତା, ତେଣୁ ଅଶ୍ୱିନୀଙ୍କୁ ମନ୍ତ୍ରୀ କରାଯାଇଛି । ଗୋଟିଏ ପଟେ ପ୍ରଧାନ ଗୋଷ୍ଠୀଙ୍କୁ ସନ୍ତୁଷ୍ଟ କରାଯିବା ସହ ଅନ୍ୟ ପକ୍ଷରେ ଅପରାଜିତା ଓ ବୈଜୟନ୍ତ୍ରଙ୍କ ଅନ୍ୟ ଦାୟିତ୍ୱ ଦିଆଯାଇ ସନ୍ତୁଷ୍ଟ କରାଯାଇଛି । ଅଶ୍ୱିନୀଙ୍କ ଭଳି ଜଣେ ଦକ୍ଷ, ନିର୍ବିବାଦୀୟ ବ୍ୟକ୍ତିଙ୍କର କେନ୍ଦ୍ରୀୟ ନେତାଙ୍କ ସହ ସିଧାସଳଖ ସମ୍ପର୍କ ରହିଛି । ତେଣୁ ଅଶ୍ୱିନୀଙ୍କ ପାଇଁ ଦଳରେ କୌଣସି ସମସ୍ୟା ସୃଷ୍ଟି ହେବ ନାହିଁ । ତେବେ ଅଶ୍ୱିନୀଙ୍କୁ ଦଳ ଭବିଷ୍ୟତର ଚେହେରା ଭାବେ ଉପସ୍ଥାପିତ କରିବ କି ଅନ୍ୟ କାର୍ଯ୍ୟରେ ନିୟୋଜିତ କରିବ, ତାହା ସମୟ ଆସିଲେ ଜଣାପଡ଼ିବ ।

Get real time updates directly on you device, subscribe now.