ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦୁର୍ଘଟଣା ସବୁବେଳେ ବିପଜ୍ଜନକ ହୋଇଥାଏ । ବୌଦ୍ଧରେ ଘଟିଯାଇଛି ଏକ ବଡ଼ଧରଣର ସଡ଼କ ଦୁର୍ଘଟଣା । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ବେଳେ ଟ୍ରକକୁ ପଛପଟୁ ପିଟିଥିଲା ଏକ ପୋଲିସ ଭ୍ୟାନ । ଫଳରେ ଘଟଣାସ୍ଥଳରେ ଭ୍ୟାନଟି ଭାଙ୍ଗିରୁଜି ଯିବା ସହିତ ଜଣେ ଏଏସଆଇଙ୍କ ସହିତ ୪ ଜଣ ଗୁରୁତର ହୋଇଛନ୍ତି । ଏହାପରେ ସମସ୍ତ ଆହତଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ବୌଦ୍ଧର ମନମୁଣ୍ଡା ନିକଟରେ ଘଟିଥିଲା ଏହି ସଡ଼କ ଦୁର୍ଘଟଣା । ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକକୁ ଅଚାନକ ପିଟିଥିଲା ଏକ ପିସିଆର ଭ୍ୟାନ । ଫଳରେ ଘଟଣାସ୍ଥଳରେ ମନମୁଣ୍ଡା ଥାନାର ୪ ଜଣ ପୋଲିସ କର୍ମଚାରୀ ଗୁରୁତର ହୋଇଥିଲୋ । ମନମୁଣ୍ଡା ଥାନାର ୧୧୨ ପିସିଆର ଗାଡ଼ିରେ ଏଏସଆଇଙ୍କ ନେତୃତ୍ୱରେ ଜଣେ କନଷ୍ଟେବଳ, ଜଣେ ଗୃହରକ୍ଷୀ ଓ ଜଣେ ଡ୍ରାଇଭର ଏକ ଦୁର୍ଘଟଣାସ୍ଥଳକୁ ଯାଇଥିଲେ ।
ମାତ୍ର ଫେରିବା ସମୟରେ ପିସିଆର ଏହି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ତୃପ୍ତି ହୋଟେଲ ସମ୍ମୁଖରେ ଛିଡ଼ା ହୋଇଥିବା ମାଲ ବୋଝେଇ ଟ୍ରକକୁ ଭ୍ୟାନଟି ପଛପଟୁ ଧକ୍କା ଦେବାରୁ ପୋଲିସ ଗାଡ଼ିଟି ଭାଙ୍ଗି ନଷ୍ଟ ହୋଇଯାଇଥିଲା । ତେବେ ଏଏସଆଇଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟ ୩ ଜଣ ପୋଲିସ କର୍ମଚାରୀ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।