fbpx

ଆସିଷ୍ଟାଣ୍ଟ ପ୍ରଫେସର ଅନଲାଇନ୍ ଆବେଦନ ଅବଧି ବଢ଼ିଲା: ସୂଚନା ଜାରି କଲା OPSC

ନୂଆଦିଲ୍ଲୀ: ରାଜ୍ୟର ୩ଟି ଇଞ୍ଜିନିୟରିଂ କଲେଜରେ ଗ୍ରୁପ-ଏ ପଦରେ ଆସିଷ୍ଟାଣ୍ଟ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯିବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୧- ଇନ୍ଦିରା ଗାନ୍ଧି ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି, ସାରଙ୍ଗ, ୨- ପାରଳା ମହାରାଜା ଇଞ୍ଜିନିୟରିଂ କଲେଜ, ବ୍ରହ୍ମପୁର ଓ ୩- ସରକାରୀ କଲେଜ ଅଫ୍ ଇଞ୍ଜିନିୟରିଂ, କେଉଁଝରରେ ଏହି ନିଯୁକ୍ତି ଦିଆଯିବ । ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକା ଶିକ୍ଷା ବିଭାଗ ଅଧିନରେ ଏହି ପଦ ପୂରଣ ହେବ ।
ତେବେ ଏହା ମଧ୍ୟରେ ସହକାରୀ ପ୍ରଫେସର ପଦକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । କିଛି ବୈଷୟିକ ତ୍ରୁଟି କାରଣରୁ ଏହି ପଦର ଅନଲାଇନ୍ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି । ପୂବରୁ ଅନଲାଇନ୍ ଆବେଦନର ଅନ୍ତିମ ତାରିଖ ଏପ୍ରିଲ ୨୬ ରହିଥିବା ବେଳେ ଏବେ ତାହା ମେ ୧୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ନିଯୁକ୍ତିର ଅନ୍ୟ ସମସ୍ତ ନିୟମ ପୂର୍ବପରି ଅପରିବର୍ତ୍ତିତ ରହିବ । ଏନେଇ ଓପିଏସସି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚିତ କରାଯାଇଛି ।

ସୂଚନାଯୋଗ୍ୟ ଯେ, ମୋଟ ୬୫ଟି ପଦ ଖାଲି ରହିଥିବା ବେଳେ ଅଣସଂରକ୍ଷିତ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗର ପ୍ରାର୍ଥୀଙ୍କ ପାଇଁ ପଦ ସଂରକ୍ଷିତ ରହିଛି । ସିଭିଲ ଇଞ୍ଜିନିୟରିଂ, ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ, ମେକାନିକାଲ ଇଞ୍ଜିନିୟରିଂ ଏପରି ଭାବେ ୧୩ଟି ବିଷୟରେ ପଦ ପୂରଣ ହେବ । ଚଳିତ ବର୍ଷ ଜାନୁଆରେୀ ମାସ ପହିଲା ସୁଦ୍ଧା ପ୍ରାର୍ଥୀଙ୍କର ବୟସ ଯୋଗ୍ୟତା ୨୧ରୁ ୩୮ ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ । ଏସସି, ଏସଟି ଓ ଏସଇବିସି ବର୍ଗର ପ୍ରାର୍ଥୀଙ୍କ କ୍ଷେତ୍ରରେ ନିୟମ ମୁତାବକ ବୟସ କୋହଳ କରାଯିବ । ସମସ୍ତ ବିଷୟର ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଅଲଗା ଅଲଗା ରହିଛି । ଓପିଏସସି ଜରିଆରେ ପ୍ରାର୍ଥୀଙ୍କୁ ସିଧାସଳଖ ଭାବେ ନିଯୁକ୍ତି ଦିଆଯିବ । ଲିଖିତ ପରୀକ୍ଷା ଓ ସାକ୍ଷାତକାର ମାଧ୍ୟମରେ ପ୍ରାର୍ଥୀଙ୍କୁ ଚୟନ କରାଯିବ । ପ୍ରାର୍ଥୀଙ୍କୁ ଏଥିପାଇଁ କୌଣସି ଆବେଦନ୍ ଫିସ୍ ଦେବାକୁ ପଡ଼ିବ ନାହିଁ ।

Get real time updates directly on you device, subscribe now.