fbpx

ଡ୍ରଗ୍ ମାଫିଆ ପୁଅକୁ ଗିରଫ ପରେ ମେକ୍ସିକୋରେ ସୃଷ୍ଟି ହେଲା ରକ୍ତପାତ, ୧୦ ସୈନିକଙ୍କ ସମେତ ୨୯ ମୃତ

ନୁଆଦିଲ୍ଲୀ: ମେକ୍ସିକୋରେ ଡ୍ରଗ୍ ମାଫିଆ ପୁଅକୁ ପୋଲିସ ଗିରଫ କରିବା ପରେ ସହରରେ ସୃଷ୍ଟି ହୋଇଛି ଦଙ୍ଗା ପରି ସ୍ଥିତି । ସରକାରଙ୍କ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଜେଲରେ ଥିବା ମେକ୍ସିକୋର ଡ୍ରଗ୍ ମାଫିଆ ଜୋକୁନ୍ ‘ଏଲ୍ ଚାପୋ’ ଗୁଜମାନ ପୁଅକୁ ଗିରଫ କରିବା ପରେ କାର୍ଟେଲ ମାଫିଆ ଗ୍ୟାଙ୍ଗ ସହ ଗୁଳି ବିନିମୟରେ ୧୦ ଜଣ ସୈନିକଙ୍କ ସମେତ ଅତି କମରେ ୨୯ ଜଣଙ୍କର ମୃତ୍ୟୁ ଘଟିଛି ।

ଏହି ସମୟରେ ହୋଇଥିବା ଗୁଳିକାଣ୍ଡରେ ୧୯ ଜଣ ମାଫିଆ ମଧ୍ୟ ନିହତ ହୋଇଥିଲେ। ଅନ୍ୟ ୩୫ ଜଣ ଯବାନ ଗୁଳିରେ ଆହତ ହୋଇଥିଲେ। ‘ଏଲ୍ ରାଟନ୍‌’ ବା ‘ମାଉସ୍‌’ ନାମରେ ପରିଚିତ ଓଭିଡିଓ ଗୁଜମାନଙ୍କୁ ଗୁରୁବାର ସକାଳେ ଉତ୍ତର ସିନାଲୋଆରେ ଗିରଫ କରାଯାଇ ଏକ ସାମରିକ ବିମାନରେ ମେକ୍ସିକୋ ସିଟିକୁ ପଠାଯାଇଥିଲା ।

ଓଭିଡିଓ ଗୁଜମାନ ଗିରଫ ହେବା ପରେ ସାଇନାଲୋ କାର୍ଟେଲ ସଦସ୍ୟ ଏବଂ ସେମାନଙ୍କ ସହଯୋଗୀମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିଲେ। ସେମାନେ ଅନେକ ଗାଡ଼ି ମଧ୍ୟ ଜାଳି ପ୍ରଶାନ୍ତ ଉପକୂଳବର୍ତ୍ତୀ ରାଜ୍ୟରେ ରାସ୍ତା ଅବରୋଧ କରିଥିଲେ । ଏପରିକି କାର୍ଟେଲର ସଦସ୍ୟମାନେ ଓଭିଡିଓ ଗୁଜମାନଙ୍କୁ ସୁରକ୍ଷା ଦେବା ପାଇଁ ଆକ୍ରମଣ କରି କୁଲିଆକାନ ବିମାନବନ୍ଦରରୁ ଉଡ଼ିବାକୁ ଯାଉଥିବା ଏକ ଯାତ୍ରୀବାହୀ ବିମାନ ଦୁଇଟି ବାୟୁସେନା ବିମାନକୁ ନଷ୍ଟ କରିଦେଇଥିଲେ ।

ଏହି ହିଂସା ଶକ୍ତିଶାଳୀ ଡ୍ରଗ୍ କାର୍ଟେଲ୍ ‘ଏଲ୍ ଚାପୋ’ ର ଘର ସିନାଲୋଆର ରାଜଧାନୀ କୁଲିଆକାନ୍ ଏବଂ ଏହାର ଆଖପାଖରେ କେନ୍ଦ୍ରୀଭୂତ ହୋଇଥିଲା । “ଏଲ୍ ଚାପୋ” ୨୦୧୬ ରେ ଗିରଫ କରାଯାଇଥିଲା ଏବଂ ୨୦୧୭ ରେ ଆମେରିକାକୁ ପ୍ରତ୍ୟର୍ପଣ କରାଯାଇଥିଲା । ଏହି ଘଟଣା ପରେ ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ ଗୁରୁବାରର ଅପରେସନ୍ ସମୟରେ ଅନ୍ୟ ୨୧ ଲୋକଙ୍କୁ ଗିରଫ କରାଯାଇଥିଲା ଏବଂ କୌଣସି ସାଧାରଣ ନାଗରିକଙ୍କ ମୃତ୍ୟୁ ଖବର ହୋଇ ନାହିଁ ।

Get real time updates directly on you device, subscribe now.