fbpx

ଓ୍ଵାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ମୋଦୀ ସରକାରଙ୍କ ବିରୋଧରେ ବିଜ୍ଞାପନ, ଲେଖା ହୋଇଛି- ସୀତାରମଣ ଓ୍ଵାଣ୍ଟେଡ୍

ନୂଆଦିଲ୍ଲୀ: ଆମେରିକାର ଏକ ପ୍ରମୁଖ ଖବରକାଗଜ ଓ୍ଵାଲ ଷ୍ଟ୍ରିଟ୍ ଜର୍ଣ୍ଣାଲରେ ଛପିଥିବା ଏକ ବିଜ୍ଞାପନ ସଂପ୍ରତି ବିବାଦ ଘେରରେ ରହିଛି। ବିଜ୍ଞାପନରେ ଭାରତର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ୧୦ ବରିଷ୍ଠ ସରକାରୀ ଅଧିକାରୀଙ୍କୁ ବିଦେଶୀ ନିବେଶକ ବିରୋଧୀ ଦର୍ଶାଇ ଓ୍ଵାଣ୍ଟେଡ୍ ଘୋଷିତ କରାଯାଇଛି। ବିଜ୍ଞାପନକୁ ନେଇ ଭାରତରେ ବଡ ବିବାଦ ସୃଷ୍ଟି ହୋଇଛି। ବିଜ୍ଞାପନ ଏମିତି ସମୟରେ ପ୍ରକାଶ ପାଇଛି ଯେତେବେଳେ ନିର୍ମଳା ସୀତାରମଣ ଜି ୨୦ର ଅର୍ଥ ମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କ ବୈଠକରେ ଯୋଗ ଦେବା ପାଇଁ ଆମେରିକାରେ ଅଛନ୍ତି।

ଅକ୍ଟୋବର ୧୩ରେ ପ୍ରକାଶିତ ଏହି ବିଜ୍ଞାପନରେ ନିର୍ମଳାଙ୍କ ବ୍ୟତୀତ ଆଣ୍ଟ୍ରିକ୍ସ କପର ଚେୟାରମ୍ୟାନ ରାକେଶ ଶଶିଭୂଷଣ, ସଲିସିଟର ଜେନେରାଲ ତୁଷାର ମେହଟ୍ଟା, ଉଚ୍ଚତମ ନ୍ୟାୟାଳୟର ବିଚାରପତି ହେମନ୍ତ ଗୁପ୍ତା, ଭି ରାମ ସୁବ୍ରମଣ୍ୟମ, ସ୍ପେଶାଲ ପିସି ଆକ୍ଟ ଜଜ ଚନ୍ଦ୍ରଶେଖର, ସିବିଆଇ ଡିଏସପି ଆଶିଷ ପାରିକ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର ଏବଂ ଅତିରିକ୍ତ ସଲିସିଟର ଜେନେରାଲ ଏନ ଭେଙ୍କଟରମଣଙ୍କ ନାମ ରହିଛି। ବିଜ୍ଞାପନରେ ଇଡିର ସହାୟକ ନିର୍ଦ୍ଦେଶକ ଆର ରାଜେଶ ଏବଂ ଉପ ନିର୍ଦ୍ଦେଶକ ଏ ସାଦିକ ମହମ୍ମଦଙ୍କ ମଧ୍ୟ ନାମ ରହିଛି।

ବିଜ୍ଞାପନରେ ଅଭିଯୋଗ କରାଯାଇଛି ଯେ, ଏହି ବ୍ୟକ୍ତିମାନେ ସରକାରୀ ସଂସ୍ଥାର ଦୁରୁପଯୋଗ କରି ଭାରତରେ ନିବେଶକଙ୍କ ପାଇଁ ଅସୁରକ୍ଷିତ ମାହୋଲ କରି ଦେଇଛନ୍ତି। ବିଜ୍ଞାପନର ନିମ୍ନରେ ଏକ କ୍ୟୁଆର କୋଡ୍ ବି ରହିଛି। ଏହା ଉପରେ ସ୍କାନ କଲେ ଆମେରିକାର ଥିଙ୍କ ଟ୍ୟାଙ୍କ ଅଫ ଫ୍ରିଡମର ଓ୍ଵେବସାଇଟ୍ ଖୋଲୁଛି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ବରିଷ୍ଠ ପରାମର୍ଶଦାତା କଞ୍ଚନ ଗୁପ୍ତା ଦାବି କରିଛନ୍ତି ଯେ, ଏହି ଅଭିଯାନକୁ ଡେଭାସ ମଲଟିମିଡିଆର ପୂର୍ବତନ ସିଇଓ ରାମଚନ୍ଦ୍ରନ ବିଶ୍ଵନାଥନ ଚଲାଉଛନ୍ତି। ସେ ଟ୍ଵିଟ୍ କରିଛନ୍ତି, ଧୋକାବାଜଙ୍କ ଦ୍ଵାରା ଆମେରିକା ମିଡିଆକୁ ହତିଆର କରିବା ନିନ୍ଦନୀୟ। ଏହି ଘୃଣିତ ବିଜ୍ଞାପନ ଭାରତ ଏବଂ ଏହାର ସରକାରଙ୍କୁ ଟାର୍ଗେଟ୍ କରିବା ପାଇଁ ଛପା ଯାଇଛି। କଣ ଆପଣ ଜାଣିଛନ୍ତି ଏହା ପଛରେ କାହାର ହାତ ରହିଛି ? ଏହି ଅଭିଯାନ ପଳାତକ ରାମଚନ୍ଦ୍ର ବିଶ୍ଵନାଥନ ଦ୍ଵାରା ଚଲାଯାଉଛି।

Get real time updates directly on you device, subscribe now.