fbpx

ଚଳିତ ବର୍ଷଠାରୁ ଅଗଷ୍ଟ ୧୨ ତାରିଖକୁ ରାଗିଂ ନିରୋଧୀ ଦିବସ ଭାବେ ପାଳନ କରାଯିବ: ରାଗିଂ ରୋକିବାକୁ UGCର ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀଙ୍କ ପାଇଁ ରାଗିଂ ଏକ ବଡ଼ ସମସ୍ୟା ସୃଷ୍ଟି କରିଛି । ବିଭିନ୍ନ ଶିକ୍ଷାନୁଷ୍ଠାନରେ ସିନିୟରମାନେ ଜୁନିୟର ପିଲାଙ୍କୁ ରାଗିଂ କରିବା ଫଳରେ ଅନେକ ଛାତ୍ରଛାତ୍ରୀ ଜୀବନ ହାରିଦେଉଥିବାର ଦେଖାଯାଉଛି । ଏନେଇ ପୂର୍ବରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯିବା ସହିତ ରାଜ୍ୟ ସରକାର ମଧ୍ୟ ହେଲପ୍ ଲାଇନ୍ ନମ୍ବର ଜାରି କରିଥିଲେ ।

ତେବେ ରାଗିଂ ରୋକିବାକୁ ଏହା ମଧ୍ୟରେ ୟୁଜିସି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଅଗଷ୍ଟ ୧୨ ତାରିଖକୁ ରାଗିଂ ନିରୋଧୀ ଦିବସ ଭାବେ ପାଳନ କରିବାକୁ ୟୁଜିସି ନିଷ୍ପତ୍ତି ନେଇଛି । ଚଳିତ ବର୍ଷ ଠାରୁ ପ୍ରତିବର୍ଷ ଏହାକୁ ପାଳନ କରାଯିବ । ୟୁଜିସିର ଏହି ଅଭିନବ ପଦକ୍ଷେପକୁ ଶିକ୍ଷାନୁଷ୍ଠାନ ସ୍ତରରେ ପାଳନ କରାଯିବ । ଅଗଷ୍ଟ ୧୨ରୁ ୧୮ ତାରିଖ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ରାଗିଂ ନିରୋଧୀ ସପ୍ତାହ ପାଳନ କରିବାକୁ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ୟୁଜିସି ପକ୍ଷରୁ ଚିଠି ଲେଖାଯାଇଛି ।

ଶିକ୍ଷାନୁଷ୍ଠାନମାନଙ୍କରେ ରାଗିଂ ନିରୋଧୀ ସପ୍ତାହ ପାଳନ ନେଇ ୟୁଜିସି ପକ୍ଷରୁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି ଅବସରରେ ଶିକ୍ଷାନୁଷ୍ଠାନମାନଙ୍କରେ ରାଗିଂ ନିରୋଧୀ ପ୍ରବନ୍ଧ ଲିଖନ, ସ୍ଲୋଗାନ ଲିଖନ, ଲୋଗୋ ତିଆରି ପ୍ରତିଯୋଗିତାର ଆୟୋଜନ କରାଯିବ । ବିଭିନ୍ନ ସଚେତନାମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରାଯିବା ସହିତ ଆଲୋଚନାଚକ୍ର ଆୟୋଜନ କରାଯିବ । ପଥପ୍ରାନ୍ତ ନାଟକ, କ୍ଷୁଦ୍ର ଚଳଚ୍ଚିତ୍ର ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ଚିଠିରେ ଦର୍ଶାଯାଇଛି ।

Get real time updates directly on you device, subscribe now.