fbpx

ବେକାର ହୋଇଗଲା ବେନ୍ ଷ୍ଟୋକ୍ସଙ୍କ ୧୫୫ ରନର ପାଳି: ଇଂଲଣ୍ଡ ଉପରେ ଅଷ୍ଟ୍ରେଲିଆର ରାଜୁତି

ନୂଆଦିଲ୍ଲୀ: ଆସେଜ ସିରିଜରେ କାମ ଦେଉନି ଇଂଲଣ୍ଡର ବାଜ୍ ବଲ କ୍ରିକେଟ ଫର୍ମୁଲା । ସିରିଜର ଦ୍ୱିତୀୟ ମ୍ୟାଚରେ ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ଅଷ୍ଟ୍ରେଲିଆ । ଲର୍ଡସ ଟେଷ୍ଟରେ ମଧ୍ୟ ଇଂଲଣ୍ଡକୁ ମାତ୍ ଦେଇ ସିରିଜରେ ୨-୦ ରେ ଆଗୁଆ ହୋଇଛି ଦଳ । ଅଷ୍ଟ୍ରେଲିଆର ୩୭୧ ରନର ପିଛା କରି ମ୍ୟାଚର ପଞ୍ଚମ ଦିନରେ ହିଁ ଇଂଲଣ୍ଡ ମାତ୍ର ୩୨୧ ରନରେ ଅଲ ଆଉଟ ହୋଇଛି । ଅଧିନାୟକ ବେନ୍ ଷ୍ଟୋକ୍ସଙ୍କ ଦମଦାର ୧୫୫ ରନର ପାଳି ମଧ୍ୟ ଏହି ମ୍ୟାଚରେ ବିଫଳ ହୋଇଛି । ଏଥିସହିତ ପୁଣିଥରେ ଫେଲ ମାରିଛି ଇଂଲଣ୍ଡର ବାଜ୍ ବଲ ଫର୍ମୁଲା ।

ପ୍ରଥମ ପାଳିରେ ଅଷ୍ଟ୍ରେଲିଆ ୪୧୬ ରନ କରିଥିବା ବେଳେ ଇଂଲଣ୍ଡ ୩୨୫ ରନ କରି ଅଲ ଆଉଟ ହୋଇ ଯାଇଥିଲା । ତେବେ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୧୦୮ ରନର ଲିଡ ପରେ ୨୭୯ ରନ କରି ଇଂଲଣ୍ଡକୁ ମୋଟ ୩୭୧ ରନର ବିଜୟ ଲକ୍ଷ୍ୟ ଦେଇଥିଲା । ତେବେ ଇଂଲଣ୍ଡ ଅଧିନାୟକ ବେନ୍ ଷ୍ଟୋକ୍ସ ୧୫୫ ରନର ଦମଦାର ପାଳି ଖେଳି ମଧ୍ୟ ଦଳକୁ ବିଜୟ ଦେବାରେ ସଫଳ ହୋଇ ପାରିନାହାନ୍ତି । ଷ୍ଟୋକ୍ସଙ୍କ ବ୍ୟତୀତ ବେନ ଡକେଟ ମଧ୍ୟ ୮୩ ରନର ଏକ ସୁନ୍ଦର ପାଳି ଖେଳିଥିଲେ । କିନ୍ତୁ ଦଳ ପକ୍ଷରୁ ଅନ୍ୟ କୌଣସି ଖେଳାଳି ବଡ ସ୍କୋର କରିବାରେ ସଫଳ ହେବାରୁ ସିରିଜର ଦ୍ୱିତୀୟ ମ୍ୟାଚ ମଧ୍ୟ ହାତଛଡା କରିଛି ଇଂଲଣ୍ଡ । ତେବେ ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ କମିନ୍ସ ଏବଂ ଜୋସ ହାଜେଲଉଡ ୩ଟି ଲେଖାଏଁ ୱିକେଟ ନେଇଛନ୍ତି ।

ଏହି ଟେଷ୍ଟର ପ୍ରଥମ ପାଳିରେ ଷ୍ଟିଭ ସ୍ମିଥ ଏକ ଧୂଆଁଦାର ଶତକୀୟ ପାଳି ଖେଳିଥିଲେ । ୧୮୪ ବଲରୁ ୧୫ଟି ଚୌକା ସହ ୧୧୦ ରନର ପାଳି ଖେଳିଥିଲେ ସ୍ମିଥ । ତାଙ୍କ ବ୍ୟତୀତ ଟ୍ରାଭିସ ହେଡ ମଧ୍ୟ ୭୭ ଏବଂ ଡାଭିଡ ୱାର୍ଣ୍ଣର ୬୬ ରନର ଏକ ମହତ୍ତ୍ୱପୂର୍ଣ୍ଣ ପାଳି ଖେଳିଛନ୍ତି । ଯାହା ଫଳରେ ଇଂଲଣ୍ଡ ସାମନାରେ ଏକ ବିଶାଳ ଲକ୍ଷ୍ୟ ରଖିବାରେ ସମର୍ଥ ହୋଇଛି ଅଷ୍ଟ୍ରେଲିଆ । ତେବେ ଆସେଜ ସିରିଜର ଦୁଇଟି ମ୍ୟାଚରେ ଦୁଇଟି ବିଜୟ ସହ ଅଷ୍ଟ୍ରେଲିଆ ଏବେ ସିରିଜରେ ୨-୦ରେ ଆଗୁଆ ରହିଛି ।

Get real time updates directly on you device, subscribe now.