fbpx

Tension ଦେଲେଣି ଅଷ୍ଟ୍ରେଲିଆ ଖେଳାଳି… T20 WC ହାରିବା ନେଇ ଭାରତ ମନରେ ଛନକା

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୪ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି । ବର୍ତ୍ତମାନ ପ୍ରତ୍ୟେକଟି ମ୍ୟାଚରେ ଦେଖିବାକୁ ମିଳୁଛି ଭରପୂର ଏଣ୍ଟରଟେନମେଣ୍ଟ । କିନ୍ତୁ ଟିମ ଇଣ୍ଡିଆକୁ ଏବେଠୁ ବିଶ୍ୱକପ ଚିନ୍ତା ଘାରିଲାଣି । ଜୁନରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଭାରତ ଆଗରେ ସବୁଠୁ ବଡ଼ ସମସ୍ୟା ହୋଇପାରେ ଅଷ୍ଟ୍ରେଲିଆ । ଦଳର ଅଧିକାଂଶ ଖେଳାଳି ଏବେ ଦମଦାର ଫର୍ମରେ ରହିଛନ୍ତି । ଆଇପିଏଲରେ ବିସ୍ଫୋରକ ପ୍ରଦର୍ଶନ ବଳରେ ପ୍ରତିପକ୍ଷକୁ ଚକମା ଦେଉଛନ୍ତି ଅଷ୍ଟ୍ରେଲିଆର ଖେଳାଳି । ତେଣୁ ଆସନ୍ତା ବିଶ୍ୱକପରେ ମଧ୍ୟ ସେମାନେ ଭାରତ ପାଇଁ କଣ୍ଟା ସାଜିପାରନ୍ତି ବୋଲି ଟିମ ଇଣ୍ଡିଆର ଆଶଙ୍କା ବୃଦ୍ଧି ପାଇଛି ।

ଆଇପିଏଲରେ ଅଷ୍ଟ୍ରେଲିଆ ଖେଳାଳିଙ୍କ ବ୍ୟାଟିଂ ଦେଖି ଚିନ୍ତାରେ ପଡ଼ିଛି ଭାରତର ଚୟନ କମିଟି । ଦିନିକିଆ ବିଶ୍ୱକପ ଛନାଇ ନେବା ପରେ ଏବେ ଅଷ୍ଟ୍ରେଲିଆ ଭାରତ ହାତରୁ ଟି-୨୦ ବିଶ୍ୱକପ ମଧ୍ୟ ଛଡ଼ାଇ ନେବ ବୋଲି ଆଶଙ୍କା ଦେଖା ଦେଉଛି । କାରଣ ଅଷ୍ଟ୍ରେଲିଆ ଖେଳାଳିଙ୍କର ବ୍ୟାଟିଂ ପୁରା ଭୟଙ୍କର ରହିଛି । ବୋଲର ମାନଙ୍କୁ ବିନା ଭୟରେ ଖେଳୁଛନ୍ତି ଅଷ୍ଟ୍ରେଲିଆ ଦଳର ଅଧିକାଂଶ ଖେଳାଳି । ହାରିବା ମ୍ୟାଚକୁ ଜିତାଇ ଦେଉଛନ୍ତି ଅଷ୍ଟ୍ରେଲିଆ ବ୍ୟାଟର । ଅଷ୍ଟ୍ରେଲିଆର ବ୍ୟାଟର ଟ୍ରାଭିସ ହେଡ, ମାର୍କସ ଷ୍ଟୋଇନିସ, ଫ୍ରାସର, ଡାଭିଡ ୱାର୍ଣ୍ଣର ଏବଂ ମିଚେଲ ମାର୍ଶ ଆଇପିଏଲରେ ଦମଦାର ପ୍ରଦର୍ଶନ ଜାରି ରଖିଛନ୍ତି ।

ଦିନିକିଆ ବିଶ୍ୱକପର ଫାଇନାଲ ପରେ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଟ୍ରାଭିସ ହେଡ ଏଥର ଆଇପିଏଲରେ କମାଲ କରୁଛନ୍ତି । ଏପର୍ଯ୍ୟନ୍ତ ୬ଟି ମ୍ୟାଚ ଖେଳି ୩୨୪ ରନ୍ ଅକ୍ତିଆର କରିଛନ୍ତି ହେଡ୍ । ଯେଉଁଥିରେ ଏକ ଶତକ(୧୦୨ରନ୍) ଏବଂ ୨ଟି ଅର୍ଦ୍ଧ ଶତକ ମଧ୍ୟ ସାମିଲ ରହିଛି । ସେହିଭଳି ଷ୍ଟୋଇନିସ ମଧ୍ୟ ବିସ୍ଫୋରକ ବ୍ୟାଟିଂର ପ୍ରଦର୍ଶନ କରିଛନ୍ତି । ସୁପର ଜାଏଣ୍ଟସ ପାଇଁ ଷ୍ଟୋଇନିସ ଏପର୍ଯ୍ୟନ୍ତ ସେ ୮ଟି ମ୍ୟାଚ ଖେଳି ୨୫୪ ରନ୍ ଅକ୍ତିଆର କରିଛନ୍ତି । ଯେଉଁଥିରେ ସେ ଗୋଟିଏ ଶତକ ଏବଂ ଗୋଟିଏ ଅର୍ଦ୍ଧଶତକ କରିଛନ୍ତି । ତେବେ ଚେନ୍ନାଇ ବିପକ୍ଷରେ ଷ୍ଟୋଇନିସ ବିସ୍ଫୋରକ ବ୍ୟାଟିଂ କରି ଅପରାଜିତ ୧୨୪ ରନ୍ ପାରି ଖେଳିବା ଦଳକୁ ବିଜୟୀ କରାଇଛନ୍ତି । ଏମାନଙ୍କ ବ୍ୟତୀତ ନୂଆକରି ଆଇପିଏଲରେ ଡେବ୍ୟୁ କରିଛନ୍ତି ଅଷ୍ଟ୍ରେଲିଆର ଖେଳାଳି ଜ୍ୟାକ ଫ୍ରାସର । ତାଙ୍କ ପାଖରେ ଅଳ୍ପ ବଲରେ ଅଧିକ ରନ୍ କରିବାର ସାମର୍ଥ୍ୟ ବହୁତ ରହିଛି । ଫ୍ରାସର ମାତ୍ର ୩ଟି ମ୍ୟାଚ୍ ଖେଳି ୧୪୦ ରନ୍ ଅକ୍ତିଆର କରିଛନ୍ତି । ଯେଉଁଥିରେ ୬୫ ରନ ରହିଛି ସର୍ବାଧିକ । ତେଣୁ ବିଶ୍ୱକପରେ ତାଙ୍କୁ ସୁଯୋଗ ମିଳିଲେ ଭାରତ ପାଇଁ ସେ ମଧ୍ୟ ସମସ୍ୟା ସୃଷ୍ଟି କରିପାରନ୍ତି ।

ଏହାବ୍ୟତୀତ ଡାଭିଡ ୱାର୍ଣ୍ଣର, ମିଚେଲ ମାର୍ଶ ତଥା ଅନ୍ୟାନ୍ୟ ଖେଳାଳି ଦଳରେ ସାମିଲ ରହିଥିବା ବେଳେ ଦଳ ଖୁବ ଶକ୍ତିଶାଳୀ ହୋଇପାରେ । ସବୁଠାରୁ ବଡ଼ କଥା ହେଉଛି ଟି ୨୦ ବିଶ୍ୱକପ୍ ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଖେଳା ହେବାକୁ ଯାଉଛି । ଯେଉଁଠାରେ ପିଚ ଭାରତ ପାଇଁ ଆହୁରି ଏକ ବଡ଼ ସମସ୍ୟା ହୋଇପାରେ । ତେଣୁ ଭାରତକୁ ମଧ୍ୟ ଏସବୁକୁ ନଜରରେ ରଖି ଦଳ ଚୟନ କରିବାକୁ ହେବ ।

Get real time updates directly on you device, subscribe now.